ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗକୁ ଘାରିଛି NAAC ଏବଂ NIRF ରାଙ୍କ ଚିନ୍ତା । ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟ ଗୁଡିକ ଜାତୀୟ ରାଙ୍କରେ ପଛରେ ରହୁଛନ୍ତି । ଯାହାକି ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏନେଇ ବିଶ୍ୱବିଦ୍ୟାଳୟ ଗୁଡିକରେ ଗୁଣାତ୍ମକ ଶିକ୍ଷା ମାନ କମିବାର କାରଣ ଖୋଜିବାକୁ ସମସ୍ତ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ତାଗିଦ କରିଛି ଉଚ୍ଚଶିକ୍ଷା ବିଭାଗ ।
ତେବେ ପୂର୍ବରୁ ରାଜ୍ୟରେ ଥିବା ବିଶ୍ଵବିଦ୍ୟାଳୟ ନାକର ରାଙ୍କ ହରାଇଥିବା ବେଳେ ଏବେ NIRF ରାଙ୍କ କମିଯାଇଛି । ଯାହା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଂ ଫ୍ରେମୱାର୍କ (NIRF) ୨୦୨୩ ତାଲିକାରେ ସ୍ପଷ୍ଟ ହୋଇଛି । ବିଭିନ୍ନ ବର୍ଗକୁ ନେଇ ହୋଇଥିବା ଏହି ରାଙ୍କିଂରେ ପୂର୍ବପରି ଚଳିତ ଥର ମଧ୍ୟ ଓଡ଼ିଶାର ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ନୈରାଶ୍ୟଜନକ ଭାବରେ ପ୍ରଦର୍ଶନ କରିଛନ୍ତି । ରାଜ୍ୟରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକର ଶିକ୍ଷାର ମାନ ଦିନକୁ ଦିନ ତଳକୁ ଖସୁଛି ।
ବିଶେଷ ଭାବରେ ବିଶ୍ଵବିଦ୍ୟାଳୟରେ ଠିକ୍ ଭାବରେ ଭିତ୍ତିଭୂମି ସମେତ ଅଧ୍ୟାପକ ଅଧ୍ୟାପିକାଙ୍କର ପଦବୀ ଖାଲି ପଡିବା ନେଇ ଅନେକ ଜାତୀୟ ସ୍ତରୀୟ ରାଙ୍କରେ ରାଜ୍ୟରେ ଥିବା ବିଶ୍ଵବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଗୁଡ଼ିକର ତଳକୁ ଖସୁଛି । ଯାହାକୁ ନେଇ ଉଚ୍ଚ ଶିକ୍ଷା ବିଭାଗର ଏକ ବୈଠକ ହୋଇଥିଲା । ଯେଉଁଥିରେ ନାକ୍ ମାନ୍ୟତା ଓ NIRF ରାଙ୍କ୍ ଖସିବା ନେଇ ଆଲୋଚନା ହୋଇଥିଲା । ଏଥିସହ କିଭଳି ଭାବରେ ଏଥିରେ ସୁଧାର ଅଣାଯିବ ତାହା ଆଲୋଚନା ହୋଇଥିଲା । ବୈଠକ ପରେ ଉଚ୍ଚଶିକ୍ଷା ବିଭାଗ ସବୁ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଚିଠି କରିଛି ।
ଯେଉଁଥିରେ ଉଲ୍ଲେଖ ଅଛି, ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ କେଉଁ ସବୁ ସମସ୍ୟା ରହିଛି ଆଞ୍ଚଳିକ ନିର୍ଦ୍ଦେଶକମାନେ ତାହା ରିପୋର୍ଟ ମାଧ୍ୟମରେ ବିଭାଗକୁ ଜଣାଇବେ । ଆବଶ୍ୟକ ସ୍ଥଳେ ଆଉଟ୍ ସୋର୍ସିଂ ସଂସ୍ଥାକୁ ମଧ୍ୟ ନିୟୋଜିତ କରିବାକୁ କୁହାଯାଇଛି । ଏହା ସହ ବିଶ୍ଵବିଦ୍ୟାଳୟରେ ଅଧ୍ୟାପକ ଅଧ୍ୟାପିକାଙ୍କ କେତେ ପଦବୀ ଖାଲି ରହିଛି ତାହାର ମଧ୍ୟ ରିପୋର୍ଟ ମାଗିଛି ବିଭାଗ ।
ଏହା ମଧ୍ୟ ପଢନ୍ତୁ- ଉତ୍କଳ ବିଶ୍ବବିଦ୍ୟାଳୟର କାହିଁକି ଖସିଲା ନାକ ଗ୍ରେଡ, ଖୁବ ଶୀଘ୍ର ହେବ ତର୍ଜମା
ସୂଚନା ଅନୁଯାୟୀ, ନିକଟରେ ପ୍ରକାଶ ପାଇଥିବା NIRF ରାଙ୍କ ରିପୋର୍ଟ ଆଧାରରେ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ଉନ୍ନତ ପ୍ରଦର୍ଶନ କରିଥିବା ବେଳେ ରାଜ୍ୟ ସରକାରଙ୍କ କୌଣସି ଗୋଟିଏ ବି ଶିକ୍ଷାନୁଷ୍ଠାନ ସାମଗ୍ରିକ ତାଲିକାରେ ଶ୍ରେଷ୍ଠ ୧୦୦ ଭିତରକୁ ଆସିନାହିଁ । ତେବେ ଦେଶରେ ଶ୍ରେଷ୍ଠ ୧୦୦ ବିଶ୍ଵବିଦ୍ୟାଳୟ ତାଲିକା ରାଜ୍ୟରେ ଗୋଟିଏ ମାତ୍ର ବିଶ୍ଵବିଦ୍ୟାଳୟ ରହିଛି । ସେ ହେଉଛି ଉତ୍କଳ ବିଶ୍ବବିଦ୍ୟାଳୟ। ଯାହା ରାଙ୍କ ଖସି ୯୩ ସ୍ଥାନରେ ରହିଛି । ଏପଟେ ଉତ୍କଳ ବିଶ୍ୱବିଦ୍ୟାଳୟ ନାକ ଗ୍ରେଡ ମଧ୍ୟ ତଳକୁ ଖସିଛି । ତେବେ ଏନେଇ ଉଚ୍ଚ ଶିକ୍ଷା ବିଭାଗର ଉପଦେଷ୍ଠା ତନ୍ମୟ ସ୍ୱାଇଁ କହିଛନ୍ତି ଯେ, "ସରକାର ଚେଷ୍ଟା କରୁଛନ୍ତି କିଭଳି ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିପାରିବେ ରାଜ୍ୟର ଶିକ୍ଷାନୁଷ୍ଠାନ । ସବୁବେଳେ ରିଭ୍ୟୁ କରାଯାଉଛି । ଆଗାମୀ ଦିନରେ ସମସ୍ତ ବିଶ୍ଵବିଦ୍ୟାଳୟ ଗୁଡ଼ିକ ଭଲ ପ୍ରଦର୍ଶନ କରିବ ।’’
ଇଟିଭି ଭାରତ, ଭୁବନେଶ୍ବର