କୋରାପୁଟ: ବିଚ୍ଛିନ୍ନାଞ୍ଚଳର ଗାଁରେ ଶୁଭାରମ୍ଭ ହେଲା 108 ବୋଟ ଆମ୍ବୁଲାନ୍ସ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର କୋଲାବ ଜଳ ଭଣ୍ଡାର ଉପର ପାର୍ଶ୍ୱରେ ରହିଥିବା ସିନ୍ଧିପୁଟ ନଦୀ ଘାଟରେ ବୋଟ ଉଦଘାଟନ କରାଯାଇଛି ।
ପୂର୍ବରୁ କୋଲାବ ଜଳ ଭଣ୍ଡାର ଅପର ପଟେ ରହିଥିବା କୁମାର ଗନ୍ଧଣା, ଉମ୍ବେଲ, ବନମାଲିପୁଟ ଓ ଟିକରପଡା ଗ୍ରାମ ପଞ୍ଚାୟତର ଗର୍ଭବତୀ ଓ ସାଧାରଣ ରୋଗୀ କାଠ ଡଙ୍ଗା ସାହାଯ୍ୟରେ ପାର ହୋଇ ଲମତାପୁଟ ଡାକ୍ତରଖାନାକୁ ଯାଉଥିଲେ । ଏବେ ଅଳ୍ପ ସମୟ ବ୍ୟବଧାନରେ ଲମତାପୁଟ ଡାକ୍ତରଖାନାରେ ରୋଗୀ ପହଞ୍ଚିପାରିବେ । ଏହି 108 ବୋଟ ଆମ୍ବୁଲାନ୍ସ ଦ୍ୱାରା ବିଚ୍ଛିନ୍ନାଞ୍ଚଳରେ ରହିଥିବା 21 ଖଣ୍ଡ ଗାଁର ପ୍ରାୟ ୨୦ ହଜାର ଲୋକେ ଉପକୃତ ହୋଇପାରିବେ ବୋଲି କହିଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମକରନ୍ଦ ବେଉରା ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ