ପାରଳାଖେମୁଣ୍ଡି: ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ଅଧିକାଂଶ ଲୋକେ ଚାଷ ଉପରେ ନିର୍ଭରଶୀଳ । ଶିଳ୍ପ ବିହୀନ ଏହି ଜିଲ୍ଲାରେ ପରିବାର ଚଳାଇବା ପାଇଁ ଲୋକେ କୁଲି ମଜୁରୀ ବା ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଏଭଳି ପରିସ୍ଥିତିରେ ଚନ୍ଦ୍ରଗିରି ଅଞ୍ଚଳର ଆଦିବାସୀ ମହିଳାଙ୍କୁ ରୋଜଗାର ଦେଉଛି ଉଲ୍ ଦ୍ଵାରା ପ୍ରସ୍ତୁତ ହେଉଥିବା କାର୍ପେଟ କାମ । ଯେଉଁ ହାତରେ ଜଙ୍ଗଲରୁ କାଠ ହାଣୁଥିଲେ ଏବଂ ପୋଡ଼ୁ ଚାଷ କରୁଥିଲେ ଏବେ ସେହି ହାତରେ ସୁନ୍ଦର କାର୍ପେଟ ତିଆରି କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ସେମାନେ ।ଏହି କାମକୁ ଆପଣେଇଥିବା ମହିଳାମାନେ ଖୁସି ପ୍ରକାଶ କରିବା ସହ ଆଗକୁ କିଭଳି ଆହୁରି ଭଲ କାମ କରିବେ ସେନେଇ ପ୍ରୟାସ କରିବେ ବୋଲି କହିଛନ୍ତି ।
ସ୍ୱାବଲମ୍ବୀ କରିଛି ତିବ୍ଦତୀୟନ କାର୍ପେଟ:
ପୂର୍ବରୁ ଚନ୍ଦ୍ରଗିରି ଅଞ୍ଚଳରେ ରହୁଥିବା ତିବ୍ଦତୀୟମାନେ ଏହି କାର୍ପେଟ ତିଆରି କରୁଥିଲେ । କାର୍ପେଟ ତିଆରି ତିବ୍ଦତୀୟଙ୍କ ରୋଜଗାରର ଅନ୍ୟତମ ପନ୍ଥା ଥିଲା l ଏଥିପାଇଁ ଲବାରସିଂରେ ଥିବା ତିବ୍ଦତୀୟ ସୋସାଇଟିରେ ମହିଳାମାନେ ତିଆରି କରୁଥିଲେ କାର୍ପେଟ l ହେଲେ ଗତ ପ୍ରାୟ ୧୦ ବର୍ଷ ହେଲା ସେମାନେ ଆଉ କାର୍ପଟ କାମ କରୁନାହାନ୍ତି କିନ୍ତୁ ସ୍ଥାନୀୟ ଆଦିବାସୀ ମହିଳାଙ୍କୁ ଏହି କାର୍ପେଟ ତିଆରି ତାଲିମ ପ୍ରଦାନ କରି ରୋଜଗାରରେ ସହାୟକ ହୋଇଛନ୍ତି l ଲୋପ ପାଇ ଆସୁଥିବା ତିବ୍ଦତୀୟ କାର୍ପେଟ ବୁଣା ଶିଖି ସ୍ୱାବଲମ୍ବୀ ହୋଇଛନ୍ତି ମୋହନା ବ୍ଲକ୍ ବାଘମାରି ପଞ୍ଚାୟତ ଶିକୁଳିପଦର, ବାଘମାରି, ନିଲକୁଟି ଗ୍ରାମର ଅନେକ ଆଦିବାସୀ ଯୁବତୀ ଓ ମହିଳା ।
କାର୍ପେଟ ତିଆରି କିପରି ପ୍ରଶିକ୍ଷଣ ନେଲେ ?
ଚନ୍ଦ୍ରଗିରି ସ୍ଥିତ ସଉରା ଉନ୍ନୟନ ସଂସ୍ଥା ପକ୍ଷରୁ ଓପିଲିପି ମାଧ୍ୟମରେ ଏହି ମହିଳା ମାନଙ୍କୁ ପ୍ରଥମେ ତାଲିମ ଦେଇଥିଲେ କିଛି ତିବ୍ଦତୀୟ ମହିଳା । ବର୍ତ୍ତମାନ ଏହି ମହିଳାମାନେ ନିଜେ କାମ କରି ଅନ୍ୟ ମହିଳାମାନଙ୍କୁ ତାଲିମ ଦେବା ସହ ପ୍ରସ୍ତୁତ କାର୍ପେଟକୁ ବିକ୍ରି କରି ଦୁଇ ପଇସା ଉପାର୍ଜନ କରୁଛନ୍ତି । ତିବ୍ଦତୀ ମାନେ ଯେତେବେଳ ଓଡ଼ିଶାରେ ଆସି ବସବାସ କଲେ ସେହି ସମୟରେ ଏହି କାର୍ପେଟ, ସ୍ଵିଟର ଆଦି ବୁଣିବା ସହ ବିକ୍ରି କରି ସେମାନଙ୍କ ଗୁଜୁରାଣ ମେଣ୍ଟାଉଥିଲେ । ଡିଜିଟାଲ ଓ ମେସିନ ଯୁଗରେ ତାହା ମେସିନ ମାଧ୍ୟମରେ ତିଆରି ହେଉଛି । ବଜାରର୍ ଏହି ମଖମଲ୍ କର୍ପେଟର ଚାହିଦା ଥିବାରୁ ଏହାର ମୂଲ୍ୟ ବି ଅଧିକ ରହିଛି । ଗୋଟିଏ କାର୍ପେଟ ଦାମ ୪ହଜାର ରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୁଏ ବୋଲି ମହିଳା ମାନେ କହିଛନ୍ତି l ଏହା ଉଲ୍ ମାଧ୍ୟମରେ ତିଆରି ହୁଏ ।
କିପରି ବିକ୍ରି କରନ୍ତି ?
ପ୍ରଥମେ ଏକ ଛବିକୁ ଗ୍ରାଫ୍ ମାଧ୍ୟମରେ ଚିତ୍ର ଆଙ୍କି ପରେ ସେହି ପ୍ରତିଛବିକୁ ଉଲ ମାଧ୍ୟମରେ ତିଆରି କରିଥାନ୍ତି । ବର୍ତ୍ତମାନ ଚାହିଦା ଅଧିକ ଅଛି କିନ୍ତୁ ଉତ୍ପାଦନ କମ ରହିଛି । ଏହା ଏକ ଲାଭଦାୟକ ଜିନିଷ ହୋଇଥିବା ବେଳେ ଏହାକୁ ତିଆରି କରିବାକୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ । ହେଲେ ଶ୍ରମ ଅନୁଯାଇ ସେମାନଙ୍କୁ ପାରିଶ୍ରମିକ ମିଳୁନାହିଁ ବୋଲି କହିଛନ୍ତି ମହିଳାମାନେ l ଶିକୁଳିପଦରରେ ଥିବା କାର୍ପେଟ ପ୍ରସ୍ତୁତି କେନ୍ଦ୍ରରେ ପ୍ରାୟ ୧୫ ଜଣ ମହିଳା କାମ କରୁଛନ୍ତି l ସେମାନେ କାର୍ପେଟ ତିଆରି କରି ସଉରା ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ଦାଖଲ କରିଥାନ୍ତି । ସେମାନଙ୍କ ପାରିଶ୍ରମିକ ମାସକୁ ମାତ୍ର ୨୦୦ଟଙ୍କା ପ୍ରଦାନ କରୁଛି ସଉରା ଉନ୍ନୟନ ସଂସ୍ଥା ।ଏଥିରେ ସେମାନଙ୍କ ବହୁତ ଖୁସି ଥିବାବେଳେ ଆଉ ଅଧିକ ଟଙ୍କା ମିଳିଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି କାର୍ପେଟ କରିଗର ।
ଏମିତି କହିଲେ ସଉରା ଉନ୍ନୟନ ସଂସ୍ଥାର ଅଧିକାରୀ...
ଚନ୍ଦ୍ରଗିରି ସଉରା ଉନ୍ନୟନ ସଂସ୍ଥାର ସ୍ଵତନ୍ତ୍ର ଅଧିକାରୀ ବନମାଳି ଭୂୟାଁ କହିଛନ୍ତି," ୨୦୨୨ରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପୂର୍ବରୁ ତିବ୍ଦତୀୟ ମାନେ କାର୍ପେଟ ତିଆରି କରୁଥିଲେ । ବର୍ତ୍ତମାନ ସେମାନେ ଏହା କରୁନାହାନ୍ତି । ତେଣୁ କିଛି ତିବ୍ଦତୀୟ ମହିଳା ସ୍ଥାନୀୟ ଆଦିବାସୀ ମହିଳାଙ୍କୁ କାର୍ପେଟ ତିଆରି ତାଲିମ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ସେମାନଙ୍କ ତାଲିମ ଭତ୍ତା ବାବଦକୁ ଦିନକୁ ୨ଶହ ଟଙ୍କା ଦିଆଯାଉଛି । ଅତିଶୀଘ୍ର ପାରିଶ୍ରମିକ ବୃଦ୍ଧି ସମ୍ପର୍କରେ ଆଲୋଚନା କରି ପଦକ୍ଷେପ ନିଆଯିବ । ମହିଳାମାନଙ୍କୁ ସ୍ବାବଲମ୍ବୀ କରାଇବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ହାତକୁ ନେଇଛନ୍ତି । "
ଇଟିଭି ଭାରତ, ଗଜପତି