ଭୁବନେଶ୍ବର: କାମ ଦେଉନାହିଁ କ୍ରୀଡାମନ୍ତ୍ରୀଙ୍କ କଡା ଚେତାବନୀ । ପୋଲିସ କାର୍ଯ୍ଯାନୁଷ୍ଠାନର ଭୟ ବୋଲି କିଛି ନାହିଁ । ମାଳମାଳ ପୋଲିସ, ସ୍ପେଶାଲ ସ୍କ୍ବାଡ୍ଙ୍କ କଡା ପହରା ମଧ୍ୟରେ ବେଧଡକ ଚାଲିଛି ହକି ମ୍ୟାଚ ଟିକେଟ ବ୍ଲାକ ମାର୍କେଟିଂ । ବିଭିନ୍ନ ବେଶରେ ଆସି କଳିଙ୍ଗ ଷ୍ଟାଡିୟମର ଚତୁପାର୍ଶ୍ବରେ ବିନା କୌଣସି ଭୟରେ ଟିକେଟ ବ୍ଲାକରେ ବ୍ରିକି କରୁଛନ୍ତି ବ୍ଲାକ୍ ଟିକେଟ ସେଲର ।
ଆଜି(ଗୁରୁବାର) ଭାରତ-ୱେଲ୍ସ ମ୍ୟାଚ ଅଛି । ଏପରି ସ୍ଥିତିରେ ଟିକେଟର ଡିମାଣ୍ଡ ବଢିଛି । ୨୦୦ ଟଙ୍କାର ଟିକେଟକୁ ୨୦୦୦ ହଜାରରେ ଟଙ୍କାରେ ବିକ୍ରି କରୁଛନ୍ତି ବ୍ଲାକର । ୪୦୦ ଟଙ୍କା ଟିକେଟକୁ ୩ ହଜାର ରେ ବିକ୍ରି କରୁଛନ୍ତି । ଏମିତି ମାଳ ମାଳ ଟିକେଟ ବ୍ଲାକର ଏବେ କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ମେଲାଇଛନ୍ତି ଟିକେଟ ପସରା । ଯାହାର ସମସ୍ତ ଦୃଶ୍ୟ କଏଦ ହୋଇଛି ଇଟିଭି ଭାରତ କ୍ୟାମେରାରେ । ବିଶ୍ବ କପ ହକି ମ୍ୟାଚର ଟିକେଟ ବ୍ଲାକ ହେଉଥିବା ଅଭିଯୋଗ ହୋଇଆସୁଛି । ଏପରି କି ଟିକେଟକୁ ଚଢା ଦରରେ ବିକ୍ରି କରୁଥିବା କିଛି ବ୍ଲାକରଙ୍କୁ ଗତକାଲି ପୋଲିସ ଗିରଫ କରିଥିଲା । ଟିକେଟ ବ୍ଲାକ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଇଟିଭି ଭାରତ ଟିମ ଷ୍ଟିଙ୍ଗ୍ ଅପରେସନ କରିଥିଲା । ଯାହାର ଦୃଶ୍ୟ ଆପଣଙ୍କ ସାମନାରେ । ଜଣେ ବ୍ୟକ୍ତି କହୁଛନ୍ତି ସେ 800 ଟଙ୍କା ଦେଇ ଟିକେଟ ଆଣିଛନ୍ତି । ଏମିତି ଏକାଧିକ ଦୃଶ୍ୟ କଏଦ ହୋଇଛି କ୍ୟାମେରାରେ ।
ଅନ୍ୟପଟେ ପୋଲିସ ଯେତେ କଡା ନଜର ରଖିଥିଲେ ମଧ୍ୟ ଟିକେଟ ବ୍ଲାକର ପୋଲିସକୁ ଚକମା ଦେଇ ଚଳାଇଛନ୍ତି ଧନ୍ଦା । ପୋଲିସ ଅଧିକାରୀମାନେ କାର୍ଯ୍ୟାଳୟରେ ବସି ରହିଥିବା ବେଳେ ଟିକେଟ ବ୍ଲାକର ବିନା ଭୟରେ ଚଳାଇଛନ୍ତି ନିଜର ଧନ୍ଦା । ଏବେ ପ୍ରଶ୍ନ ଉଠୁଛି ସାଧାରଣ ଦର୍ଶକ ଟିଏ, ଟିକେଟ ଖଣ୍ଡେ ପାଇବାକୁ ଅସମ୍ଭବ ହୋଇପଡିଥିବା ବେଳେ, ବ୍ଲାକରଙ୍କ ପାଖକୁ ଏତେ ଟିକେଟ ଆସୁଛି କେମିତି ?
ସୂଚନାଯୋଗ୍ୟ ଯେ, ହକି ବିଶ୍ୱକପରେ ଟିକେଟ କଳାବଜାରୀ ଅଭିଯୋଗରେ ଗତକାଲି କମିଶନରେଟ ପୋଲିସ 5 ଜଣଙ୍କୁ ଗିରଫ କରିଛି । ଟିକେଟ କଳାବଜାରୀ ହେବା ଫଳରେ ଦର୍ଶକ ଟିକେଟ ପାଇବାରୁ ବଞ୍ଚିତ ହେଉଛନ୍ତି । ଏନେଇ ପ୍ରତିକ୍ରିୟା ରଖି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଟିକେଟ କଳାବଜାରୀ ହେଲେ କଡା କାର୍ଯ୍ୟାନୁଷ୍ଠାନ ଲାଗି ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, 2018 ମସିହା ହକି ବିଶ୍ୱକପ ଅପେକ୍ଷା ଚଳିତ ଥର ଅଧିକ କିଛି ଆଶା ରହିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସହ ଦ୍ୱିତୀୟ ସହର ଭାବେ ରାଉଲକେଲାକୁ ଯୋଡ଼ା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ ସ୍ତରର ଷ୍ଟାଡିୟମ ତିଆରି ହୋଇଛି । ପ୍ରଥମ ମ୍ୟାଚରେ ଭାରତ ଜିତିବା ପରେ ଦର୍ଶକଙ୍କର ଆଶା ଆହୁରି ବଢିଯାଇଛି । ତୃତୀୟ ମ୍ୟାଚ୍ଟି ଯେହେତୁ ଭୁବନେଶ୍ୱରରେ ହେଉଛି ଭିଡ଼ ଅଧିକ ହେବ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ଦର୍ଶକ ବସିବା କ୍ଷମତା 15 ହଜାର ତେଣୁ ଯେତିକି କ୍ଷମତା ସେତିକି ମେଣ୍ଟେନ କରୁ । ତାଠୁ ଅଧିକ ହେଇପାରିବ ନାହିଁ । ଦର୍ଶକଙ୍କ ଡିମାଣ୍ଡ ବଢିଯାଇଛି, ତେଣୁ କିଛି ଜାଗାରେ କଳାବଜାରୀ ହେଉଛି ।
ଇଟିଭି ଭାରତ, ଭୁବନେଶ୍ବର