କୋରାପୁଟ: ଉଦଯାପିତ ହେଲା ଷଷ୍ଠ ଦେଓମାଳି ଜାତୀୟ ନାଟ୍ୟ ଉତ୍ସଵ । ଦୀର୍ଘ ଦୁଇ ବର୍ଷ କୋଭିଡ କଟକଣାରେ ଅଟକି ଯାଇଥିବା ନାଟକ ମଞ୍ଚ ପୁଣିଥରେ ଜୀବନ ଧାରଣ କରିଛି । କୋରାପୁଟ ଜିଲ୍ଲାର ଅଗ୍ରଣୀ ନାଟ୍ୟ ସଂଗଠନ 'ନନ୍ଦନୀକ' ଆନୁକୂଲ୍ୟରେ କୋରାପୁଟ ଆଦିବାସୀ ସଂଗ୍ରହାଳୟରେ ଆୟୋଜିତ ତ୍ରି ଦିବସୀୟ ଷଷ୍ଠ ଦେଓମାଳି ଜାତୀୟ ନାଟ୍ୟ ଉତ୍ସବରେ ଚାରୋଟି ଓଡ଼ିଆ ନାଟକ ସମେତ ଗୋଟିଏ ବଙ୍ଗାଳି ଓ ଗୋଟିଏ ହିନ୍ଦୀ ନାଟକ ପରିବେଷଣ କରାଯାଇଥିଲା ।
ସରକାରଙ୍କ ପ୍ରଦତ୍ତ କୋଭିଡ ନିୟମାବଳୀ ଅନୁଯାୟୀ ସୀମିତ ଦର୍ଶକଙ୍କ ଉପସ୍ଥିତିରେ ନାଟକ ଗୁଡିକ ପରିବେଷଣ କରାଯାଇଥିଲେ ହେଁ ନାଟ୍ୟ ମହୋତ୍ସବ ତାର ଗୁଣାତ୍ମକ ମାନଟିକୁ ବଜାୟ ରଖିବାରେ ସମର୍ଥ ହୋଇଥିବା ନନ୍ଦନୀକର ପ୍ରତିଷ୍ଠାତା ସୌରଭ ଗୁପ୍ତା ମତ ରଖିଛନ୍ତି । ଗତ ଦୁଇବର୍ଷ ଧରି ଅନଲାଇନରେ ନାଟକ ପ୍ରଦର୍ଶନ ଦେଖୁଥିବା ନାଟକ ପ୍ରେମୀଙ୍କ ପାଇଁ ନନ୍ଦନୀକର ଟିକି ପ୍ରୟାସ ମୁକ୍ତି ଆଣିଦେଇଛି ବୋଲି କୋରାପୁଟ ଜିଲ୍ଲାର ସୁନାମଧନ୍ୟ ନାଟ୍ୟକାର ଗୌରୀ ପ୍ରସାଦ ରଥ ମତ ରଖିଛନ୍ତି ।
ସେହିପରି ନନ୍ଦନୀକ ଆୟୋଜନ କରିଥିବା ଛୋଟ ଛୋଟ ନାଟ୍ୟ ଉତ୍ସଵ ଭଳି ପ୍ରତ୍ୟେକ ସଂସ୍ଥା ଆୟୋଜନ କରିପାରିଲେ ଏହି ଅଞ୍ଚଳରେ ନାଟକ ପ୍ରତି ରୁଚି ଆହୁରି ଅଧିକ ବଢି ପାରନ୍ତା ବୋଲି କଲିକତାରୁ ଆସି ନାଟକ ପରିବେଷଣ କରିଥିବା ଯୁବ କଳାକାର ଆଶାବ୍ୟକ୍ତ କରିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ