ଭୁବନେଶ୍ବର: ଉଠୁଛି ପଡୁଛି ବିଧାନସଭା। ସମାନ ପ୍ରସଙ୍ଗ, ସମାନ ଶୈଳୀରେ ବିରୋଧ। ଆଦିବାସୀ ଜମି ପ୍ରସଙ୍ଗକୁ ନେଇ ବିଧାନସଭାକୁ ତିନି ଦିନ ଧରି ଅଚଳ କରି ଦେଇଛନ୍ତି ବିରୋଧୀ । କ୍ୟାବିନେଟ ନିଷ୍ପତ୍ତିକୁ ପୁରା ପ୍ରତ୍ୟାହାର ଦାବିରେ କଂଗ୍ରେସ ଏବଂ ବିଜେପି ସଦସ୍ୟମାନେ ଗୃହ ଭିତରେ ହଙ୍ଗାମା ଏବଂ ହଟ୍ଟଗୋଳ ଜାରି ରଖିଛନ୍ତି । ଯାହାକୁ ନେଇ ବିରୋଧୀ ଏବଂ ଶାସକ ଦଳ ମଧ୍ୟରେ ସୃଷ୍ଟି ହୋଇଛି ମୁହାଁ ମୁହିଁ ସ୍ଥିତି। ବିରୋଧୀ ସେମାନଙ୍କ ଜିଦରେ ଅଟଳ ରହିଥିବା ବଳେ, ପାଲଟା ପ୍ରହାର କରିଛି ବିଜେଡି। ଶାସକ ଦଳ କହିଛି, 'ବିରୋଧୀଙ୍କ ଏଭଳି ଆଚରଣକୁ କେବେବି ବରଦାସ୍ତ କରିବେନି ରାଜ୍ଯବାସୀ"।
ଏହା ମଧ୍ଯ ପଢ଼ନ୍ତୁ:ଆଜି ବି ଚାଲି ପାରିଲାନି ବିଧାନସଭା: କଂଗ୍ରେସର ଚେତାବନୀ 'ଆଦିବାସୀଙ୍କ ସ୍ବାର୍ଥ ପାଇଁ ନିଆଁ ଜଳିବ'
ଏହା ମଧ୍ଯ ପଢ଼ନ୍ତୁ: ଶୀତ ଅଧିବେଶନର ତୃତୀୟ ଦିନରେ ପ୍ରବଳ ହଟ୍ଟଗୋଳ; ୪ଟା ଯାଏଁ ଗୃହ ମୁଲତବୀ
କିଛି ଦିନ ତଳେ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା ଯେ, ଆଦିବାସୀଙ୍କ ଜମି ଅଣଆଦିବାସୀ କିଣିପାରିବେ । କିନ୍ତୁ ପରବର୍ତ୍ତୀ ସମୟରେ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ ସରକାର । ଯାହାକୁ ନେଇ ବିରୋଧୀ ବିଧାନସଭାରେ ହଙ୍ଗାମା କରୁଛନ୍ତି । ଆଦିବାସୀଙ୍କ ଜମି ହଡପ କରିବାକୁ ଏହା ସରକାରଙ୍କ ଚକ୍ରାନ୍ତ ବୋଲି ଅଭିଯୋଗ କରୁଛନ୍ତି । ତେଣୁ ରାଜ୍ୟ ସରକାର ଏହି ଆଦିବାସୀ ଜମି କିଣାବିକା ପ୍ରସଙ୍ଗରେ ଯେଉଁ ସ୍ଥିଗତାଦେଶ ଜାରି କରିଛନ୍ତି, ତାହାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନେବାକୁ ଦାବି କରୁଛନ୍ତି ଉଭୟ ବିରୋଧୀ ଦଳ ।
ପ୍ରକାଶ ଥାଉକି, ଗତ ମଙ୍ଗଳବାରଠାରୁ ଷୋଡ଼ଶ ବିଧାନସଭା ଚତୁର୍ଦ୍ଦଶ ଅଧିବେଶନର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଡିସେମ୍ବର ୩୦ ଯାଏଁ ଅଧିବେଶନ ଚାଲିବ । ଅଧିବେଶନର ପ୍ରଥମ ଦିନରେ ଉପବାଚସ୍ପତି ନିର୍ବାଚନ ହୋଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରସ୍ତାବ ଆଗତ କରିଥିଲେ । ଏହାପରେ ଗୃହକୁ ବୁଧବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା । ବୁଧବାର ମଧ୍ୟ ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ଆଦିବାସୀ ଜମି ପ୍ରସଙ୍ଗରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ । ହାତରେ ପ୍ଲାକାର୍ଡ ଧରି ଗୃହ ମଧ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହ ମୁଲତବୀ ରଖିବା ପରେ ବାହାରେ ଆସି ବିକ୍ଷୋଭ କରିଥିଲେ ବିରୋଧୀ ନେତା । ତେବେ ଏହି ହଟ୍ଟଗୋଳ ଭିତରେ ଗତକାଲି(ବୁଧବାର) ଭୂ-ସଂସ୍କାର ଦ୍ବିତୀୟ ବିଲ୍ ୨୦୨୩ ସଂଶୋଧନ ବିଲ୍ ଆଗତ ହୋଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର