ଖୋର୍ଦ୍ଧା: ଆଜିକୁ ଠିକ୍ 203 ବର୍ଷ ପୂର୍ବେ ଓଡିଶାରେ ଶୁଣିବାକୁ ମିଳିଥିଲା ବିଦ୍ରୋହର ସ୍ବର । ଆଉ ଏହି ସ୍ବର ଥିଲା ଓଡିଆ ବୀରପୁତ୍ରଙ୍କ ସ୍ବର । ବୀରଙ୍କ ବିଦ୍ରୋହର କଥା ଉଠିଲେ ମନକୁ ଆସେ ପାଇକ ବିଦ୍ରୋହ ବା ଖୋର୍ଦ୍ଧା ବିଦ୍ରୋହ କଥା । ଯାହା ଓଡିଆ ବୀରଙ୍କ ସାହାସ ଓ ପରାକ୍ରମର ଗୌରବ ଗାଥା ଏବଂ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ । ଓଡିଶା ମାଟି ମା'ର ସମ୍ମାନ ଓ ମର୍ଯ୍ୟାଦା ରକ୍ଷା କରିବା ସଙ୍ଗେ ସଙ୍ଗେ ବ୍ରିଟିଶ ସରକାରଙ୍କ ବିରୋଧରେ ହୋଇଥିବା ପାଇକ ବିଦ୍ରୋହ ଥିଲା ବେଶ ଗୁରୁତ୍ବପୂର୍ଣ୍ଣ । ଆଉ ଇତିହାସ କୁହେ ଖୋର୍ଦ୍ଧାରେ 4ଟି ପର୍ଯ୍ୟାୟରେ ହୋଇଥିଲା ବିଦ୍ରୋହ ।
1803ର ରାଜ ବିଦ୍ରୋହ, 1817ରୁ 1825 ପର୍ଯ୍ୟନ୍ତ ଚାଲିଥିବା ପାଇକ ବିଦ୍ରୋହ, 1827ରେ ତାପଙ୍ଗ ଦଳ ବେହେରାଙ୍କ ନେତୃତ୍ବରେ ବ୍ରିଟିଶ ସରକାରଙ୍କ ବିରୋଧରେ ସମୁଖ ଯୁଦ୍ଧ ଏବଂ 1836ରେ ବାଣପୁରରେ କୃତିବାସ ପାଟଶାଣୀଙ୍କ ନେତୃତ୍ବରେ ବ୍ରିଟିଶ ବିରୁଦ୍ଧରେ ଯୁଦ୍ଧ । ଏହି ଯୁଦ୍ଧ ବାଣପୁରକୁ ବ୍ରିଟିଶ ଶାସନ କବଳରୁ ତିନି ଦିନରେ ମୁକ୍ତ କରିଥିଲା । ଯାହା ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ର ହୋଇଥିଲା । ଆଜି ଦେଶ ସ୍ବାଧୀନକୁ ପୂରିଛି 72 ବର୍ଷ । ପାଇକ ପରିବାରର ଦାୟାଦ ଆଜି ବି ସେ ଦିନକୁ ମନେ ପକାଇ ତେଜିୟାନ ହୋଇପଡୁଛି । ନିଜକୁ ପାଇକ ପୁଅ ବୋଲି କହି ଗର୍ବ ଅନୁଭବ କରୁଛି । କିନ୍ତୁ ଦୁଃଖର ବିଷୟ ସ୍ବତନ୍ତ୍ରତା ଦିବସ ଏବଂ ସ୍ବାଧୀନତା ଦିବସ ଅବସରରେ ଜନତା ଦେଶର ଏହି ମହାନ ବୀରପୁଅଙ୍କୁ ମନେ ପକେଇ ପରବର୍ତ୍ତୀ ପର୍ଯ୍ୟାୟରେ ପାସୋରି ଦେଉଛି ।
ଅପରପକ୍ଷେ ଇତିହାସର ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ଏହି ବୀରପୁତ୍ରଙ୍କ ସ୍ମୃତିକୁ ଭବିଷ୍ୟତ ପୀଢ଼ି ପାଇଁ କିଭଳି ସଜେଇ ରଖି ହେବ ସେ ନେଇ ଆଖିଦୃଶିଆ ଉଦ୍ୟମ ହୋଇନାହିଁ । ଏନେଇ ଏକ ଡକ୍ୟୁମେଣ୍ଟେସନ ବି ପ୍ରସ୍ତୁତ କରାଯାଇନାହିଁ । ଅନେକ ବଳିଷ୍ଠ ପ୍ରମାଣ ରହିଛି କି ପାଇକ ବିଦ୍ରୋହ ହେଉଛି ସ୍ବାଧୀନତା ସଂଗ୍ରାମର ପ୍ରଥମ ପାହାଚ । ଗବେଷକ, ଐତିହାସିକ ସମସ୍ତେ ନିଜ ନିଜ ଲେଖା ପ୍ରସ୍ତୁତ କରିଛନ୍ତି। ହେଲେ ସରକାରୀ ଭାବରେ କୌଣସି ତଥ୍ୟ ଏଯାବତ ପ୍ରସ୍ତୁତ ହୋଇନାହିଁ । ପାଇକଙ୍କୁ ସମ୍ମାନ ଦେବାକୁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଡାକ ଟିକେଟ ପ୍ରଚଳନ ଓ ଏନସିଆରଟି ବହିରେ ସ୍ଥାନ ଦେଇ ଚୁପ ବସିଛନ୍ତି ।
ସେହିପରି ପାଇକଙ୍କ ଏନ୍ତୁଡିଶାଳ ବରୁଣେଇ ପାଦ ଦେଶରେ ପାଇକ ସ୍ମୃତିସ୍ତମ୍ଭ ଏବଂ ମ୍ୟୁଜିୟମ ପାଇଁ ରାଷ୍ଟ୍ରପତି ଶିଳାନ୍ୟାସ କରିଥିଲେ ହେଁ ଏହାର ବିକାଶ କାମ ଏଯାବତ୍ ଆଗେଇ ପାରିନାହିଁ । କେବଳ ଏତିକି ନୁହେଁ, ଏବେ ବି ପାଇକ ଏବଂ ତାଙ୍କ ଦାୟାଦମାନେ ଅବହେଳିତ । ଏହାସହ ପାଇକ ଆଖଡାକୁ ବଞ୍ଚାଇ ରଖିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି ଗବେଷକ ।
ଖୋର୍ଦ୍ଧା ପୌର ପ୍ରଶାସନ ପକ୍ଷରୁ ପାଇକଙ୍କ ସ୍ମୃତିରେ ସହରର ବିଭିନ୍ନ କାନ୍ଥ ମାନଙ୍କରେ ଚିତ୍ରକଳା ମାଧ୍ୟମରେ ପାଇକଙ୍କ ବୀରତ୍ବର ଗାଥା ଅଙ୍କାଯାଇଛି । କିନ୍ତୁ ବାସ୍ତବରେ ଏହା ଲୋକଦେଖାଣିଆ । ସରକାର ଏହି ପାଇକ ସମାଜ ଏହା ପ୍ରତି ଗମ୍ଭୀର ଭାବରେ ଚିନ୍ତା କରି ଅତି କମରେ ଡକ୍ୟୁମେଣ୍ଟସନ କରିବାର ଆବଶ୍ୟକତା ରହିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ପଣ୍ଡା ଓ ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ