ଭୁବନେଶ୍ବର: ବିଶୃଙ୍ଖଳା ଆଚରଣ ପଡିଲା ମହଙ୍ଗା । ଚାକିରିରୁ ବିଦା ହେଲେ ଅବକାରୀ ବିଭାଗର ୩ କର୍ମଚାରୀ । ରାଜ୍ୟ ଅବକାରୀ କମିଶନର ନରସିଂହ ଭୋଳ ବିଶୃଙ୍ଖଳିତ ଅଧିକାରୀଙ୍କ ପ୍ରତି କଠୋର ହୋଇଛନ୍ତି । ଏହା ସହିତ ବେଆଇନ କାରବାରରେ ଲିପ୍ତ ୩ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛନ୍ତି । ସେମାନେ ହେଲେ ଅବକାରୀ ଏଏସଆଇ ଅରୋପଲକ ଦାସ, କନେଷ୍ଟବଳ ତ୍ରିଲୋଚନ ରାଇଚେତି ଓ କନେଷ୍ଟବଳ ଆର ଭେଙ୍କେଟେଶ । ଚାକିରିରୁ ବିଦା କର୍ମଚାରୀମାନେ ବେଆଇନ ଗଞ୍ଜେଇ ଚାଲାଣ କରୁଥିବା ଟ୍ରକକୁ ଏସକଟ କରି ନେଉଥିବା ଅଭିଯୋଗରେ ଗିରଫ ହୋଇଥିଲେ ।
ଅବକାରୀ ବିଭାଗର ଏହି ୩ ଜଣ କର୍ମଚାରୀ ଗଞ୍ଜେଇ ଚାଲାଣ ଟ୍ରକକୁ ସହାୟତା କରୁଥିବାରୁ ସେମାନଙ୍କ ବିରୁଦ୍ଧରେ ପଟାଙ୍ଗି ଥାନରେ ମାମଲା ରୁଜୁ ହୋଇଥିଲା । ଗତବର୍ଷ ସେପ୍ଟେମ୍ବର ମାସରେ ଏନଡିପିଏସ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଥିଲା । ଏହା ସହିତ ସମସ୍ତ ଅଧିକାରୀଙ୍କୁ ଗିରଫ କରାଯାଇଥିଲା । ଅବକାରୀ ପୋଷାକରେ ରହି ସେମାନଙ୍କର ଏଭଳି ନିଶା କାରବାରରେ ସହାୟତା ବିଭାଗକୁ ନିନ୍ଦିତ କରିଛି । ସେମାନେ ଏବେ ବି ନ୍ୟାୟିକ ହାଜତରେ ରହିଥିବା ବେଳେ ପ୍ରାରମ୍ଭିକ ଚାର୍ଜସିଟ ଦାଖଲ ହୋଇଛି ।
ଏହାମଧ୍ୟ ପଢନ୍ତୁ: Naba Das Murder Case: ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟରେ ହାଜର ହେଲା ଗୋପାଳ, ୮ରେ ଶୁଣାଣି
ରାଜ୍ୟ ଅବକାରୀ କମିଶନରଙ୍କ ନିକଟରେ ଅବକାରୀ ସୁରକ୍ଷା କର୍ମଚାରୀଙ୍କ ନିଯୁକ୍ତି, ବଦଳି, ପଦୋନ୍ନତି ସହିତ ସମସ୍ତ ପ୍ରକାର କ୍ୟାଡର ପରିଚାଳନା କ୍ଷମତା ରହିଛି । ୨୦୨୩ ଜୁନ ୮ ତାରିଖରେ ଅବକାରୀ ବିଭାଗର ସଙ୍କଳ୍ପ ଅନୁଯାୟୀ ଚାକିରିରୁ ବିଦା କରିବାର କ୍ଷମତା ମଧ୍ୟ ତାଙ୍କ ନିକଟରେ ରହିଛି । ସେହି କ୍ଷମତା ବଳରେ ଅବକାରୀ କମିଶନର ସମ୍ପୃକ୍ତ ୩ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି । ଅବକାରୀ ବିଭାଗରେ ସ୍ବଚ୍ଛତା ପାଇଁ ଏଭଳି ବେଆଇନ କାରବାରରେ ଲିପ୍ତ ଥିବା କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇଛି । ଏହା ସହିତ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି କମିଶନର କହିଛନ୍ତି ।
ସୂଚନା ଅନୁସାରେ ଗତ ମେ' ମାସରେ ରାଜ୍ୟ ସରକାର ବରିଷ୍ଠ ଆଇପିଏସ ଅଫିସର ସ୍ତରରେ ଅଦଳବଦଳ କରିଥିଲେ । ନୂଆ ଅବକାରୀ କମିଶନର ଭାବେ ନରସିଂହ ଭୋଳଙ୍କୁ ଦାୟିତ୍ବ ଦେଇଛନ୍ତି ସରକାର । ୨୦୦୨ ବ୍ୟାଚର ଅଫିସର ହେଉଛନ୍ତି ନରସିଂହ ଭୋଳ । ଏହା ପୂର୍ବରୁ ସେ ସେଣ୍ଟ୍ରାଲ ରେଞ୍ଜ (କଟକ) ଆଇଜି ଭାବେ କାର୍ଯ୍ୟ କରୁଥିଲେ ।
ଇଟିଭି ଭାରତ, ଭୁବନେଶ୍ବର