ଖୋର୍ଦ୍ଧା: ଜିଲ୍ଲା ବଡ଼ସିରେଇପୁର ଗ୍ରାମ ସନ୍ତୋଷ ମହାରାଣା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ । ଏନେଇ ଶନିବାର ବାଣପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ । ଏସଡ଼ିପିଓଙ୍କ ସୂଚନା ମୁତାବକ ଏକତରଫା ପ୍ରେମ ଲାଗି ଏହି ହତ୍ୟାକାଣ୍ଡ ଘଟିଛି । ଘଟଣାରେ ସମୁଦାୟ ୬ ଜଣ ଅଭିଯୁକ୍ତଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରୁ ୩ ଜଣ ନାବାଳକ ଥିବାବେଳେ ଅନ୍ୟ ୩ ଜଣ ପ୍ରାପ୍ତ ବୟସ୍କ ଅଛନ୍ତି ।
ହତ୍ୟାକାଣ୍ଡ ଘଟାଇଥିବା ମୁଖ୍ୟ ନାବାଳକ ଏବଂ ମୃତକ ସନ୍ତୋଷ ମହାରଣା ଉଭୟେ ଗୋଟିଏ ଝିଅକୁ ଏକତରଫା ପ୍ରେମ କରୁଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ଏକାଧିକ ଥର ଝଗଡା ମଧ୍ୟ ହୋଇଥିଲା । ତେବେ ଯେହେତୁ ସନ୍ତୋଷ ମୁଖ୍ୟ ଅଭିଯୁକ୍ତ ନାବାଳକଙ୍କ ଠାରୁ ବୟସରେ ବଡ଼ ଥିଲେ ତେଣୁ ତାଙ୍କୁ ପ୍ରତିବାଦ କରିବାର ସାହସ ନାବାଳକର ନ ଥିଲା । ତେଣୁ ଏ କ୍ଷେତ୍ରରେ ମୁଖ୍ୟ ନାବାଳକଙ୍କୁ ଭଗବାନ ଦାସ, ଧୀରେନ୍ଦ୍ର ସ୍ୱାଇଁ, ବିଚିତ୍ର ସାମଲ ନାମକ ତିନି ଜଣ ପ୍ରାପ୍ତ ବୟସ୍କ ବ୍ୟକ୍ତିମାନେ ସନ୍ତୋଷଙ୍କୁ ହତ୍ୟା କରିବା ପାଇଁ ଉସକାଇବା ସହ ଦରକାର ପଡିଲେ ଏଥିପାଇଁ ତାଙ୍କୁ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।
ପୂର୍ବ ଯୋଜନା ମୁତାବକ ଘଟଣା ଦିନ ସମ୍ପୃକ୍ତ ଝିଅର ଜଣେ ନାବାଳକ ମାମୁଁଙ୍କ ସହିତ ସନ୍ତୋଷଙ୍କ ଝଗଡା ଓ ମାରପିଟ ହୋଇଥିଲା । ଏହାପରେ ମୁଖ୍ୟ ନାବାଳକ ଏବଂ ଅନ୍ୟ ଦୁଇ ନାବାଳକ ମିଶି ସନ୍ତୋଷଙ୍କ ସହ ପୁଣି ଝଗଡା କରିଥିଲେ । ସେହି ସମୟରେ ଆଉ ଜଣେ ନାବାଳକ ମୁଖ୍ୟ ନାବାଳକଙ୍କୁ ଏକ ଛୁରୀ ଦେଇଥିଲେ । ଯାହାଦ୍ୱାରା ମୁଖ୍ୟ ଅଭିଯୁକ୍ତ ଉକ୍ତ ଛୁରୀରେ ସନ୍ତୋଷଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ଏହାପରେ ସମସ୍ତ ତିନି ନାବାଳକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ପୋଲିସ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣ ନାବାଳକ ଏବଂ ତିନି ଜଣ ପ୍ରାପ୍ତ ବୟସ୍କ ଅଭିଯୁକ୍ତମାନଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ନାବାଳକ ଅଦ୍ୟାବଧି ଫେରାର ଅଛି ।
ଦୁଇ ନାବାଳକଙ୍କୁ ଆଜି ଜୁଭେନାଇଲ ଜଷ୍ଟିସ ବୋର୍ଡ଼ଙ୍କ ସମ୍ମୁଖରେ ହାଜର କରାଯିବା ସହ ଅନ୍ୟ ପ୍ରାପ୍ତ ବୟସ୍କ ଅଭିଯୁକ୍ତମାନଙ୍କୁ ବାଣପୁର କୋର୍ଟରେ ହାଜର କରାଯିବ ବୋଲି ଏସଡ଼ିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ