ଖୋର୍ଦ୍ଧା: ବିଶ୍ଵବ୍ୟାପୀ ମହାମାରୀ କରୋନା ପ୍ରଭାବରୁ ବାଦ ପଡ଼ିନାହିଁ ଖୋର୍ଦ୍ଧା ଜିଲ୍ଲାର ବାଣପୁର ସହର । ଦିନକୁ ଦିନ କରୋନାର ପ୍ରଭାବ ବୃଦ୍ଧିପାଉଥିବା ବେଳେ ବାଣପୁର ସହରରେ ଦେଖାଦେଇଛି ମାସ୍କର ଅଭାବ । ଡାକ୍ତରଖାନାରେ ମାସ୍କ ମିଳୁନଥିବା ବେଳେ ବଜାରରେ ଚଢାଦରରେ ବିକ୍ରି ହେଉଛି ମାସ୍କ, ଯାହାକୁ ସାଧାରଣ ଲୋକମାନେ କିଣିବାକୁ ଅସମର୍ଥ ପ୍ରକାଶ କରୁଛନ୍ତି ।
ଏଥିପାଇଁ ଜନସାଧାରଣଙ୍କୁ ସମ୍ପୂର୍ଣ୍ଣ ନିଃଶୁଳ୍କ ଭାବେ ମାସ୍କ ଯୋଗେଇଦେବାକୁ ଅଣ୍ଟା ଭିଡିଛି ବାଣପୁର ସହରର ଅଗ୍ରଣୀ ମହିଳା ସିଲେଇ ତାଲିମ କେନ୍ଦ୍ର ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନ ଦୀପକ ଫ୍ୟାସନ ଡ଼ିଜାଇନିଂ ସେଣ୍ଟର ଓ ଏବିଭିପି l ବିଗତ ତିନି ଦିନ ହେଲା ଦିନରାତି ଏକ କରି ଏହି ଅନୁଷ୍ଠାନର ସଦସ୍ୟମାନେ ତିଆରି କରିଛନ୍ତି ପାଖାପାଖି ପନ୍ଦର ଶହ ମାସ୍କ l
ଶନିବାର ସକାଳେ ସରକାରୀ କଟକଣାକୁ ଆଖିରେ ରଖି ବାଣପୁରର ବିଭିନ୍ନ ଅଞ୍ଚଳ ଯଥା ଲଡ଼ୁକେଶ୍ୱର ଵୃଦ୍ଧାଶ୍ରମ, ଶନି ମନ୍ଦିର, ପୋଲିସ ଷ୍ଟେସନ, ମେଡିକାଲ, କୁମାରାଙ୍ଗ ଛକ, ପଲଟନ ପଡିଆ, କଲେଜ ଛକ, ରଘୁନାଥ ସାହି ଆଦି ପ୍ରମୁଖ ଜାଗାରେ ଏହି ମାସ୍କ ସବୁ ନିଃଶୁଳ୍କରେ ବିତରଣ କରିଥିଲେ । ଏହାସହ କରୋନାର ପ୍ରତିକାର ପାଇଁ ବିଭିନ୍ନ ଉପାୟ ଅବଲମ୍ବନ ପାଇଁ ଜନସାଧାରଣଙ୍କୁ ସଚେତନ କରାଇଥିଲେ ।
ସେହିପରି ଏବିଭିପି ତରଫରୁ ଜନସାଧାରଣମାନଙ୍କୁ ରବିବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ପାଳନ କରାଯାଉଥିବା ଜନତା କର୍ଫ୍ୟୁକୁ ସମର୍ଥନ କରିବାପାଇଁ ସଚେତନ କରାଯାଉଛି । ଏହାସହିତ ସବୁ ଲୋକମାନେ ସ୍ୱଇଚ୍ଛାରେ ଆସନ୍ତାକାଲି(ରବିବାର) ସକାଳ 7 ରୁ ରାତି 9 ଟା ଯାଏଁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିଲା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ