ଖୋର୍ଦ୍ଧା: ସାରା ବିଶ୍ବରେ ଭୟର ବାତାବରଣ ସୃଷ୍ଟି କରିଛି କୋରୋନା ଭାଇରସ । ତେବେ ଏହାର ମୁକାବିଲା ପାଇଁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ତତ୍ପର । ତେବେ ଏନେଇ ବାଣପୁରରେ 144 ଧାରା ଜାରି କରିଛନ୍ତି ସରକାର । କରୋନାରେ ଆକ୍ରାନ୍ତ ଥିବା ୫୦ନଂ ରୋଗୀଙ୍କ ଟ୍ରାଭେଲ ବିବରଣୀ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରକାଶ ହେବା ପରେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ କୋକୁଆ ଭୟ ଦେଖିବକୁ ମିଳିଛି। ୫୦ନଂ ରୋଗୀ ଜଣକ ମାର୍ଚ୍ଚ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା ବାଣପୁର ବଡ଼ହନ୍ତୁଆଡ଼ ଗ୍ରାମରେ ରହିଥିବା ସୂଚନା ମିଳିଛି।
ସେହି ବ୍ୟକ୍ତି ଜଣକ ଏହି ସମୟ ମଧ୍ୟରେ କାହା-କାହା ସହିତ ମିଳା ମିଶା କରଛନ୍ତି ସେନେଇ କଣ୍ଟାକ୍ଟ ଟ୍ରେସ ମଧ୍ୟ ଜାରି ରହିଛି । କରୋନା ସଂକ୍ରମଣ ରୋକିବା ପାଇଁ ଆଜି ମହାବିଷୁବ ପଣା ସଂକ୍ରାନ୍ତିରେ ଭକ୍ତଙ୍କଭିଡକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବାଣପୁର ତହସିଲଦାର ଏବଂ ବାଣପୁର ଥାନା ଅଧିକାରୀ ଭଗବତୀ ମନ୍ଦିର, ଦକ୍ଷଶ୍ବର ମନ୍ଦିର ଏବଂ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ୧୪୪ ଧାରା ଜାରି କରିଛନ୍ତି। ଏହା ସହ ଶ୍ରଦ୍ଧାଳୁ ମାନଙ୍କର ମନ୍ଦିର ପ୍ରବେଶକୁ ବାରଣ ମଧ୍ୟ କରାଯାଇଛି ।
ତେବେ ଆଇନ ଉଲଙ୍ଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସ୍ଥାନୀୟ ପ୍ରଶାସନ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ