ଖୋର୍ଦ୍ଧା: ପାହାଡ଼ ବ୍ଲାଷ୍ଟିଂକୁ ନେଇ ଚିନ୍ତାରେ ଗ୍ରାମବାସୀ । ବ୍ଲାଷ୍ଟିଂ ଫଳରେ ଘରଦ୍ବାର ନଷ୍ଟ ହେଉଥିବା ବେଳେ ଚାଷ ଉପରେ ପ୍ରଭାବ ପଡୁଥିବା ଅଭିଯୋଗ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ଏହାର ପ୍ରତିବାଦ କରି ଆଜି ବେଗୁନିଆ ବ୍ଲକ ପରିସରରେ ଚାଲିଥିବା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଡଙ୍ଗରପଡା ରାଜସ୍ବ ଗ୍ରାମର ଦକ୍ଷିଣ ପାର୍ଶ୍ଵରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କ ଅଧୀନରେ କାଳଚୁଆ ପାହାଡରେ ସମୁଦାୟ 53 ହେକ୍ଟରକୁ ନେଇ 2ଟି ପ୍ଲଟ ରହିଛି । ସେଥିରୁ 42 ହେକ୍ଟରରେ କଳାମୁଗୁନି ଓ 11 ହେକ୍ଟରରେ ନାଲି ଓ ବଉଳମାଳା ପଥର ରହିଛି । ଏହି ପଥରକୁ ମାଫିଆମାନେ ଡ଼ିନାମାଇଟ ଦ୍ବାରା ବିସ୍ଫୋରଣ କରି ଚାଲିଛନ୍ତି । ପରେ ଗ୍ରାମବାସୀଙ୍କ ଅଭିଯୋଗ କରିବାରୁ ପ୍ରଶାସନ ପକ୍ଷରୁ 2018 ମସିହାରୁ ବେଆଇନ ଖନନ ବନ୍ଦ କରି ଦିଆଯାଇଥିଲା । 2020ରେ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସକଙ୍କ ସହିତ ଗ୍ରାମବାସୀ ସ୍ଥାନୀୟ ଜଟିଆଣୀ ମନ୍ଦିର ପରିସରରେ ଏକ ମିଳିତ ଜନଶୁଣାଣି ହୋଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ.....ବିପତ୍ତି ସାଜିଛି ପଥର ଖାଦନ: ବ୍ଳାଷ୍ଟିଂରେ ଫାଟୁଛି ଘର, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ
ତେବେ ସରକାରଙ୍କ ଧାର୍ଯ୍ୟ ନିୟମ ଅନୁସାରେ ପାହାଡ଼କୁ ନିଲାମ ଦିଆଯାଇ ରାଜସ୍ବ ଆଦାୟ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା । କିନ୍ତୁ ପ୍ରଶାସନର ପ୍ରତିଶ୍ରୁତି ନାମକୁ ମାତ୍ର ହେବା ସହ ଏହାର କୌଣସି କାର୍ଯ୍ୟକାରୀ ହେଲା ନାହିଁ । ପାହାଡ଼ର କିଛି ଅଂଶ ନିଲାମ ନେଇ ପ୍ରଶାସନକୁ ହାତ କରି ଲିଜଧାରୀ ନିର୍ଦ୍ଧାରିତ ଅଞ୍ଚଳ ଠାରୁ ମାତ୍ରାଧିକ ଭାବେ ଖୋଳି ଚାଲିଛନ୍ତି । ଯେଉଁଥିପାଇଁ ଗାଁରେ ପ୍ରଦୂଷଣ ମାତ୍ର ବଢି ଚାଲିଛି । ସେହିପରି ବ୍ଲାଷ୍ଟିଂ କାରଣରୁ ଘର ଦ୍ୱାର ଫାଟି ଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପାହାଡ଼ ବ୍ଲାଷ୍ଟିଂ ଫଳରେ ଅନେକ ସମୟରେ ପାହାଡ଼କୁ ଚରିବା ପାଇଁ ଯାଉଥିବା ପଶୁମାନେ ମଧ୍ୟ ଆଘାତପ୍ରାପ୍ତ ହେଉଛନ୍ତି । ଏହାସହ ଚାଷ କାର୍ଯ୍ୟ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଥିବା ବେଳେ ଘଟଣା ସମ୍ପର୍କରେ ଅଭିଯୋଗ କଲେ ଜୀବନରୁ ମାରି ଦେବାକୁ ଧମକ ମିଳୁଥିବା କହିଛନ୍ତି ଗ୍ରାମବାସୀ । ସେପଟେ ଘଟଣା ସମ୍ପର୍କରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଗ୍ରାମବାସୀଙ୍କ ଅଭିଯୋଗ ଭିତିହୀନ ଏବଂ ଗ୍ରାମର କିଛି ବ୍ୟକ୍ତି ଚାନ୍ଦା ମାଗୁଥିଲେ । ସେମାନଙ୍କୁ ଚାନ୍ଦା ନଦେବାରୁ ଉଦେଶ୍ୟମୂଳକ ଭାବେ ଅନ୍ୟମାନଙ୍କୁ ମତାଇ ଏପରି କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଖଣି ଲିଜଧାରୀ ।
ଇଟିଭି ଭାରତ, ଖୋର୍ଦ୍ଧା