ଖୋର୍ଦ୍ଧା: କୋଭିଡ 19 ପାଇଁ ସାରା ବିଶ୍ୱ ଚିନ୍ତାରେ । ଏହି ରୋଗର ମୁକାବିଲା ପାଇଁ ସମଗ୍ର ଦେଶକୁ ଲକଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଫଳରେ ଦେଶର ଜନଜୀବନ ଏକ ପ୍ରକାର ଠପ୍ ହୋଇଯାଇଛି । ସେହିପରି ରାସ୍ତାରେ ଘରୋଇ ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରୀ ହୋଇଥିବା ବେଳେ କିଛି ବ୍ୟକ୍ତି ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଆକ୍ସନ ମୋଡ଼କୁ ଆସିଛି ଟାଙ୍ଗୀ ଥାନା ପୋଲିସ ।
ଟାଙ୍ଗୀ ଥାନା ଅନ୍ତର୍ଗତ ଟାଙ୍ଗୀ,କାଳୁପଡା, ଜରିପଡା, କାଳୁପଡାଘାଟ ପେଣ୍ଠ,ମାନସିଂହପୁର ଓ ସୋରଣ ଅଞ୍ଚଳରେ ପୋଲିସ ତରଫରୁ ଡାକବାଜି ଯନ୍ତ୍ର ଦ୍ବାରା ଲୋକମାନଙ୍କୁ ସଚେତନ କରିବା ସହ କିଛି ଲୋକଙ୍କ ବାଇକକୁ ମଧ୍ୟ ଜବତ କରାଯାଇଛି । ସେହିପରି ବ୍ୟାଙ୍କ, ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଲୋକମାନଙ୍କୁ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ତାଗିଦ କରାଯାଇଛି । ଅନ୍ୟପଟେ କାଳୁପଡାଘାଟ ପେଣ୍ଠ ଓ ଗାଁ ଗହଳିରେ ଏକତ୍ରିତ ହୋଇ ଆଡ୍ଡା ଜମାଉଥିବା ଯୁବକ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ମହିଳା ମାନଙ୍କୁ ସଚେତନ କରାଇଛି ଟାଙ୍ଗୀ ଥାନା ପୋଲିସ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ