ଖୋର୍ଦ୍ଧା: ଆଗ୍ରହ ଓ ଇଛା ଶକ୍ତି ଥିଲେ ମଣିଷ ସବୁକିଛି କରିପାରେ । ପିଲାଟି ଦିନରୁ ସାବୁନରେ କଳାକୃତି କରିବାର ନିଶା ଯୁବାବସ୍ଥାରେ ପେସାରେ ପରିଣତ ହୋଇଛି ।
ଦେଖନ୍ତୁ ଏହି ମନଲୋଭା ମୂର୍ତ୍ତିକୁ... ଏହା ମାଟି କି ପ୍ଲାଷ୍ଟର ଅଫ ପ୍ୟାରିସର ନୁହେଁ ବରଂ ସାବୁନରେ ତିଆରି ମୂର୍ତ୍ତି । ଆଖି ଝଲସି ଉଠୁଥିବା ଭଳି ଏହି ମୂର୍ତ୍ତିକୁ ତିଆରି କରିଛନ୍ତି ଖୋର୍ଦ୍ଧା ବେଗୁନିଆ ବ୍ଲକ ବାଘମାରି ଗ୍ରାମର ସତ୍ୟବ୍ରତ ସେଠୀ । ପିଲାଟି ଦିନରୁ ସାବୁନରେ ହସ୍ତଶିଳ୍ପ ପ୍ରସ୍ତୁତ କରିବା ଥିଲା ତାଙ୍କ ନିଶା । ମୂର୍ତ୍ତି ଗୁଡିକ ଅତି ନମନୀୟ ଓ ଆକର୍ଷଣୀୟ ହୋଇଥିବାରୁ ଏହାକୁ କିଣିବାକୁ ଲୋକେ ଧାଇଁ ଆସନ୍ତି । ପୁଅର ଏହି କଳାକୃତିରେ ବାପା ମଧ୍ୟ ବେଶ ଖୁସି । ହେଲେ ଗୋଟିଏ ମୂର୍ତ୍ତି ତିଆରି କରିବାକୁ ତାଙ୍କୁ ଦିନଟିଏ ଲାଗୁଥିବା ବେଳେ ଶହେରୁ ଦୁଇ ଶହ ଟଙ୍କାରେ ବିକିଥାନ୍ତି ।
ସରକାର କଳା ସଂସ୍କୃତିକୁ ବଞ୍ଚାଇ ରଖିଥିବା ଶିଳ୍ପୀଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । କିନ୍ତୁ କିପରି ଜଣେ ଶିଳ୍ପୀ ତାର ପରିଶ୍ରମର ଉଚିତ ମୂଲ୍ୟ ପାଇବେ ଓ ଏହି କଳାକୃତିର ବ୍ୟବସାୟ ବୃଦ୍ଧିହେବ, ସେ ପ୍ରତି ସରକାର ଯତ୍ନବାନ ହେଲେ ସତ୍ୟବ୍ରତ ଉପକୃତ ହୋଇପାରିବେ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ