ଭୁବନେଶ୍ବର: କେବେ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ପାଇବ ଆଦିବାସୀ ଭାଷା ହୋ, ମୁଣ୍ଡାରି ଏବଂ ଭୁମିଜକୁ । ସଂସଦରେ ବାରମ୍ବାର ବିଜେଡି ସାଂସଦଙ୍କ ଦାବି ପରେବି ଆଦିବାସୀ ଭାଷା ପ୍ରତି ବିଜେପିର ଆନ୍ତରିକତା ନାହିଁ। ବିଜେପି ମନ୍ତ୍ରୀ ଓ ସାଂସଦ ଏନେଇ ମୁହଁ ଖୋଲୁ ନାହାନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତି ହେମ୍ବ୍ରମ ଓ ଭାଷା ପ୍ରତିନିଧି ।
ସୋମବାର ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଛନ୍ତି ଯେ, ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଏହି ତିନି ଆଦିବାସୀ ଭାଷାକୁ ଅନ୍ତର୍ଭୁକ୍ତ କରିବାର ଆବଶ୍ୟକତା ଅଛି । ରାଜ୍ୟରେ ଅନୁସୂଚିତ ଜନଜାତିର ଜନସଂଖ୍ୟା ୨୨.୮୫ ପ୍ରତିଶତରୁ ଅଧିକ । ଓଡିଶାରେ ୬୨ଟି ଆଦିବାସୀ ସମ୍ପ୍ରଦାୟ ବାସ କରନ୍ତି । ଯେଉଁଥିରେ ୧୩ଟି ବିଶେଷ ଭାବରେ ବିଲୁପ୍ତ ପ୍ରାୟ ଆଦିବାସୀ ସମ୍ପ୍ରଦାୟ ବା ପିଭିଟିଜି ଅନ୍ତର୍ଭୁକ୍ତ । ଏହି ତିନୋଟି ଭାଷା ହୋ, ମୁଣ୍ଡାରି ଏବଂ ଭୂମିଜ କହୁଥିବା ଆଦିବାସୀ ସମ୍ପ୍ରଦାୟ ସେମାନଙ୍କ ଭାଷାକୁ ସମ୍ବିଧାନରେ ସାମିଲ କରିବା ପାଇଁ ଦୀର୍ଘଦିନ ଧରି ଦାବି କରି ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପୂର୍ବରୁ ଭାରତର ଗୃହମନ୍ତ୍ରୀଙ୍କୁ ଚିଠି ଲେଖି ଏହି ତିନୋଟି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବାକୁ ଅନୁରୋଧ କରିଛନ୍ତି । ବିଜୁ ଜନତା ଦଳର ସାଂସଦମାନେ ମଧ୍ୟ ସଂସଦରେ ଏହି ଦାବି ବାରମ୍ବାର ଉଠାଇଛନ୍ତି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ ଓଡ଼ିଶାର ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀମାନେ, ବିଶେଷକରି ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟର ମନ୍ତ୍ରୀ ଓ ସାଂସଦମାନେ ଏହି ପ୍ରସଙ୍ଗରେ ଚୁପ୍ ରହିବା । ସଂସଦରେ କିମ୍ବା ଅନ୍ୟ କୌଣସି ପ୍ଲାଟଫର୍ମରେ ଏହି ପ୍ରସଙ୍ଗରେ କଦାପି ସ୍ୱର ଉତ୍ତୋଳନ କରୁ ନାହାନ୍ତି ।
ହୋ' ଭାଷା ପ୍ରତିନିଧି ଧର୍ନୁଜୟ ସିଦ୍ଧୁ କହିଛନ୍ତି ଯେ, ହୋ ଭାଷା ଓଡ଼ିଶା ଏବଂ ଝାଡଖଣ୍ଡରେ ରହୁଥିବା ପ୍ରାୟ ୧୦ ଲକ୍ଷ ଆଦିବାସୀଙ୍କ ଦ୍ୱାରା କଥିତ ଭାଷା । ଅଷ୍ଟମ ଅନୁଚ୍ଛେଦରେ ସାମିଲ ହୋଇସାରିଥିବା ସାନ୍ତାଳି ପରେ ହୋ ହେଉଛି ଓଡିଶାରେ ବହୁଳ ଭାବେ କୁହାଯାଉଥିବା ଦ୍ୱିତୀୟ ଆଦିବାସୀ ଭାଷା ।
ଭାରତ ମୁଣ୍ଡା ସମାଜର ଓଡ଼ିଶା ସଭାପତି ତଥା ସର୍ବଭାରତୀୟ ମୁଣ୍ଡାରୀ ଭାଷା ଶିକ୍ଷା ବୋର୍ଡର ଅଧ୍ୟକ୍ଷ ରବୀନ୍ଦ୍ର ନାଥ ସିଂହ କହିଛନ୍ତି ଯେ, ସମଗ୍ର ଦେଶରେ ପ୍ରାୟ ୭୫ ଲକ୍ଷ ଲୋକ ମୁଣ୍ଡାରୀ ଭାଷା କହୁଛନ୍ତି । ଓଡିଶା, ଝାରଖଣ୍ଡ, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଏହି ଭାଷା ପ୍ରଚଳିତ । ଓଡ଼ିଶାର ୮ ଲକ୍ଷରୁ ଅଧିକ ଲୋକେ ମୁଣ୍ଡାରୀ ଭାଷା କହିଥାଆନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ବିଜେଡି ସରକାର ପ୍ରାଥମିକ ସ୍ତରରେ ଏହି ଭାଷାରେ ଶିକ୍ଷାଦାନ ଲାଗି ୨୫୦ ଜଣ ପ୍ରାଥମିକ ଶିକ୍ଷକ ନିଯୁକ୍ତ କରିଛନ୍ତି । ମୁଣ୍ଡାରୀ ଭାଷାର ନିଜସ୍ୱ ଲିପି ରହିଛି । ଯାହାର ନାଁ ହେଉଛି ‘ମୁଣ୍ଡାରୀ ବାଣୀ’ ।
ଆଦିବାସୀ ଭାଷାକୁ ମାନ୍ୟତା ଦେବା ପାଇଁ ଓଡିଶା ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ସହିତ ଆଦିବାସୀଙ୍କ ସଶକ୍ତିକରଣ ତଥା ବିକାଶ ଦିଗରେ କାର୍ଯ୍ୟ କରି ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଲକ୍ଷ ଆଦିବାସୀ ବାଳିକାମାନଙ୍କୁ ହଷ୍ଟେଲ ଯୋଗାଇ ଦେଇଛନ୍ତି । ଓଡିଶାର ୨୩ଟି ଜିଲ୍ଲାରେ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ କରିଛନ୍ତି । ଯାହାକି ଆଦିବାସୀ ସଂସ୍କୃତିର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର, ଦେଶୀୟ ଜ୍ଞାନକୁ ସ୍ୱୀକୃତି ଏବଂ ଆଦିବାସୀ ସଂସ୍କୃତି, ପରମ୍ପରା ଏବଂ ପ୍ରଥାଗୁଡ଼ିକର ଦସ୍ତାବିଜ ପ୍ରସ୍ତୁତି ଦିଗରେ କାର୍ଯ୍ୟ କରୁଛି । ଏଭଳି ସ୍ଥିତିରେ ଉପରୋକ୍ତ ତିନି ଆଦିବାସୀ ଭାଷାକୁ ତୁରନ୍ତ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ଦେବା ପାଇଁ ବିଜେଡି ପକ୍ଷରୁ ଦାବି ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର