ଭୁବନେଶ୍ବର: ନିଦରୁ ଉଠୁନାହାନ୍ତି ବିକ୍ରମ ଲ୍ୟାଣ୍ଡର ଓ ରୋଭର ପ୍ରଜ୍ଞାନ । ଗତକାଲି (ଶୁକ୍ରବାର)ଠାରୁ ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟକିରଣ ପଡ଼ିବା ପରେ ମଧ୍ୟ ଉଭୟ ସକ୍ରିୟ ହେଉନାହାନ୍ତି । ବିକ୍ରମ ଓ ପ୍ରଜ୍ଞାନ ସହିତ ଯୋଗାଯୋଗ କରିବା ଲାଗି ଇସ୍ରୋ ପକ୍ଷରୁ ଉଦ୍ୟମ କରୁଥିଲେ ମଧ୍ୟ ସେପଟୁ କୌଣସି ସଙ୍କେତ ମିଳୁନାହିଁ । ଯାହାର କାରଣ କହିଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରିୟମ ପୂର୍ବତନ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ । ଚନ୍ଦ୍ରପୃଷ୍ଠରେ ଅତ୍ୟଧିକ ଥଣ୍ଡା କାରଣରୁ ବ୍ୟାଟେରୀରେ ଇନ୍ଧନ କଠିନ ଅବସ୍ଥାରେ ରହିଛନ୍ତି । ଏଣୁ ସକ୍ରିୟ ହୋଇପାରୁନି ବିକ୍ରମ ଓ ପ୍ରଜ୍ଞାନ।
ଏନେଇ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, "ସୋଲାର ପ୍ୟାନେଲରେ ଖରା ପଡ଼ିଲେ ଏଥିରେ ଶକ୍ତି ଉତ୍ପନ୍ନ ହୁଏ । ଏହା ବ୍ୟାଟେରୀକୁ ଚାର୍ଜ କରେ । କିନ୍ତୁ ବ୍ୟାଟେରୀରେ ଥିବା ଇନ୍ଧନ ବି ୨୫୦ ଡିଗ୍ରୀରେ କଠିନ ହୋଇଯାଇଥାଏ । ତେଣୁ ଏହା ଚାର୍ଜ ହୋଇପାରୁନି । ଯାହାଫଳରେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ସକ୍ରିୟ ହୋଇପାରୁନାହିଁ । ଆଉ ଗୋଟେ ଦିନ ଅପେକ୍ଷା କରିବାକୁ ପଡ଼ିବ ।"
ଏହା ବି ପଢନ୍ତୁ- Chandrayaan-3 Mission: ନିଦରୁ ଉଠୁନାହାନ୍ତି ବିକ୍ରମ ଓ ପ୍ରଜ୍ଞାନ, ଆସୁନି କୌଣସି ସିଗ୍ନାଲ
ବଡ଼କଥା ହେଲା ସଫ୍ଟ ଲ୍ୟାଣ୍ଡିଂର ପ୍ରଥମ ୧୨ ଦିନରେ ସମସ୍ତ ଗବେଷଣା ଶେଷ ହୋଇଛି । ଏବେ ସକ୍ରିୟ ହେଲେ ସେହି ଗବେଷଣାର ରିପିଟ ହେବ । ଆଉ କିଛି ନୂଆ ଗବେଷଣା ହୋଇଥାନ୍ତା । କିନ୍ତୁ ସବୁ କିଛି ନିର୍ଭର କରୁଛି ବିକ୍ରମ ଓ ପ୍ରଜ୍ଞାନ ସକ୍ରିୟ ହେବା ଉପରେ ବୋଲି ସେ କହିଛନ୍ତି । ଚନ୍ଦ୍ରପୃଷ୍ଠରେ ବୁଲି ବୁଲି ପ୍ରଜ୍ଞାନ ଗବେଷଣା କରିଥିଲା । ଏଥିରେ ଲାଗିଥିବା ବିଭିନ୍ନ ପେଲୋଡ ଏହି ଗବେଷଣା କରୁଛି । ଯେତେବେଳେ ସେପ୍ଟେମ୍ବର 2 ତାରିଖରେ ଚନ୍ଦ୍ରପୃଷ୍ଠରେ ରାତି ହୋଇଥିଲା, ସେତେବେଳେ ଲ୍ୟାଣ୍ଡର ଓ ରୋଭରକୁ ସ୍ଲିପମୋଡରେ ରଖାଯାଇଥିଲା । ସେତେବେଳେ ଉଭୟ ବ୍ୟାଟେରୀରେ ସମ୍ପୂର୍ଣ୍ଣ ଚାର୍ଜ ଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଥିଲା ।
ସୂଚନା ଥାଉ କି ଚନ୍ଦ୍ରପୃଷ୍ଠରେ ୧୪ ଦିନରେ ଥରେ ସୂର୍ଯ୍ୟ ଆସିଥାଏ । ଏହାର ଗୋଟିଏ ରାତି ସହିତ ପୃଥିବୀର 14 ଦିନ ସମାନ। ସେପ୍ଟେମ୍ବର 2 ତାରିଖ ପରେ ଏବେ (ସେପ୍ଟେମ୍ବର 22) ପୁଣି ଥରେ ସୂର୍ଯ୍ୟକିରଣ ଚନ୍ଦ୍ରପୃଷ୍ଠରେ ପଡ଼ିଛି । କିନ୍ତୁ ସୋଲାର ପ୍ୟାନେଲରେ ଶକ୍ତି ଉତ୍ପନ୍ନ ନ ହେବା ଏବଂ ବ୍ୟାଟେରୀ ଚାର୍ଜ ନହେବା ସମସ୍ତ ବୈଜ୍ଞାନିକମାନଙ୍କୁ ଭାବିବାକୁ ବାଧ୍ୟ କରିଛି । ଆଉ ଦିନେ ଅପେକ୍ଷା କରିବା ପରେ ଯଦି କୌଣସି ସିଗ୍ନାଲ ନ ଆସେ ତେବେ ଇସ୍ରୋ କର୍ତ୍ତୃପକ୍ଷ ଏହାକୁ ଡେଡ୍ ବୋଲି ମଧ୍ୟ ଘୋଷଣା କରିପାରନ୍ତି ।
ଇଟିଭି ଭାରତ, ଭୁବନେଶ୍ବର