ଭୁବନେଶ୍ବର: ଜାତୀୟ କୌଶଳ ଯୋଗ୍ୟତା ଆଧାରରେ ଧନ୍ଦାମୂଳକ ଶିକ୍ଷାର ହେବ ପୁନର୍ବିନ୍ୟାସ । ଏହି ପରିପ୍ରେକ୍ଷୀରେ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ରାଜ୍ୟର ୧୯୩ ଜଣ କନିଷ୍ଠ ଅଧ୍ୟାପକଙ୍କ ପାଞ୍ଚ ଦିନିଆ ତାଲିମ ଶିବିର ଉଦଘାଟିତ ହୋଇଛି । ଏହାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଉଦଘାଟିତ କରିଛନ୍ତି । ତେବେ ଏହି ତାଲିମ ଶିବିରର ମୂଳ ଉଦ୍ଦେଶ୍ୟ ହେଉଛି ଜାତୀୟ କୌଶଳ ଯୋଗ୍ୟତା ଆଧାରରେ ରାଜ୍ୟରେ ଥିବା ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକର ପୁନର୍ବିନ୍ୟାସ କରିବା । ସେମାନଙ୍କର ଦକ୍ଷତା ବିକାଶ ହେଲେ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରିବ ।
ଜାତୀୟ ଶିକ୍ଷାନୀତିରେ ତଥା ରାଜ୍ୟ ସରକାର ଧନ୍ଦାମୂଳକ ଶିକ୍ଷା ମାଧ୍ୟମରେ ଯୁବ ଗୋଷ୍ଠୀଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରାଧାନ୍ୟ ଦେଉଛନ୍ତି । ଧନ୍ଦାମୂଳକ ଶିକ୍ଷକମାନେ ନିଜ ନିଜ ଅଞ୍ଚଳର ଚାହିଦା ଅନୁଯାୟୀ ଶିକ୍ଷାଦାନ କରିବା ପାଇଁ ବିଷୟ ଚୟନ କରି ସରକାରଙ୍କୁ ପ୍ରସ୍ତାବ ଦେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଶାସନ ସଚିବ ଅଶ୍ବଥି ଏସ ଧନ୍ଦାମୂଳକ ଶିକ୍ଷାପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ଭଳି ବାତାବରଣ ଓ ଶିକ୍ଷାଦାନ ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ଶିକ୍ଷକମାନଙ୍କୁ ଆହ୍ବାନ ଦେଇଛନ୍ତି । ସେମାନଙ୍କର ବଳିଷ୍ଠ ମତାମତ ଆଗାମୀ ଦିନରେ ତାଲିମ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିପାରିବ ବୋଲି ସେ ମତ ରଖିଛନ୍ତି ।
ଆର.ଆଇ.ଇ ର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଏହି ତାଲିମ ସୁପରିଚାଳନା ପାଇଁ ସମସ୍ତ ସୁବିଧା ଯୋଗାଇବା ସଙ୍ଗେ କାର୍ଯ୍ୟକ୍ରମର ସଫଳତା କାମନା କରିଛନ୍ତି । ତାଲିମ ସମୟରେ ବିଭିନ୍ନ ପ୍ରସଙ୍ଗରେ ତାଲିମ ଦେବା ସହ ପ୍ରତ୍ୟହ ସକାଳୁ ଯୋଗ ଶିକ୍ଷା, ୱାର୍ଲଡ ସ୍କିଲ ସେଣ୍ଟର, ସେଣ୍ଟ୍ରାଲ ଟୁଲ ରୁମ ଓ ତାଲିମ କେନ୍ଦ୍ର, ଚନ୍ଦକା ଆଦି କେତେକ କ୍ଷେତ୍ର ପରିଦର୍ଶନ କରି ପ୍ରତ୍ୟକ୍ଷ ଜ୍ଞାନକୌଶଳ ହାସଲ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ରାଜ୍ୟରେ ଥିବା ୨୩୧ ଗୋଟି ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଛଅ ଗୋଟି ବିଷୟରେ ଯଥା କୃଷି, ସ୍ବାସ୍ଥ୍ୟ ଓ ପାରାମେଡିକାଲ ସାଇନ୍ସ, ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି, ବ୍ୟବସାୟ ଓ ବାଣିଜ୍ୟ, ଗୃହ ବିଜ୍ଞାନ ଓ ହ୍ୟୁମାନୀଟିଜରେ ୧୯ ଗୋଟି ଟ୍ରେଡରେ କଳା, ବାଣିଜ୍ୟ ଓ ବିଜ୍ଞାନ ଆଦିରେ ଧନ୍ଦାମୂଳକ ଶିକ୍ଷା ଦିଆଯାଉଛି । ଏହି ବିଷୟଗୁଡ଼ିକରେ ଉନ୍ନତ ଜ୍ଞାନ କୌଶଳ ଓ ନିଯୁକ୍ତି ସୁଯୋଗ ଉପରେ ଧାରଣା ଦିଆଯିବା ସଙ୍ଗେ ସଙ୍ଗେ ଯୁବପିଢ଼ି କିପରି ଆତ୍ମର୍ନିଭରଶୀଳ ହୋଇପାରିବେ ସେ ଦିଗରେ ଗୁରୁତ୍ବ ଦିଆଯିବ ।
ଇଟିଭି ଭାରତ, ଭୁବନେଶ୍ବର