କୋରାପୁଟ: ମେଡିକାଲ କଲେଜରେ ଚାକିରୀ କରାଇଦେବା ନାଁରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଗତ ସୋମବାର ଦିନ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ବିଶ୍ବାଳ ତାଙ୍କ କାର୍ଯ୍ୟାଳୟରେ ଜୟପୁରର ଦୁଇଜଣ ଯୁବକଙ୍କୁ ଭେଟି ଆଶ୍ଚର୍ଯ୍ୟ ହୋଇଥିଲେ । ସେ ଦୁଇଜଣ ଯୁବକ ତାଙ୍କୁ ମେଡିକାଲ କଲେଜରେ ଆଟେଣ୍ଡାଣ୍ଟ ଭାବେ ନିଯୁକ୍ତି ମିଳିଥିବା କହି ନିଯୁକ୍ତି ପତ୍ର ଦେଖାଇଥିଲେ ।
ମେଡିକାଲ କଲେଜର ଲେଟର ପ୍ୟାଡରେ ଦିଆଯାଇଥିବା ନିଯୁକ୍ତି ପତ୍ରରେ ଅଧ୍ୟକ୍ଷଙ୍କ ଦସ୍ତଖତ ଥିବା ସ୍ଥାନରେ ତାଙ୍କଠାରୁ ଭିନ୍ନ କେହି ବ୍ୟକ୍ତିର ଦସ୍ତଖତ ଦେଖି ସେହି ଯୁବକ ମାନେ ଠକାମୀର ଶିକାର ହୋଇଥିବା ନେଇ ଡାକ୍ତର ବିଶ୍ବାଳ ସେମାନଙ୍କୁ ଜଣାଇଥିଲେ । ମେଡିକାଲ କଲେଜ ଏପରି ଲେଟରପ୍ୟାଡ଼ ବ୍ୟବହାର କରେ ନାହିଁ ଓ କଲେଜ ତରଫରୁ ଏପରି କୌଣସି ନିଯୁକ୍ତି ଦିଆଯାଇନଥିବା ନେଇ ଆଜି ସେ ସ୍ପଷ୍ଟ କରିଛନ୍ତି ।
ତେବେ ଏହିପ୍ରକାର ଠକାମୀ ଯେ କେବଳ ମେଡିକାଲ କଲେଜରେ ହୋଇଛି ତାହା ନୁହେଁ । କୋରାପୁଟ ଏଗ୍ରୋ ପ୍ରଡକ୍ଟ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ , କାପକୋ ତରଫରୁ ମଧ୍ୟ ଅନୁରୂପ ଭାବେ ତଥାକଥିତ ଭାବେ ଦିଆଯାଇଥିବା ନିଯୁକ୍ତି ପତ୍ର ବଜାରରେ ବୁଲୁଥିବା ଦେଖାଦେଇଛି । ତେବେ ଏହାକୁ କାପକୋର ଅଧିକାରୀ ଖଣ୍ଡନ କରିଛନ୍ତି । ସେହିପରି ସମଗ୍ର ଶିକ୍ଷା ଅଭିଯାନ ତରଫରୁ ନିଯୁକ୍ତିପତ୍ର ମଧ୍ୟ ଯୁବଗୋଷ୍ଠୀଙ୍କ ପାଖରେ ଦେଖାଯାଇଥିଲେ ହେଁ କୋରୋନା ପ୍ରଭାବରେ ବନ୍ଦ ପଡିଥିବା ନିଯୁକ୍ତିର ସୁଯୋଗ ନେଇ କିଛି ଖଳ ପ୍ରକୃତିର ବ୍ୟକ୍ତି ଯେ ଯୁବଗୋଷ୍ଠୀଙ୍କୁ ଠକାମୀର ଶିକାର କରି ଅର୍ଥ ଆତ୍ମସାତ କରାଯିବାର ମାର୍ଗ ଖୋଜିଛନ୍ତି ଏଥିରେ ସନ୍ଦେହ ନାହିଁ ।
ଏହାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଥିବା ଡାକ୍ତର ବିଶ୍ବାଳ ମତ ରଖିଛନ୍ତି । ନିଯୁକ୍ତି ସମ୍ପର୍କିତ ସୂଚନା ପାଇଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ସମ୍ପର୍କ ରଖି ତାର ବାସ୍ତବିକତା ସମ୍ପର୍କରେ ଜାଣିବା ପାଇଁ ସେ ଯୁବଗୋଷ୍ଠୀକୁ ନିବେଦନ କରିଛନ୍ତି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ