ଖୋର୍ଦ୍ଧା: ପୂର୍ବ ଶତ୍ରୁତାରୁ ଗଡିଲା ମୁଣ୍ଡ। କାଠ ଫାଳିଆରେ ପିଟିପିଟି ଯୁବକଙ୍କୁ ନିର୍ମମ ହତ୍ୟା । ଜମିବାଡ଼ି ବିବାଦକୁ ନେଇ ବ୍ୟକ୍ତିଙ୍କୁ ପିଟିପିଟି ନିର୍ମ ହତ୍ୟା କଲେ ପଡୋଶୀ । ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ହରିପୁର ଗ୍ରାମରେ ଏଭଳି ହତ୍ୟାକାଣ୍ଡ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି କୃଷ୍ଣଚନ୍ଦ୍ର । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ 4ଜଣଙ୍କୁ ଗିରଫ କରିଛି ଓ 2ଜଣ ଫେରାର ରହିଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ମୃତ ଯୁବକ ଜଣକ ସେହି ଗାଁରେ ବାରମ୍ବାର ଗଣ୍ଡଗୋଳ କରୁଥିବାରୁ ତାଙ୍କ ସ୍ତ୍ରୀ ଓ ପିଲା ବହୁ ପୁର୍ବରୁ ତାଙ୍କୁ ଛାଡି ଅନ୍ୟତ୍ର ରହୁଛନ୍ତି । ତେବେ କୌଣସି କାରଣକୁ ନେଇ କୃଷ୍ଣଚନ୍ଦ୍ର ଓ ତାଙ୍କ ପଡୋଶୀ ନିତେଇ ମାଝୀଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହା ପରେ ଗଣ୍ଡଗୋଳ ଉଗ୍ର ରୁପ ଧାରଣ କରିଥିଲା । ନିତେଇ ମାଝୀଙ୍କ ୩ ପୁଅ ଧରମା, ସୁମନ୍ତ ଓ ରବିନ୍ଦ୍ର ଉତ୍ୟକ୍ତ ହୋଇ କୃଷ୍ଣଚନ୍ଦ୍ରଙ୍କୁ କାଠ ଫାଳିଆରେ ମାଡ ମାରିଥିଲେ । ଫଳରେ କୃଷ୍ଣଚନ୍ଦ୍ର ମାଝୀ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ । ପରେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନସ ଯୋଗେ ଗୁରୁତର କୃଷ୍ଣଚନ୍ଦ୍ରଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର କୃଷ୍ଣଚନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ ।
ଏ ନେଇ ମୃତ କୃଷ୍ଣଚନ୍ଦ୍ରଙ୍କ ମାଆ ବଦନୀ ମାଝି ନିରାକାରପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ନିତେଇ ମାଝୀ,ତାର ପତ୍ନୀ ଭାରତୀ ମାଝୀ ସହ ପୁଅ ଧରମା ମାଝୀ ଓ ରବିନ୍ଦ୍ର ମାଝୀକୁ ଗିରଫ କରିଛି । ଏହି ଘଟଣାରେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଥିବା ବେଳେ ସେମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । କୃଷ୍ଣଚନ୍ଦ୍ରଙ୍କ ମୃତଦେହକୁ ଆଜି ଖୋର୍ଦ୍ଧା ମେଡିକାଲରେ ବ୍ୟବଚ୍ଛେଦ କରାଯିବ ବୋଲି ଜଣା ପଡିଛି ।
ଏହା ମଧ୍ୟ ପଢନ୍ତୁ-କୁକୁଡା ଚୋରିକୁ ନେଇ ଏସିଡ ମାଡ, ଗୋଟିଏ ପରିବାରର ୪ ଗୁରୁତର
ତେବେ ପୂର୍ବରୁ ଜମିବାଡିକୁ ନେଇ କୃଷ୍ଣଚନ୍ଦ୍ର ଓ ପଡୋଶୀ ନିତେଇ ମାଝୀଙ୍କ ମଧ୍ୟରେ ବିବାଦ ରହିଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବାରୁ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରିଥିଲେ ନିତେଇ ମାଝୀଙ୍କ ତିନି ପୁଅ। ପୂର୍ବ ଶତୃତା ଲାଗି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି।
ଇଟିଭି ଭାରତ, ଖୋର୍ଦ୍ଧା