ଭୁବନେଶ୍ବର: ବିନା ପାଠ ପଢାରେ ଫାର୍ମାସି ଛାତ୍ର । ଫାର୍ମା ଲାଇସେନ୍ସ ପାଇଁ ଡ୍ରଗ୍ସ ଅଫିସରେ କରିଥିଲେ ଆବେଦନ । ଜାଲ ଫାର୍ମାସି ସାର୍ଟିଫିକେଟରେ ଆବେଦନ କରିଥିବା ବେଳେ ଡ୍ରଗ୍ସ ଅଫିସରେ ଭେରିଫିକେସନରେ ଧରାପଡ଼ିଲେ ଦଲାଲ । ଜାଲ ଡିପ୍ଲୋମା ସାର୍ଟିଫିକେଟ ସହ ପରିଚୟ ପତ୍ର ଜବତ ହୋଇଛି । ଏନେଇ ଅଭିଯୋଗ ପରେ ଫାର୍ମାସି ଦଲାଲକୁ ଟେକିନେଲା କମିଶନରେଟ ପୋଲିସ । ଏବେ ଛାଡି ଦେବାକୁ ଥାନାରେ ହାତଯୋଡି ନେହୁରା ହେଉଛି ଦଲାଲ ।
ବ୍ୟକ୍ତି ଜଣଙ୍କ ହେଉଛନ୍ତି ବଲାଙ୍ଗୀରର ସିନ୍ଧିକେଲାର ଅରୁଣଲାଲ ଜେନ । ବର୍ତ୍ତମାନ ପୋଲିସ ଅରୁଣଲାଲ ଜେନଙ୍କୁ ଅଟକ ରଖି ପଚରାଉଚରା କରୁଛି । କିଭଳି ସାର୍ଟିଫିକେଟ ହାତେଇଥିଲେ, ଏହା ପଛରେ କିଭଳି ରାକେଟ ଅପରେଟ ହେଉଛି । କାହାପାଇଁ ସାର୍ଟିଫିକେଟ ଆବେଦନ କରିଥିଲେ । ଆଗରୁ ଏପରି କରିଛନ୍ତି ନା ଏହା ପ୍ରଥମ ଥର ଏନେଇ ତଦନ୍ତ ଚଳାଇଛି ସହିଦନଗର ଥାନା ପୋଲିସ ।
ମିଳିଥିବା ସୂଚନା ଅନୁଯାୟୀ, ବିଭିନ୍ନ ନାମିଦାମୀ ରିଟେଲ କମ୍ପାନୀ ଫାର୍ମା ଷ୍ଟୋର ଖୋଲୁଛନ୍ତି । ଏଥିପାଇଁ ଆବଶ୍ୟକ ପଡୁଛି ଫାର୍ମା ଲାଇସେନ୍ସ । ଯାହାର ଜରିଆରେ ଡ୍ରଗସ୍ କଣ୍ଟୋଲରଙ୍କ ଅନୁମତି କ୍ରମେ ଯେକେହିବି ଫାର୍ମା ଲାଇସେନ୍ସରେ ମେଡିସିନ ଷ୍ଟୋର ଖୋଲିବାକୁ ଅନୁମତି ରହିଛି । ତେବେ ଏହି ଲାଇସେନ୍ସ ଯେଉଁ ମାନେ ଫାର୍ମାସି ପାଠ ପଡିଥାନ୍ତି ସେମାନଙ୍କ ନାଁରେ ଇସ୍ୟୁ କରାଯାଏ । କିନ୍ତୁ ଆଜିକାଲି ଅନେକ କମ୍ପାନୀ ଓ ବ୍ୟବସାୟୀ ଫାର୍ମାସିଷ୍ଟଙ୍କ ସାର୍ଟିଫିକେଟକୁ ଭଡ଼ାରେ ଆଣି ଅର୍ଥାତ୍ ମାସକୁ କିଛି ଅର୍ଥ ବଦଳରେ ଲାଇସେନ୍ସ ଆଣୁଛନ୍ତି । ଯାହାର ମାଧ୍ୟମରେ ମେଡିସିନ ଷ୍ଟୋର ବା ଫାର୍ମା ଷ୍ଟୋର ଖୋଲୁଛନ୍ତି ।
ଆବଶ୍ୟକତା ଦୃଷ୍ଟିରୁ ଅନେକ ଛାତ୍ର ଛାତ୍ରୀ ଫାର୍ମାସିଷ୍ଟ ସାର୍ଟିଫିକେଟ ଜରିଆରେ ଫାର୍ମା ଲାଇସେନ୍ସ ଆବେଦନ କରି ଲାଇସେନ୍ସ ନେଉଛନ୍ତି । ଉପରେ ମାସିକ ୨ରୁ ୩ହଜାର ଟଙ୍କାରେ ଭଡ଼ାରେ ଦେଉଛନ୍ତି । ଏନେଇ ଫାର୍ମା ଲାଇସେନ୍ସର ବହୁତ ଡିମାଣ୍ଡ ରହୁଛି। ଯାହାକୁ ନେଇ ଦଲାଲ କିଛି ଅସାଧୁ ଉପାୟରେ ଏହି ଲାଇସେନ୍ସ ପାଇବାକୁ ଏପରି ବାଟ ଆପଣାଇଛନ୍ତି । କିଛି ଅନାମଧେୟ କଲେଜ ନାଁରେ ଡିପ୍ଲୋମା ଫାର୍ମାସି କରିଥିବା ଫର୍ଜି ସାର୍ଟିଫିକେଟ ତିଆରି କରି ଫାର୍ମା ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି । ଏଭଳି ଢଙ୍ଗରେ ଜାଲ ଫାର୍ମାସି ସାର୍ଟିଫିକେଟ କରି ଲାଇସେନ୍ସ ପାଇଁ ଆବେଦନ କରିଥିବାବେଳେ, ଜଣେ ଦଲାଲ ଏବେ ଧରାପଡିଛି ।
ଏନେଇ ଜଣେ ଫାର୍ମାସିଷ୍ଟ ଅଜିତ ପରିଡା କହିଛନ୍ତି, ''ରାଜ୍ୟରେ ଫାର୍ମାସିଷ୍ଟ ଛାତ୍ର ଛାତ୍ରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ନାହିଁ । ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ପିଲା ପାସ ଆଉଟ୍ ହେଉଛନ୍ତି । ଚାକିରି ନପାଇ ଶେଷରେ ଭଡ଼ାରେ ଲଗାଉଛନ୍ତି ସାର୍ଟିଫିକେଟ । ଯାହାକୁ ନେଇ ଦି ପଇସା ରୋଜଗାର ପାଇଁ ଫାର୍ମା ଲାଇସେନ୍ସକୁ ବିକ୍ରି କରୁଛନ୍ତି । ତେବେ ଏହାର ଫାଇଦା ନେଇ ଦଲାଲମାନେ ଏପରି କାରବାର କରୁଛନ୍ତି । ଏଥିରେ ଯେଉଁ ପିଲାଟି ପାଠ ପଢି ଫାର୍ମାସିଷ୍ଟ ହେଉଛି ସେ ବେରୋଜଗାର ରହୁଛି ।
ହେଲେ ଯିଏ ଦଲାଲ ସିଏ ମାଲମାଲ ହେଉଛି । ଏହାର ତଦନ୍ତ ହେଲେ ଅନେକ ବଡ଼ ବଡ଼ ହସ୍ପିଟାଲ କତ୍ତୃପକ୍ଷ ଓ ଫାର୍ମା ରିଟେଲ କମ୍ପାନୀ ଓ ମେଡ଼ିସିନ ଷ୍ଟୋର ବ୍ୟବସାୟୀଙ୍କ ଅସାଧୁ କାରବାର ପଦାକୁ ଆସିପାରିବ । ଯେଉଁମାନେ ଏଭଳି କିଛି ଦଲାଲଙ୍କୁ ପ୍ରୋତ୍ସାହନ ଦେଉଛନ୍ତି । ଫଳରେ ଦଲାଲ ମାନେ ବିନା ଭୟରେ ଏସବୁ କାରସାଦି କରୁଛନ୍ତି। କମିଶନରେଟ ପୋଲିସ ଏହାର ଖୁଲାସା କରିବା ଦରକାର ।
ଇଟିଭି ଭାରତ, ଭୁବନେଶ୍ବର