ଖୋର୍ଦ୍ଧା: ପୁରାଣ ଶାସ୍ତ୍ର ଅନୁସାରେ, ଦେବ ଦେବ ମହାଦେବ ତ୍ରେତୟା ଯୁଗରେ ଯୋଗୀ ବେଶ ଧାରଣ କରିଥିଲେ । ସେହି କାଳରୁ ହିନ୍ଦୁ ସଂସ୍କୃତି ଓ ପରମ୍ପରାରେ ଯୋଗୀ ଓ କେନ୍ଦେରା ଅଂଶ ହୋଇ ରହିଛି। ନିଜ ସନ୍ତାନର ଶୁଭ ମନାସୀ ବାପା ମା ଯୋଗୀ ବେଶରେ ପିଲାଙ୍କୁ ଗାଁ ଦାଣ୍ଡରେ ବୁଲାନ୍ତି । ଏବଂ ପିଲାମାନେ ଲାଉ ଥାଳ ଧରି ଭିକ୍ଷା ମାଗନ୍ତି। ବିଶ୍ୱାସ ରହିଛି ଏପରି କଲେ ପିଲାଙ୍କୁ ଅନ୍ୟମାନଙ୍କର ଆଶିର୍ବାଦ ମିଳିଥାଏ ଏବଂ ଅଶୁଭ ଦୃଷ୍ଟି ତଥା ବିପଦରୁ ଯୋଗୀବେଶ ଘଣ୍ଟ ଘୋଡେଇ ରଖିଥାଏ।
ଏହା କେବଳ ଧର୍ମୀୟ ବିଶ୍ବାସ ନୁହେଁ ଗୋଟିଏ ସମୟରେ ପରିବାର ପାଇଁ ଏହା ଥିଲା ଜୀବନ ଓ ଜୀବିକା । ସକାଳ ପାଇଲେ ଯୋଗୀଟିଏ କେନ୍ଦେରା ବଜାଇବା ସହ ଜୀବନ ଦର୍ଶନର ଗୀତଗାଇ ଭିକ୍ଷା ସଂଗ୍ରହ କରିଥାନ୍ତି। ପରମ୍ପରାରେ ଲୋକମାନେ ମଧ୍ୟ ଯୋଗୀଙ୍କୁ ଶ୍ରଦ୍ଧା ଓ ସମ୍ମାନର ସହ ଭିକ୍ଷା ଦେଇ ସତପଥ ଏବଂ ଆଧ୍ୟାତ୍ମିକ ମାର୍ଗରେ ଯିବାକୁ ପ୍ରେରଣା ପାଇଥାନ୍ତି ।
ସମୟର ସହିତ ଏବେ ଏହି ପରମ୍ପରା ବି ହଜିଗଲାଣି । କାଁ ଭାଁ ଯୋଗୀ ଓ କେନ୍ଦେରାର ସ୍ୱର ଏବେ ଶୁଣିବାକୁ ମିଳୁଛି। ଯୋଗୀ ପରିବାରର ନୂଆ ପିଢ଼ୀ ଏ ପରମ୍ପରାକୁ ପସନ୍ଦ କରୁନାହାନ୍ତି। ଯୋଗୀଙ୍କ ପରିବାରର ଆର୍ଥିକ ସ୍ଥିତି ଏବେ ସ୍ୱଚ୍ଛଳ ହେଲାଣି ତେଣୁ ପରିବାରର କୌଣସି ସଦସ୍ୟ କୌଳିକ କଳାକୁ ଗ୍ରହଣ କରିବାକୁ ନାରାଜ ।
କେନ୍ଦେରା କେବଳ ଜୀବନ ଜୀବିକାର ରାହା ନଥିଲା ବରଂ ଆମ ସଂସ୍କୃତି ଓ ପରମ୍ପରାର ଏକ ଅଙ୍ଗ ଥିଲା । ଜୀବନର ଜଟିଳ ରାସ୍ତାରେ ଆମକୁ ସତପଥ ଓ ସତଜୀବନ ଯାପନ ପାଇଁ ବାର୍ତା ଦେଉଥିବା ଯୋଗୀ ଓ ତାଙ୍କ କେନ୍ଦେରା ଏବେ ବହୁ ଦୂରରେ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ