କୋରାପୁଟ: ଜୀବନଠୁ ଶିଖିଛନ୍ତି ସେ ବଞ୍ଚିବାର ଧାରା । ଶୁନ୍ୟ ଆକାଶ ତଳେ ଭବିଷ୍ୟତ ଗଢିବାର ସ୍ବପ୍ନ ଦେଖିଥିଲେ । ନିଜର ବୋଲି ଇଞ୍ଚେ ଜମି ନଥିଲା । ଆଜି କିନ୍ତୁ ସେ ଜଣେ ସଫଳ ମହିଳା ଚାଷୀ । ସେ ହେଲେ, କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଅନ୍ତର୍ଗତ କାଙ୍ଗିଆଗୁଡା ଗାଁର ଆସମତି ଗାଦବା । ସ୍ୱାମୀ ତାଙ୍କ ପରିବାରରୁ ଅଲଗା ହୋଇଯିବା ପରେ ସମ୍ପର୍କୀୟମାନେ ମଧ୍ୟ ତାଙ୍କ ହାତ ଛାଡିଦେଇଥିଲେ । ଚାରିଆଡୁ ହତାଦର ଏବଂ ଅସହଯୋଗ ଯୋଗୁଁ ନିଶ୍ୱ ହୋଇପଡିଥିଲେ ଦୁହେଁ । ହେଲେ ଜୀବନରେ ହାରିବା ଶିଖି ନଥିବା ଆସମତି ଆଗେଇଥିଲେ ନିଜ ଲକ୍ଷ୍ୟ ପଥରେ । ନିଜ ଜମି ନଥିଲା ତାଙ୍କ ପାଖରେ, ଗାଁର ଅନ୍ୟମାନଙ୍କ ଜମିରେ ଭାଗ ଚାଷୀ ଭାବରେ କଠିନ ପରିଶ୍ରମ କରି ଛୋଟ ଛୋଟ ଚାଷ ଜମିକୁ ବନ୍ଧା ରଖି ନିଜ ଇଚ୍ଛା ମୁତାବକ ପନିପରିବା ଚାଷ କରି ରୋଜଗାରର ପନ୍ଥା ପାଇଛନ୍ତି ସେ ।
ପ୍ରତିକୂଳ ପରିସ୍ଥିତିକୁ ହସି ହସି ସାମନା କରିବା ସହ ନିଜ ଦକ୍ଷତାକୁ ପାଥେୟ କରି ଗତ ୨୦ ବର୍ଷ ମଧ୍ୟରେ ପାଞ୍ଚ ପ୍ରାଣୀ କୁଟୁମ୍ବର ଭରଣ ପୋଷଣ କରିବାରେ ସଫଳ ହୋଇପାରିଛନ୍ତି । ଅନେକ ପରିଶ୍ରମ କରି ଜୀବନକୁ ଆଗେଇ ନେବା ବେଳକୁ ତାଙ୍କ ଘରେ ଜନ୍ମ ନେଲା ଏକ ଶ୍ରବଣ ଓ ବାକ ବାଧକ ଶିଶୁ । ସ୍ୱାମୀ ଓ ପାଖ ପଡ଼ୋଶୀ ଚିନ୍ତିତ ହୋଇଉଠିଥିଲେ କିନ୍ତୁ ହାରିନଥିଲେ ଆସମତି । ଦିବ୍ୟାଙ୍ଗ ଶିଶୁକୁ ପାରୁପର୍ଯ୍ୟନ୍ତ ସେବା ଯୋଗାଇ ଆସିଛନ୍ତି । ସେ ଯେମିତି ନିରନ୍ତର ଶିକ୍ଷା ଗ୍ରହଣ କରି ସ୍ୱାବଲମ୍ବୀ ହୋଇପାରିବ ସେଦିଗରେ ଆସମତି ଯତ୍ନବାନ । ପୁଅକୁ ନିକଟବର୍ତ୍ତୀ ମୁକାପୁଟ ବିଦ୍ୟାଳୟରେ ଛାଡି ଆସନ୍ତି । ପୁଅ ରାଜେନ୍ଦ୍ର କିପରି ବିଦ୍ୟାଳୟ ପ୍ରତି ଆକର୍ଷିତ ହୋଇ ପାଠ ଦୁଇ ଅକ୍ଷର ପଢି ପାରିବ ସେ ନେଇ ଅବିଶ୍ରାନ୍ତ ପ୍ରଚେଷ୍ଟା କରି ଆସିଛନ୍ତି । ପୁଅର ଶିକ୍ଷା କ୍ଷେତ୍ରରେ ଆସମତିଙ୍କ ଉତ୍ସାହ ଦେଖି ବିଦ୍ୟାଳୟର ପ୍ରଧାନଶିକ୍ଷକ ଯେମିତି ଖୁସି, ତାଙ୍କ ଚାଷ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ପାଇଁ ଗ୍ରାମବାସୀ ମଧ୍ୟ ସେତିକି ଆନନ୍ଦିତ ।
କୃଷି କ୍ଷେତ୍ରରେ ଆସମତିଙ୍କ ସଫଳତା ପରେ ସ୍ବେଚ୍ଛାସେବୀ ସଂଗଠନ 'ପ୍ରଗତି' ତାଙ୍କ ପ୍ରତି ବିଶେଷ ଭାବେ ଆକର୍ଷିତ ହୋଇଥିଲା । ପାରମ୍ପରିକ ଧାରାରେ କରିଆସୁଥିବା ଚାଷବାସରେ ନୂତନ କୌଶଳକୁ ବ୍ୟବହାର କରିବା ଓ ଜୈବିକ ଚାଷକୁ ଆପଣାଇବା ପାଇଁ ସ୍ୱତନ୍ତ୍ର ତାଲିମ ଦେଇଥିଲା 'ପ୍ରଗତି'। ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ନିଜ ଆର୍ଥିକ ପ୍ରଗତି କରିଥିବା ଆସମତି ଗ୍ରାମବାସୀଙ୍କୁ ମଧ୍ୟ ଏଦିଗରେ ପ୍ରୋତ୍ସାହିତ କରିବାର ମାନସିକତା ଗ୍ରାମବାସୀଙ୍କୁ ଅଭିଭୂତ କରିଛି ।
କେବଳ କହିବାରେ ନୁହେଁ ବରଂ ଅନ୍ୟ ଚାଷୀଙ୍କ ବାଡକୁ ଯାଇ ସେମାନଙ୍କ ସାଥିରେ କାମ କରି ନିଜେ ପ୍ରୟୋଗ କରୁଥିବା ସମସ୍ତ ବିଷୟକୁ ପ୍ରୟୋଗାତ୍ମକ ଭାବେ ସହଯୋଗ କରିଆସୁଛନ୍ତି ଆସମତି । ଏହି ସଦିଚ୍ଛା ଓ ସହଯୋଗର ଭାବ ତାଙ୍କୁ ଅନ୍ୟମାନଙ୍କ ଅପେକ୍ଷା ସ୍ୱତନ୍ତ୍ର କରିଛି । ନିଜେ ବଞ୍ଚିବା ଏବଂ ପରିବାରର ବିଭିନ୍ନ ସମସ୍ୟାକୁ ସାମ୍ନା କରିବା ପ୍ରକ୍ରିୟାରେ କୋଡିଏ ବର୍ଷ ପରେ ବି ନିଜର ଜମି ବୋଲି ଆସମତିଙ୍କ ପାଖରେ କିଛି ନାହିଁ । ସରକାରଙ୍କ ପାଖେ ଗୁହାରି କରି କରି ଥକି ଗଲେଣି । ତଥାପି ଆଶା ହରାଇନାହାନ୍ତି ଆସମତି । ଆଜିବି ଅନ୍ୟର ଜମିକୁ ବନ୍ଧା ରଖି ନିଜ ଜମି ଭଳି ତାପ୍ରତି କୃତଜ୍ଞତା ଜ୍ଞାପନ କରନ୍ତି । ନୂତନ କାର୍ଯ୍ୟ କୌଶଳ ପ୍ରୟୋଗ କରି ସମସ୍ତଙ୍କୁ ସାଥିରେ ନେଇ ଆହୁରି ଆଗକୁ ଯିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସେ ।
କୋରପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ