ଭୁବନେଶ୍ବର: ବାଲେଶ୍ବର ବାହାନଗା ଠାରେ ଘଟିଥିବା ଟ୍ରେନ ଦୁର୍ଘଟଣା ପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇ ପାରିନାହିଁ । ଉଦ୍ଧାର କାର୍ଯ୍ୟ ଗତକାଲି ରାତିରେ ଶେଷ ହୋଇଥିବା ବେଳେ ବର୍ତ୍ତମାନ ଭିତ୍ତିଭୂମି ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣା ହୋଇଥିବା ସ୍ଥାନରେ ପ୍ରାୟ ୧ କିମି ପର୍ଯ୍ୟନ୍ତ ରେଳ ଧାରଣା ଗଭୀର ଭାବେ ପ୍ରଭାବିତ ହୋଇଥିବାରୁ ରେଳ ସେବା ଗତ ପ୍ରାୟ ୭୨ ଘଣ୍ଟା ଧରି ପ୍ରଭାବିତ ହୋଇଛି । ଯାହା ଫଳରେ ଅନେକ ଯାତ୍ରୀ ଏବେ ମଧ୍ୟ ପୁରୀରେ ଅଟକି ରହିଛନ୍ତି । ପୁରୀରୁ ହାୱଡ଼ା ପର୍ଯ୍ୟନ୍ତ ଯିବାକୁ ଥିବା ଅନେକ ଯାତ୍ରୀ ପୁରୀରେ ଫସି ରହିଛନ୍ତି । ତେଣୁ ଏହି ଯାତ୍ରୀମାନଙ୍କ ପାଇଁ ପୂର୍ବତଟ ରେଳପଥ ଆଜି ପୁରୀରୁ ହାୱଡ଼ା ପର୍ଯ୍ୟନ୍ତ ୩ଟି ସ୍ବତନ୍ତ୍ର ଟ୍ରେନ ଚଳାଇଛି ।
ତେବେ ପୁରୀରୁ ହାୱଡା ମଧ୍ୟରେ ୩ଟି ସ୍ଵତନ୍ତ୍ର ଟ୍ରେନ । 02801 ପୁରୀ -ହାୱାଡ଼ା ସ୍ପେଶାଲ ଟ୍ରେନ ସନ୍ଧ୍ୟା ୭ଟାରେ ଛାଡି ଯାଜପୁର- କେନ୍ଦୁଝରଗଡ- ଡୋଙ୍ଗୋପୋସି- ଖଡ଼ଗ୍ପୁର ମାର୍ଗ ଦେଇ ଯାଇଛି । ଏହି ଟ୍ରେନଟି ସାକ୍ଷୀଗୋପାଳ, ଖୋର୍ଦ୍ଧା ରୋଡ, ଭୁବନେଶ୍ବର, କଟକ, ଯାଖପୁର, ହରିଚନ୍ଦନପୁର, କେନ୍ଦୁଝରଗଡ, ଡୋଙ୍ଗୋପୋସି, ଟାଟା ଏବଂ ଖଡ଼ଗପୁର ମଧ୍ୟ ଦେଇ ଯିବାକୁ ଥିବା ବେଳେ ଏଥିରେ ୨ ସ୍ଲିପର କ୍ଲାସ, ୬ଟି ଦ୍ବିତୀୟ ଶ୍ରେଣୀ ଚେୟାର କାର୍ ଏବଂ ଦୁଇଟି ଗାର୍ଡ କମ ଦ୍ବିତୀୟ ଶ୍ରେଣୀ ସିଟିଂ କୋଚ୍ ଯୋଗାଇ ଦିଆଯାଇଛି ।
ସେହିଭଳି 02803 ପୁରୀ-ହାୱଡ଼ା ସ୍ପେଶାଲ୍ ରାତି ୯ଟାରେ ଛାଡିଛି । ଏହା କଟକ-ଅନୁଗୋଳ- ସମ୍ବଲପୁର ସିଟି- ଝାରସୁଗୁଡା ମାର୍ଗ ଦେଇ ଚାଲିବ । ଏହି ଟ୍ରେନ୍ ସାକ୍ଷୀଗୋପାଳ, ଖୋର୍ଦ୍ଧା ରୋଡ଼, ଭୁବନେଶ୍ବର, କଟକ, ଢେଙ୍କାନାଳ, ଅନୁଗୋଳ, ରେଢ଼ାଖୋଲ, ସମ୍ବଲପୁର ସହର, ଝାରସୁଗୁଡା, ରାଉରକେଲା, ଚକ୍ରଧରପୁର, ଟାଟା ଏବଂ ଖଡ଼ଗପୁର ଦେଇ ଯିବ । ତେବେ ଏହି ଟ୍ରେନରେ ୧୧ଟି ଦ୍ବିତୀୟ ଶ୍ରେଣୀ, ଦୁଇଟି ଏସି ଚେୟାର କାର ଏବଂ ଦୁଇ ଗାର୍ଡ ଦ୍ବିତୀୟ ଶ୍ରେଣୀ ସିଟିଂ କୋଚ୍ ରହିଛି ।
ଅନ୍ୟପଟେ 02805 ପୁରୀ-ହାୱାଡା ସ୍ପେଶାଲ୍ ରାତି ୧୦ଟାରେ ଛାଡିଛି । ଏହା ଯାଜପୁର- କେନ୍ଦୁଝରଗଡ଼- ଡୋଙ୍ଗପୋସି- ଖଡ଼ଗପୁର ମାର୍ଗ ଦେଇ ଚାଲିବ । ଏହି ଟ୍ରେନ୍ ମଧ୍ୟ ସାକ୍ଷୀଗୋପାଳ, ଖୋର୍ଦ୍ଧା ରୋଡ୍, ଭୁବନେଶ୍ବର, କଟକ, ଜାଖପୁର, ହରିଚନ୍ଦନପୁର, କେନ୍ଦୁଝରଗଡ଼, ଡୋଙ୍ଗପୋସି, ଟାଟା ଏବଂ ଖଡ଼ଗପୁର ଦେଇ ପୁରୀ ଏବଂ ହାୱଡା ମଧ୍ୟରେ ଦୁଇଟି ମେମୁ ଏବଂ ୬ଟି ମେମୁ କୋଚ ଯୋଗାଇ ଦିଆଯିବ ।
ଇଟିଭି ଭାରତ, ଭୁବନେଶ୍ବର