ଖୋର୍ଦ୍ଧା: ଗ୍ରାମବାସୀଙ୍କ ଜମି ଉପରେ ଇଡ଼କୋର ନଜର । ଜମିରେ ଶିଳ୍ପର ବିକାଶ ପାଇଁ ଇଡ଼କୋ ଜମି ଅଧିଗ୍ରହଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଏନେଇ ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିର୍ବାଚନ ମଣ୍ଡଳୀ ଦୁର୍ଗାପୁର ରାଜସ୍ବ ଗ୍ରାମର ଗ୍ରାମବାସୀଙ୍କୁ ଉଚ୍ଛେଦ ନୋଟିସ ଦିଆଯାଇଛି । ଏହାକୁ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁର୍ଗାପୁର ରାଜସ୍ବ ଗ୍ରାମର ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଏପରିକି ପ୍ରତିବାଦରେ ଦୁର୍ଗାପୁର, କାଶିପୁର, ହରିପୁର ପ୍ରଭୃତି ଗ୍ରାମର ଶତାଧିକ ଗ୍ରାମବାସୀ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପରିସରରେ ପ୍ରତିବାଦ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ।
ଶିଳ୍ପ ପ୍ରତିଷ୍ଠା ଆଳରେ ଇଡକୋ ପକ୍ଷରୁ ଜବରଦସ୍ତ ଜମି ଦଖଲ ଲାଗି ନୋଟିସ କରାଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେହିପରି ଇଡ଼କୋ ସରକାରୀ ଜମି ଦଖଲ କରି ନେଉଥିବା ବେଳେ ସ୍ଥାନୀୟ ଅଞ୍ଚଳର କଣ ବିକାଶ କରିଛି ଇଡ଼କୋ ବୋଲି ପ୍ରଶ୍ନ କରିଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ।
ସରକାରୀ ଜମିକୁ ଇଡ଼କୋ ନେଇ ଲାଭବାନ ହେଉଥିବା ବେଳେ ଜମି ହରାଉଥିବା ଗ୍ରାମବାସୀଙ୍କୁ ଦେଉଥିବା ପ୍ରତିଶ୍ରୁତିକୁ ଇଡ଼କୋ ପାଳନ କରୁନଥିବା ସଙ୍ଗୀନ ଅଭିଯୋଗ କରି ପ୍ରତିବାଦ କରିଛନ୍ତି ଜଟଣୀ ବିଧାୟକ । ଏଥିପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ। ଏ ସମ୍ପର୍କରେ ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି ''ଆମର ୯୦ଟି ଗାଁ ରହିଛି । ଏହି ୯୦ଟି ଗାଁର ଜମି ସବୁକୁ ନେଇ ଯାଉଛି ଇଡକୋ । ଏବେ ଠୁ ଆଉ ଇଞ୍ଚେ ଜମି ବି ଇଡକୋ ଦିଆଯିବନି । ଏହି ୯୦ଟି ଗାଁରୁ ଯେଉଁ ଇଡକୋ ଜମି ନେଇଛି ପାଖାପାଖି ୪୦ ହଜାର କୋଟି ଟଙ୍କା ସରକାର ପାଇଛି । ତଥାପି ଏ ଅଞ୍ଚଳରେ ଇଡକୋ କିଛି କାମ କରିନି । ଆମ ସ୍ଥିତିବାନ ଜମି ନେବାକୁ ତମେ କିଏ ? ଯଦି କିଛି ବିଶୃଙ୍ଖଳା ହୁଏ ନିଆଁ ଜଳିବ ।''
ଜମିରେ ଶିଳ୍ପର ବିକାଶ ପାଇଁ ଇଡ଼କୋ ଗ୍ରାମବାସୀଙ୍କୁ ଠକି ଜମି ଅଧିଗ୍ରହଣ କରିନେଇଛି । ଏହାପରେ ବି ଏବେ ଗାଁରେ ବାକି ଥିବା ଜମି ଉପରେ ନଜର ପକାଇଛି ଇଡକୋ । ହେଲେ ଗ୍ରାମବାସୀ ଏଥର ତାଙ୍କର ଜମିକୁ ନିଜେ ଜଗିଛନ୍ତି । ଗ୍ରାମବାସୀ କହିଛନ୍ତି କି, ‘ଆମେ ବଞ୍ଚିଥିବା ଯାଏଁ ଗୋଟେ ଇଞ୍ଚ ଯାଗା ବି ଦେବୁନୁ ଇଡକୋକୁ । ଯଦି ଇଡକୋ ଏନେଇ କିଛି ଚାଲାକି କରେ ପରିସ୍ଥିତି ଭୟଙ୍କର ହେବ ।’
ଇଟିଭି ଭାରତ, ଖୋର୍ଦ୍ଧା