ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ସୁରୁଖୁରୁରେ କରାଇବା ଲାଗି ପ୍ରସ୍ତୁତି ଜୋରଦାର କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ନେଇ ଶୁକ୍ରବାର ସର୍ବଦଳୀୟ ବୈଠକ କରିଛନ୍ତି । ନିର୍ବାଚନ ମଣ୍ଡଳୀର ସବୁ ବୁଥରେ ୱେବ କାଷ୍ଟିଙ୍ଗ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ।
ଉପନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନଙ୍କ ଦ୍ୱାରା କୌଣସି ଲୋଭନୀୟ ପ୍ରସ୍ତାବ କିମ୍ବା ଆର୍ଥିକ ସହାୟତା ଭୋଟରଙ୍କୁ ଯଚାଯାଇ ପାରିବ ନାହିଁ । ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀମାନେ କିମ୍ବା ରାଜନୈତିକ ଦଳମାନେ ପ୍ରଚାର ଗାଡ଼ିରେ ମାଇକ ବାନ୍ଧି ରାତି ୧୦ ରୁ ସକାଳ ୬ ପର୍ଯ୍ୟନ୍ତ ପ୍ରଚାର କରିପାରିବେ ନାହିଁ । ଆଦର୍ଶ ଆଚରଣ ବିଧି ଜିଲ୍ଲାରେ ବଳବତ୍ତର ଥିବାବେଳେ କୌଣସି ପ୍ରକାରର ଅନୁଦାନ ଯଥା ବିଧାୟକ କିମ୍ବା ସାଂସଦ ପାଣ୍ଠିରୁ ଅନୁଦାନ ଅର୍ଥ ପ୍ରଦାନ କରାଯାଇପାରିବ ନାହିଁ । ପୂର୍ବରୁ ଚାଲୁ ରହିଥିବା ସମସ୍ତ ପ୍ରକାରର ଉନ୍ନତିମୂଳକ କାର୍ଯ୍ୟ ଚାଲୁ ରହିବ । ନୂତନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇପାରିବ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସର୍ବଦଳୀୟ ବୈଠକରେ ସୂଚନା ଦେଇଛନ୍ତି ।
ଏଥର ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଥିବା ସବୁ ବୁଥରେ ଶତ ପ୍ରତିଶତ ୱେବ କାଷ୍ଟିଙ୍ଗର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଉପନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀ ଓ ବିଭିନ୍ନ ରାଜନୈତିକ ଦଳର ତାରକା ପ୍ରଚାରକମାନେ ଯେଉଁସବୁ ଗାଡ଼ି ବ୍ୟବହାର କରିବେ ପୂର୍ବରୁ ସେମାନେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କଠାରୁ ଅନୁମତି ନେଇ ନିର୍ବାଚନ ପ୍ରଚାରରେ ଗାଡ଼ି ବ୍ୟବହାର କରିପାରିବେ । ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରିବା ନିମନ୍ତେ ରାଜନୈତିକ ଦଳର କର୍ମକର୍ତ୍ତାମାନେ ସହଯୋଗ କରିବା ପାଇଁ ସିଇଓ ନିବେଦନ କରିଛନ୍ତି ।
ଅପରାଧପ୍ରବଣ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କ ଅବଗତି ନିମନ୍ତେ ସେମାନଙ୍କ ଅପରାଧ ପୃଷ୍ଠଭୂମି ସଂପର୍କରେ ଅତିକମରେ ତିନିଥର ଗଣମାଧ୍ୟମ ଜରିଆରେ ପ୍ରଚାର ପ୍ରସାର କରିବେ । ସଂପୃକ୍ତ ରାଜନୈତିକ ଦଳମାନେ ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ସେମାନଙ୍କ ପ୍ରାର୍ଥୀମାନଙ୍କ ଅପରାଧ ସଂପର୍କରେ ଗଣମାଧ୍ୟମରେ ଅତିକମରେ ତିନିଥର ନିର୍ଦ୍ଧାରିତ ସମୟ ବ୍ୟବଧାନରେ ପ୍ରଚାର ପ୍ରସାର କରାଇ ଜନସାଧାରଣଙ୍କୁ ଅବଗତ କରାଇବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସର୍ବଦଳୀୟ ବୈଠକରେ ସୂଚନା ଦେଇଛନ୍ତି ।
ଭାରତ ନିର୍ବାଚନ ଆୟୋଗଙ୍କ ଉପନିର୍ବାଚନ ଘୋଷଣା ଅନୁସାରେ ଏପ୍ରିଲ ୧୩ ତାରିଖରେ ଗେଜେଟ ନୋଟିଫିକେସନ ପ୍ରକାଶ ପାଇବ । ଏପ୍ରିଲ ୨୦ ତାରିଖରେ ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ, ୨୧ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ଏପ୍ରିଲ ୨୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ଧାର୍ଯ୍ୟ ହୋଇଛି । ମେ' ୧୦ ତାରିଖରେ ଭୋଟ ଗ୍ରହଣ ହୋଇ ୧୩ ତାରିଖରେ ମତ ଗଣନା ହେବ । ଏହାସହ ମେ' ମାସ ୧୫ ତାରିଖ ସୁଦ୍ଧା ଉପନିର୍ବାଚନ ସଂପର୍କିତ ସମସ୍ତ ପ୍ରକ୍ରିୟା ଶେଷ ହେବ । ଉପନିର୍ବାଚନ ଘୋଷଣା ଦିନଠାରୁ ସମଗ୍ର ଝାରସୁଗୁଡ଼ା ଜିଲ୍ଲାରେ ଆଦର୍ଶ ଆଚରଣବିଧି ଲାଗୁ କରାଯାଇଛି ।
ବୈଠକରେ ଏନସିପିରୁ ବିକ୍ରମ ସ୍ୱାଇଁ, ବହୁଜନ ସମାଜ ପାର୍ଟିରୁ ମଧୁସୂଦନ ଯାଦବ, ସିପିଆଇ (ଏମ)ର ଦୁଷ୍ମନ୍ତ କୁମାର ଦାସ, ଭାରତୀୟ ଜାତୀୟ କଂଗ୍ରେସର ଶିବାନନ୍ଦ ରାୟ, ଭାରତୀୟ ଜନତା ପାର୍ଟିର ସଜନ ଶର୍ମା ଓ ବିଜେପି ଓଡ଼ିଶା ଶାଖାର ଉପସଭାପତି ଅନୀତା ଶୁଭଦର୍ଶିନୀ ଓ ଠାକୁର ରଞ୍ଜିତ ସିଂହ, ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ସହ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର