ଭୁବନେଶ୍ବର: ରାଜ୍ୟରେ ବଣ୍ଟନ ହେଉଥିବା ପିଡିଏସ ଚାଉଳ ଅପମିଶ୍ରିତ ହେଉଥିବାର ତଦନ୍ତ କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୁଷ୍ଟିଯୁକ୍ତ ଚାଉଳର ବଣ୍ଟନ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଖାଉଟି ବ୍ୟାପାର ଏବଂ ଖାଦ୍ୟ ଓ ସାଧାରଣ ଯୋଗାଣ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ଭୁବନେଶ୍ବର ଗସ୍ତରେ ଅନ୍ୟ ରାଜ୍ୟର ୬ ପ୍ରଶାସନିକ ଅଧିକାରୀ, ଜାଗା ମିଶନ ଯୋଜନାର କଲେ ପରିଦର୍ଶନ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନାରେ ଭାରତ ବର୍ଷର କୋଟି କୋଟି ଲୋକଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରୁଛି । ଏହି ଯୋଜନାରେ ଅଧିକ ଉପକୃତ ଓଡ଼ିଶା ହୋଇଛି । ପ୍ରାୟ ୩.୨୫ କୋଟି ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନାରେ ଚାଉଳ ପ୍ରଦାନ କରାଯାଉଛି । କିନ୍ତୁ ନିକଟରେ ପିଡିଏସ କାର୍ଯ୍ୟକ୍ରମ ଅନ୍ତର୍ଗତ ଦିଆଯାଉଥିବା ଚାଉଳ ନେଇ ଜନସାଧାରଣଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିବା ଜଣାପଡିଛି । କୋରାପୁଟ ଜିଲ୍ଲାର ଲମତାପୁଟ, ବାଲେଶ୍ୱରର ସଦର ବ୍ଲକ ତଥା ସୁନ୍ଦରଗଡ଼ ଜିଲ୍ଲାର ବଡବାହାଲ ଠାରେ ପିଡିଏସ ଚାଉଳ ବଣ୍ଟନ ପରେ ଅପମିଶ୍ରିତ ହେଉଥିବା ନେଇ ଅଭିଯୋଗ ହୋଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ: DRDO Data Leak: ତଦନ୍ତରେ IAF ଓ ଆନ୍ଧ୍ରପ୍ରଦେଶ ଇଣ୍ଟେଲିଜେନ୍ସ ଟିମ୍ର ଏଣ୍ଟ୍ରି, ପୋଲିସ ହାତରେ ଲାଗିଲା ବଡ ତଥ୍ୟ
ପୂର୍ବରୁ ମିଳୁଥିବା ଚାଉଳ ଏବଂ ବର୍ତ୍ତମାନ ମିଳୁଥିବା ଚାଉଳରେ ପାର୍ଥକ୍ୟ ରହିଥିବା କୁହାଯାଉଛି । ବର୍ତ୍ତମାନ ମିଳୁଥିବା ଚାଉଳ ପାଣିରେ ଭିଜିବା ପରେ ତଳେ ରହିବା ପରିବର୍ତ୍ତେ ଉପରେ ଭାସମାନ ଅବସ୍ଥାରେ ରହୁଛି । ପିଡିଏସ ମାଧ୍ୟମରେ ପ୍ଲାଷ୍ଟିକ ଚାଉଳ ବଣ୍ଟନ କରାଯାଉଥିବା ନେଇ ଗୁଜବ ସୃଷ୍ଟି କରାଯାଉଛି । ଅପରପକ୍ଷରେ ଜାନୁଆରୀ ମାସରୁ ପୁଷ୍ଟି ଏବଂ ଭିଟାମିନ୍ ଯୁକ୍ତ ଚାଉଳ ପିଡିଏସରେ ପ୍ରଦାନ କରାଯାଉଥିବା ଚାଉଳ ସହ ମିଶାଯାଇ ବଣ୍ଟନ କରାଯାଉଥିବା ନେଇ ସୂଚନା ଦିଆଯାଇଛି । ସାଧାରଣ ଯୋଗାଣ ବିଭାଗ ଦ୍ୱାରା ଏହାକୁ ତଦନ୍ତ କରିବା ସହ ଉପଯୁକ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ତେଣୁ ଏହି ବିଷୟର ତଦନ୍ତ କରିବା ପାଇଁ ମନ୍ତ୍ରଣାଳୟର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ମାଧ୍ୟମରେ କେନ୍ଦ୍ର ଖାଉଟି ବ୍ୟାପାର ଏବଂ ଖାଦ୍ୟ ଓ ସାଧାରଣ ଯୋଗାଣ ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଅନୁରୋଧ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର