ଖୋର୍ଦ୍ଧା: ତିନିଟି ମନ୍ଦିରରୁ ଏକାକାଳୀନ ବଡଧରଣର ଚୋରି ହୋଇଛି । ଗତ ରାତିରେ କେହି ଦୁର୍ବୃତ୍ତ ତିନି ମନ୍ଦିରରୁ ଚୋରି କରିଥିବା ଜଣାପଡିଛି। ବହୁ ପରିମାଣରେ ମନ୍ଦିର ହୁଣ୍ଡିର ଟଙ୍କା ସହିତ ବିଭିନ୍ନ ପ୍ରକାରର ସୁନା ଅଳଙ୍କାର ଚୋରି ହୋଇଛି । ସ୍ଥାନୀୟ ଗ୍ରାମବାସୀ ବାଣପୁର ଥାନାରେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ପଞ୍ଚାୟତର ଘାସେଡିହ ଗ୍ରାମର ରାମଚଣ୍ଡୀ ମନ୍ଦିରରୁ ସୁନାର ମଙ୍ଗଳସୂତ୍ର, ସୁନାର ଚିତଉ, ସୁନାର ଧାନମାଳି ସମେତ ରୂପାର କିରଟ ଏବଂ ୧୦୦ ଗ୍ରାମର ବେଲପତ୍ର ମାଳ ଚୋରି ହୋଇଛି। ରାମଚଣ୍ଡୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଛି । ଏହା ସହିତ ଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ୪୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଦୁଇ ମନ୍ଦିର ସହିତ ଗମ୍ଭାରୀମୁଣ୍ଡା ବଜାର ମଝିରେ ଅବସ୍ଥିତ ତାରିଣୀ ମନ୍ଦିରରୁ ମଧ୍ୟ ବହୁ ଅଳଙ୍କାର ଲୁଟ ହୋଇଛି।
ସ୍ଥାନୀୟ ଗ୍ରାମବାସୀ ବାଣପୁର ଥାନାରେ ଅଭିଯୋଗ କରିବା ପରେ ବାଣପୁର ଥାନାର ନିର୍ଦ୍ଦେଶ କ୍ରମେ ଗମ୍ଭାରୀମୁଣ୍ଡା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ