କୋରାପୁଟ: ମଙ୍ଗଳବାର ଜିଲ୍ଲାରେ 18 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାର ବନ୍ଧୁଗାଁ ବ୍ଲକରୁ ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି 15 ଜଣ ହୋମ କ୍ବାରେନଣ୍ଟାଇନର ଥିବାବେଳେ 3 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି ।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବନ୍ଧୁଗାଁ ବ୍ଲକରୁ 10 ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ 8 ଜଣ ବିଏସଏଫ୍ କ୍ୟାମ୍ପର ଯବାନ ଥିବାବେଳେ ନିକଟରେ ସେମାନେ ଆନ୍ଧ୍ରପ୍ରଦେଶରୁ ଫେରିଥିଲେ । ସେହିପରି ଅନ୍ୟ 2 ଜଣ ଦିଲ୍ଲୀରୁ ଫେରିଥିବା ନେଇ ସୂଚନା ରହିଛି । ଅନ୍ୟମାନଙ୍କ ମଧ୍ୟରେ 2 ଜଣ ସୁନାବେଡା କଲ୍ୟାଣ ମଣ୍ଡପ ଟିଏମସିର ଅଛନ୍ତି । ନିକଟରେ ସେମାନେ ହରିୟାଣାରୁ ଫେରିଥିଲେ । ଭିଏସ ବିଦ୍ୟାଳୟ ଟିଏମସିରୁ ଚିହ୍ନଟ ଜଣେ ପଜିଟିଭ ମୁମ୍ବାଇରୁ ଫେରିଥିବା ବେଳେ କୋରାପୁଟ ଗାନ୍ଧୀନଗର ଟିଏମସିରୁ ଚିହ୍ନଟ ପଜିଟିଭ ଦିଲ୍ଲୀରୁ ଫେରିଥିଲେ । ସେହିପରି ବୈପାରୀଗୁଡାରୁ ଚିହ୍ନଟ ଜଣେ ପଜିଟିଭ ତାମିଲନାଡୁରୁ ଫେରିଥିବା ବେଳେ 2 ଜଣ ଜୟପୁରର ଏବଂ ଅନ୍ୟ ଜଣେ ବୋରିଗୁମ୍ମାର ସ୍ବାସ୍ଥ୍ୟକର୍ମୀ ଅଛନ୍ତି । ଏମାନେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ଜଣାପଡିଛି ।
ତେବେ ଚିହ୍ନଟ 18 ପଜିଟିଭ କ୍ବାରେନଣ୍ଟାଇନ ସେଣ୍ଟରରେ ରହିଥିବା ବେଳେ ସାମାଜିକ ସଂକ୍ରମଣ ହୋଇଥିବା ନେଇ ଚାଲିଥିବା ଚର୍ଚ୍ଚାରେ ବିବ୍ରତ ନହେବାକୁ ଜିଲ୍ଲାପାଳ କହିଛନ୍ତି । ଏଥିସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପଜିଟିଭ ବାହାରୁଥିବା ବେଳେ ଜନସାଧାରଣ ମାସ୍କ ପିନ୍ଧିବା ତଥା ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦେବାକୁ ଅନୁରୋଧ କରିଛନ୍ତି ।
ସୂଚନାନୁସାରେ, ଜିଲ୍ଲାରେ ସୋମବାର ସୁଦ୍ଧା 7669ଟି ସାମ୍ପୁଲ ପରୀକ୍ଷା ପାଇଁ ଯାଇଥିବା ବେଳେ 7286ଟି ସାମ୍ପୁଲର ଫଳାଫଳ ହସ୍ତଗତ ହୋଇଛି । ଯେଉଁଥିରେ ସମୁଦାୟ 29 ଜଣ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ 24 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ