କୋରାପୁଟ: ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହେବା ପରେ ଶନିବାର ଏହାର ଯାଞ୍ଚ ହୋଇଛି । ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ଆସନ ପର୍ଯ୍ୟନ୍ତ ଦାଖଲ ନାମାଙ୍କନ ପତ୍ରଗୁଡିକର ଯାଞ୍ଚ କରାଯାଇଛି । ଯାଞ୍ଚ ସମୟରେ କୋରାପୁଟରେ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ଦାଖଲ ହୋଇଥିବା ସମୁଦାୟ ୧୩୧ଟି ନାମାଙ୍କନ ପତ୍ରରୁ ୧୦ଟି ନାକଚ ହୋଇଯାଇଛି । ଏବେ କୋଟିଆ ଓ ନାରାୟଣପାଟଣା ଜିଲ୍ଲା ପରିଷଦ ଆସନ ପାଇଁ ନିର୍ବାଚନର ସ୍ଥିତି ଚର୍ଚ୍ଚାର ବିଷୟ ପାଲଟିଛି ।
କୋଟିଆରେ ସର୍ବଦଳୀୟ ପ୍ରାର୍ଥୀଙ୍କ ସମେତ ଦୁଇ ଜଣ ସ୍ବାଧୀନ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଛି । ଯାହାଫଳରେ କୋଟିଆରେ ତ୍ରିମୁଖୀ ନିର୍ବାଚନର ସମ୍ଭାବନାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଅପରପକ୍ଷେ, ନାରାୟଣପାଟଣା ଜିଲ୍ଲା ପରିଷଦ ଆସନା ପାଇଁ ଆଦିବାସୀ ନେତା ନାଚିକା ଲିଙ୍ଗା ଓ ତାଙ୍କ ପୁଅ ରବୀନ୍ଦ୍ର ନାଚିକାଙ୍କ ନାମାଙ୍କନ ପତ୍ର କାଏମ ରହିବା ପରେ ସ୍ଥିତି ଅତ୍ୟନ୍ତ ରୋଚକପୂର୍ଣ୍ଣ ହୋଇଛି । ଆସନ୍ତା 25 ତାରିଖ ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ହୋଇଥିବାରୁ ତା' ପରେ ସ୍ଥିତି କିପରି ରହିବ ସେନେଇ ଅଙ୍କ କଷା ଚାଲିଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ