କୋରାପୁଟ: ଦିନକ ପାଇଁ କୋରାପୁଟ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । ଚଳିତ ମାସ 30 ତାରିଖରେ ସମସ୍ତ ଧର୍ମାନୁଷ୍ଠାନ ଖୋଲି ପୁଣିଥରେ 31 ତାରିଖଠାରୁ ଆସନ୍ତା ମାସ 2 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ଏହି ସମସ୍ତ ଧର୍ମାନୁଷ୍ଠାନ ଗୁଡିକ ପୁଣିଥରେ 3 ତାରିଖ ଦିନ ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରଶାସନର ଜିଲ୍ଲାସ୍ତରୀୟ ଅଧିକାରୀ, ଜନ ପ୍ରତିନିଧି ଏବଂ ସମସ୍ତ ଧର୍ମାନୁଷ୍ଠାନର ମୁଖ୍ୟମାନଙ୍କୁ ନେଇ ଆୟୋଜିତ ହୋଇଥିବା ସଭାରେ ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ ଜଣାଇଛନ୍ତି । ଚଳିତ ବର୍ଷ ଦୀର୍ଘ ଆଠ ମାସ ଧରି ବନ୍ଦ ପଡିଥିବା ଧର୍ମାନୁଷ୍ଠାନ ଗୁଡିକୁ ଏହି ବର୍ଷର ଶେଷ ସୁଦ୍ଧା ପୁଣିଥରେ ଖୋଲି ଦିଆଗଲେ ଲୋକଙ୍କ ପାଇଁ ଆନନ୍ଦର ଅନୁଭୂତି ଆଣିପାରିବ ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମତବ୍ୟକ୍ତ ଦେଇଛନ୍ତି ।
କୋରାପୁଟ ବିଧାୟକ ରଘୁରାମ ପାଡାଲ ଓ ଅନ୍ୟାନ୍ୟ ସଦସ୍ୟ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ । ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ, ପୋଲିସ ବିଭାଗର ଅଧିକାରୀଙ୍କ ସହ କୋରାପୁଟ, ଜୟପୁର ଓ ଲଷ୍ମୀପୁରର ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ସାଂସଦ ପ୍ରତିନିଧି ଯୋଗ ଦେଇଥିଲେ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ