କୋରାପୁଟ: 108 ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ବରରେ ପଡି ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଚତୁର୍ଦ୍ଧାବିଗ୍ରହ । 15 ଦିନ ଧରି ବିଗ୍ରହମାନଙ୍କ ଗୁପ୍ତସେବା ନୀତି ଚାଲିବ । ଶ୍ରୀମନ୍ଦିର ଭଳି ଦେବସ୍ନାନ ପୂର୍ଣ୍ଣିମା ରାତିଠାରୁ କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ମଧ୍ୟ ତିନି ଠାକୁର ଗୁପ୍ତ ସେବା ପାଉଛନ୍ତି । ମହାପ୍ରଭୁଙ୍କ ଗୁପ୍ତ ସେବାରେ ଲାଗିଛନ୍ତି ଆଦିବାସୀ ସେବକ ।
ପୂର୍ବ ପୁରୁଷଙ୍କ ପାରମ୍ପରିକ ଚିକିତ୍ସା ପଦ୍ଧତିକୁ ଆଧାର କରି ଆଦିବାସୀ ସେବକ ରାମଚନ୍ଦ୍ର ଗେମେଲ ବଣ ଜଙ୍ଗଲର ଫଳ, ଫୁଲ, ଚେରମୂଳିକୁ ବ୍ୟବହାର କରି ତିନି ଠାକୁରଙ୍କ ଉପଚାର ଆରମ୍ଭ କରିଛନ୍ତି । ଆସନ୍ତା ପନ୍ଦର ଦିନ ତିନି ଠାକୁର ଅଣସରରେ ରହୁଥିବା ଯୋଗୁଁ ମନ୍ଦିରର ପ୍ରବେଶ ଦ୍ବାର ନିକଟରେ ପଟିଦିଅଁଙ୍କୁ ପୂଜା କରାଯାଉଛି । ପରମ୍ପରା ଅନୁଯାୟୀ ବର୍ତ୍ତମାନ କେବଳ ଆଦିବାସୀ ପୂଜକଙ୍କୁ ଛାଡ଼ିଦେଲେ ସାଧାରଣ ଭକ୍ତଙ୍କ ସମେତ ଅନ୍ୟ ସମସ୍ତ ସେବକଙ୍କ ପାଇଁ ମୁଖ୍ୟ ମନ୍ଦିରର ଦ୍ବାର ବନ୍ଦ ରହିଛି । ଭକ୍ତମାନେ କେବଳ ପଟିଦିଅଁଙ୍କ ଦର୍ଶନ ପ୍ରାପ୍ତି କରୁଛନ୍ତି । ମହାପ୍ରଭୁ ଅନନ୍ତ ନାରାୟଣ ରୂପରେ, ପ୍ରଭୁ ବଳଭଦ୍ର ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରା ଭୁବନେଶ୍ଵରୀ ରୂପରେ ପଟି ଦିଅଁ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏହି ସମୟରେ ପଟିଦିଅଁଙ୍କ ନିକଟରେ 56 ଭୋଗ ଲଗାଯାଏ ।
ଏହା ମଧ୍ୟ ପଢ଼ନ୍ତୁ: ଶାବର ଶ୍ରୀକ୍ଷେତ୍ରରେ ସ୍ନାନ ଯାତ୍ରା, ସ୍ନାନ ବେଦୀରେ 3 ଠାକୁରଙ୍କୁ ଦର୍ଶନ କଲେ ଶତାଧିକ ଭକ୍ତ
ଏନେଇ ମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି,"ମହାପ୍ରଭୁଙ୍କ ସ୍ନାନଯାତ୍ରାଠାରୁ ଆରମ୍ଭ କରି ବାହୁଡ଼ା ଯାତ୍ରା ଯାଏ ଆଦିବାସୀ ପରମ୍ପରାର ବେଶ ବିଶେଷତ୍ବ ରହିଛି । ଆଦିବାସୀ ପୂଜା ପରମ୍ପରାରେ ଗାଁ ଝାଙ୍କରରେ ପ୍ରତିଷ୍ଠିତ ତିନୋଟି କାଠି ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତୀକ ବୋଲି ଭାବି ପୂଜା କରାଯାଏ । ପ୍ରଥମେ ଶବର ବିଶ୍ବବାସୁ ମହାପ୍ରଭୁଙ୍କ ସେବା କରିଥିଲେ । ଜଙ୍ଗଲରୁ ବିଭିନ୍ନ ଚେରମୂଳି ଆଣି ସେଥିରେ ଔଷଧ ପ୍ରସ୍ତୁତ କରି ଶୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି କରୁଥିଲେ । ଏହି ପରିପ୍ରେକ୍ଷୀରେ ଜଗନ୍ନାଥ ସଂସ୍କୃତି ଓ ଆଦିବାସୀ ସଂସ୍କୃତି ଅଙ୍ଗାଙ୍ଗି ଭାବେ ଜଡ଼ିତ । ତେଣୁ ସେବେଠାରୁ ଏହି ପରମ୍ପରା ବଜାୟ ରହିଛି । ପରମ୍ପରାକୁ ପାଳନ କରି ବର୍ତ୍ତମାନ କେବଳ ଆଦିବାସୀ ପୂଜକ ହିଁ ମହାପ୍ରଭୁଙ୍କ ଗୁୁପ୍ତସେବା କରୁଛନ୍ତି ।" ଶାବର ଶ୍ରୀକ୍ଷେତ୍ରର ଏହି ଅନନ୍ୟ ପରମ୍ପରା ଭକ୍ତ ଓ ଭଗବାନଙ୍କୁ ଏକ ସୂତ୍ରରେ ବାନ୍ଧି ରଖିଛି ।
ଇଟିଭି ଭାରତ, କୋରାପୁଟ