କୋରାପୁଟ: ପରବ ରୌପ୍ୟ ଜୟନ୍ତୀ ମହୋତ୍ସବର ଶୁଭାରମ୍ଭ । ଆଜି ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମସ୍ଥଳୀ ତେନ୍ତୁଳିଗୁମ୍ମାରେ ପରବ (Parab Mahotsav 2022)ର ରୌପ୍ୟ ଜୟନ୍ତୀର ଶୁଭାରମ୍ଭ ହୋଇଛି । ତେନ୍ତୁଳିଗୁମ୍ମାର ଆରାଧ୍ୟା ଦେବୀ ମାଉଳି ମା'ଙ୍କ ମନ୍ଦିରରୁ ଆଦିବାସୀ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ହେବା ପରେ ପରବ ମଶାଲକୁ ପ୍ରଜ୍ଜ୍ଵଳିତ କରାଯାଇଥିଲା । ଏହାପରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ହୋଇଥିଲା । ଏହି ପରବ ମହୋତ୍ସବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳିଛି ।
ଏହି ପରବ ମହୋତ୍ସବ ଆଜିଠାରୁ ଆସନ୍ତା ଏକ ମାସ ବ୍ୟାପୀ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ନୃତ୍ୟ ସଙ୍ଗୀତ, ଚିତ୍ରକଳା, କ୍ରୀଡ଼ାର ପ୍ରତିଯୋଗିତା ଆୟୋଜିତ ହେବ । ଏଥିରେ ହଜାର ହଜାର ସଂଖ୍ୟାରେ କୋରାପୁଟବାସୀ ସକ୍ରିୟ ଭାବେ ଯୋଗ ଦେବେ ବୋଲି ଜିଲ୍ଲାପାଳ ଅବଦଲ ଅକ୍ତର କହିଛନ୍ତି । ୧୯୯୬ ମସିହାରେ ଆରମ୍ଭ କରାଯାଇଥିବା ପରବ ଉତ୍ସବ ଏବେ କେବଳ ଏକ ସାଂସ୍କୃତିକ ଉତ୍ସବ ନହୋଇ ଏହି ଅଞ୍ଚଳର ଜୀବନଧାରାର ଏକ ଅଭିନ୍ନ ଅଙ୍ଗ ପାଲଟିଯାଇଛି ବୋଲି ତତ୍କାଳୀନ କୋରାପୁଟ ଜିଲ୍ଲା ସଂସ୍କୃତି ଅଧିକାରୀ କୃଷ୍ଣଚନ୍ଦ୍ର ନିଶଙ୍କ ମତବ୍ୟକ୍ତ କରିଛନ୍ତି ।
ଏହା ବି ପଢନ୍ତୁ- 25 ବର୍ଷ ପୂରଣ କରିଛି ଆଦିବାସୀ ପରବ ଉତ୍ସବ
ଏହି ଉତ୍ସବ ମାଧ୍ୟମରେ ଆଦିବାସୀ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଏ । ଏହି ଅବସରରେ ତେନ୍ତୁଳିଗୁମ୍ମାର ଆରାଧ୍ୟା ଦେବୀ ମାଉଳି ମା'ଙ୍କ ମନ୍ଦିରରୁ ଆଦିବାସୀ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ପରବ ମଶାଲକୁ ପ୍ରଜ୍ଜ୍ଵଳିତ କରି କୋରାପୁଟ ସାଂସଦଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ, ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ ହଜାର ହଜାର କଳା ପ୍ରେମୀ ସାଧାରଣ ଜନତା ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ଉଦଘାଟନୀ ଉତ୍ସବ ମଞ୍ଚ ନିକଟକୁ ଆସିଥିଲେ ।
ପରବ ପତାକା ଉତ୍ତୋଳନ, ପରବ ଶପଥ ଗ୍ରହଣ ଏବଂ ପରବ ପୋଷ୍ଟର ଓ ଷ୍ଟିକର ଉନ୍ମୋଚନରେ ଯୋଗ ଦେଇ ମଞ୍ଚାସିନ ଅତିଥି ମାନେ ପରବର ଗୌରବ ଗାଥା ସମ୍ପର୍କରେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ପରିବାରଙ୍କ ସମେତ ଅନ୍ୟାନ୍ୟ ଶହୀଦଙ୍କ ପରିବାରର ସଦସ୍ୟଙ୍କୁ ମଞ୍ଚରେ ସମ୍ମାନିତ କରି ଶହୀଦଙ୍କ ତ୍ୟାଗ ଓ ବଳିଦାନ ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଆଜିଠାରୁ ଆସନ୍ତା ଏକ ମାସ ବ୍ୟାପୀ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ନୃତ୍ୟ ସଙ୍ଗୀତ, ଚିତ୍ରକଳା, କ୍ରୀଡ଼ାର ପ୍ରତିଯୋଗିତାରେ ହଜାର ହଜାର ସଂଖ୍ୟାରେ ସ୍ଥାନିୟ ଲୋକେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିବେ ବୋଲି ଜିଲ୍ଲାପାଳ ଅବଦଲ ଅକ୍ତର ଜଣାଇଛନ୍ତି ।
ଇଟିଭି ଭାରତ, କୋରାପୁଟ