ଭୁବନେଶ୍ବର: ରୋଜଗାର ମେଳାର ପଞ୍ଚମ ପର୍ଯ୍ୟାୟରେ ଆଜି ପ୍ରଧାନମନ୍ତ୍ରୀ ସାରା ଦେଶରେ 71 ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ଗୋଟିଏ ବର୍ଷରେ 10 ଲକ୍ଷ ନିଯୁକ୍ତି ଦେବାର ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ରୋଜଗାର ମେଳା ଆୟୋଜନ କରୁଛନ୍ତି । ପଞ୍ଚମ ପର୍ଯ୍ୟାୟରେ ଆଜି ଓଡିଶାରୁ 473 ଜଣ ଯୁବକ ଯୁବତୀ ନିଯୁକ୍ତି ପାଇଛନ୍ତି ।
ସ୍ଥାନୀୟ ରେଲୱେ ଅଡିଟୋରିୟମ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୋଜଗାର ମେଳାର ପଞ୍ଚମ ପର୍ଯ୍ୟାୟରେ ୪୭୩ ଜଣଙ୍କୁ ନିଯୁକ୍ତି ପତ୍ର ବିତରଣ କରିଛନ୍ତି । ଏନେଇ ଧର୍ମେନ୍ଦ୍ର କହିଛନ୍ତି ବର୍ତ୍ତମାନର ପରିବର୍ତ୍ତିତ ଦୁନିଆ ଏବଂ ଟେକ୍ଲୋଲୋଜି ଯୁଗରେ ନିଜକୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ ସ୍କିଲିଂ କରାଇବା ଜରୁରୀ । ବିଶେଷ ଭାବରେ ଆଜି ନିଯୁକ୍ତି ପାଇଥିବା ଯୁବବନ୍ଧୁମାନେ ଏହି ମନ୍ତ୍ରକୁ ନିରନ୍ତର ଜପ କରନ୍ତୁ ଏବଂ ଓଡ଼ିଶା ପାଇଁ ବଡ ଭାବିବା ସହ ବଡ ସ୍ବପ୍ନ ଦେଖନ୍ତୁ ।
ଏହାବି ପଢନ୍ତୁ- ପେଟରେ ଲୁଚାଇ ରଖିଥିଲେ 11 କୋଟିର କୋକେନ, ନାଇଜେରିଆ ଯୁବକ ଗିରଫ
ଙ୍କୁ ନିଯୁକ୍ତି ପତ୍ର ବିରତଣ କରିବା ସହ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଥିବା ଯୁବବର୍ଗଙ୍କୁ ଶୁଭେଚ୍ଛା । ଏମ୍ସ ଭୁବନେଶ୍ବର, ଆଇଆଇଟି ଭୁବନେଶ୍ବର, ଭାରତୀୟ ରେଳ, ଡାକ ବିଭାଗ, ଇଏସଆଇସି, ଇସ୍ପାତ ବିଭାଗ, ଜିଏସଆଇ ସମେତ ବିଭିନ୍ନ ବର୍ଗରେ ନିଯୁକ୍ତି ପାଇଥିବା ଯୁବକ ଯୁବତୀମାନେ ଆଜି ଦାୟିତ୍ବବୋଧର ନୂଆ ଅଧ୍ୟାୟକୁ ଯାଉଛନ୍ତି । ତେବେ ଦାୟିତ୍ବ ଏତିକିରେ ସୀମିତ ନୁହେଁ ।
ଆମ ଦେଶ ଆଉ ପ୍ରାୟ ୨୫ ବର୍ଷ ପରେ ୨୦୪୭ରେ ସ୍ବତନ୍ତ୍ରତାର ୧୦୦ ବର୍ଷ ପୂରଣ କରିବ । ୧୩ ବର୍ଷ ପରେ ୨୦୩୬ ରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ବତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ । ଏହି କାଳଖଣ୍ଡରେ ଆମେ ବଡ ଦାୟିତ୍ବରେ ଥିବା ସମୟରେ କେବଳ ନିଜ କଥା ଭାବିବା ନାହିଁ ବରଂ ସମସ୍ତଙ୍କ କଥା ଚିନ୍ତା କରିବା । ସ୍ବୟଂ ପାଇଁ ନୁହେଁ ସମୂହଙ୍କ ପାଇଁ ଚିନ୍ତା କରିବା ଦରକାର । ଅମୃତ କାଳରେ ଏହି ଯୁବବର୍ଗଙ୍କ ନେତୃତ୍ବରେ ଦେଶ ଓ ରାଜ୍ୟ ଆଗକୁ ଯିବ । ନିରନ୍ତର ଭାବରେ ଭାରତ ସରକାରଙ୍କ ଅନଲାଇନ ଶିକ୍ଷା ବ୍ୟବସ୍ଥାରେ ରି ସ୍କିଲିଂ- ଅପ ସ୍କିଲିଂ ବ୍ୟବସ୍ଥାରେ ଯୋଡି ହେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ନବନିଯୁକ୍ତ ଯୁବବର୍ଗମାନେ ନିଜର ସ୍ବପ୍ନ ସହ ସମାଜ ଓ ଜାତିର ଆକାଂକ୍ଷାକୁ ପୂରଣ କରନ୍ତୁ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସାମ୍ପ୍ରତିକ ସମୟରେ ବଣମଲ୍ଲି ବଣରେ ରହିଯାଉଛି । ହଜାର ହଜାର ବର୍ଷ ପୂର୍ବରୁ ବଳରାମ ଦାସ ଲକ୍ଷ୍ମୀ ପୁରାଣ ମାଧ୍ୟମରେ ଶ୍ରୀୟା ଚଣ୍ଡାଳୁଣୀର କଥା ଚରିତ୍ରକୁ ବର୍ଣ୍ଣନା କରି ସ୍ବଚ୍ଛ ଭାରତର କଳ୍ପନା କରିଥିଲେ । ଓଡ଼ିଶା ମାଟିର ବରପୁତ୍ର ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ ଏକ ସାଧାରଣ ପରିବେଶରୁ ଆସି ବଡ ଭାବିବା ସହ ବିଶ୍ବକୁ ପ୍ରଭାବିତ କରିଥିଲେ । ତେଣୁ ଆମ ସମସ୍ତଙ୍କୁ ମଧ୍ୟ ନୂଆ ଭାବିବା ପାଇଁ ପଡିବ, ବଡ ଭାବିବା ଓ ବଡ ସ୍ବପ୍ନ ଦେଖିବା ଦରକାର ।
ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି କାରଣରୁ ଜାତୀୟ ଶିକ୍ଷା ନୀତିରେ ଭାଷା ନୂଆ ସୂତ୍ରଧର ହୋଇଛି । ନୂଆ ବନ୍ଧନର ସେତୁ ତିଆରି କରୁଛି ଭାଷା । ଆଜି ଭାରତୀୟ ଭାଷାର ପ୍ରାଥମିକତା ବଢିଛି । ଭାରତକୁ ଆସୁଥିବା ଲୋକମାନେ ଭାରତୀୟ ଭାଷାକୁ ଶିଖିବାର ଆଗ୍ରହ ପ୍ରକାଶ କରୁଛନ୍ତି । କୁଳବୃଦ୍ଧ ମଧୁସୂଦନ ଦାସ ହିଁ ପ୍ରଥମେ ଭାଷା ଆଧାରିତ ପ୍ରଶାସନିକ ଢାଞ୍ଚା କରିବାର କଳ୍ପନା କରିଥିଲେ ।
କାର୍ଯ୍ୟକ୍ରମରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ। ଆଜି ସାରା ଦେଶରେ ୪୫ ଟି ସ୍ଥାନରେ ଏହି ରୋଜଗାର ମେଳା ଅନୁଷ୍ଠିତ ହୋଇଛି। ସାରା ଦେଶରେ ନବ ନିଯୁକ୍ତ ପ୍ରାର୍ଥୀ ମାନେ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ପାଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର