ଭୁବନେଶ୍ବର: ରାଜ୍ୟରେ ହେବ ସଫ୍ଟେଓୟାର ଟେକ୍ନୋଲୋଜି ପାର୍କ ଓ 5G ଲ୍ୟାବ । ରାଜ୍ୟରେ ଆଜି ଠାରୁ 5ଜି ସେବା ଆରମ୍ଭ ହୋଇଛି । ଏହି ସେବା 2 ବର୍ଷ ଭିତରେ ସାରା ରାଜ୍ୟରେ ପହଞ୍ଚିବ । 2024 ଅଗଷ୍ଟ 15 ସୁଦ୍ଧା ରାଜ୍ୟର ସବୁ ଜାଗାରେ ଟାୱାର କନେକ୍ଟିଭିଟି ହୋଇଯିବ । ଫାଇବର କେବୁଲ ବିଛାଇବା ପାଇଁ ପ୍ରଧାନମନ୍ତ୍ରୀ 11 ଶହ କୋଟି ଟଙ୍କା ରାଜ୍ୟକୁ ଦେଇଛନ୍ତି । ରାଜ୍ୟର ପ୍ରତି ଗାଁ ଓ ସ୍କୁଲକୁ ହାଇସ୍ପିଡ କେବୁଲ ପହଞ୍ଚିବା ନେଇ କାର୍ଯ୍ୟ ଆରମ୍ଭ ହୋଇଛି। ଏହା ସହ STPI ଦ୍ୱାରା ରାଜ୍ୟର 8ଟି ଜାଗାରେ ହେବ ସଫ୍ଟେଓୟାର ଟେକ୍ନୋଲୋଜି ପାର୍କ। ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର, ବାଲେଶ୍ୱର, ଅନୁଗୁଳ, କୋରାପୁଟ, ଜୟପୁର ଏବଂ ସମ୍ବଲପୁରରେ ହେବ ଏହି ପାର୍କ । ଚଳିତ ବର୍ଷ ଡିସେମ୍ବର 31 ସୁଦ୍ଧା ସବୁ ଟେକ୍ନୋଲୋଜି ପାର୍କ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ଆଜି ଓଡିଶାରେ 5G ସେବାର ଉଦଘାଟନ କରିବା ଅବସରରେ କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଓଡିଶାକୁ ପ୍ରଧାନମନ୍ତ୍ରୀ 5 ହଜାର 600 କୋଟିର ଟେଲିକମ ପ୍ୟାକେଜ ମଞ୍ଜୁର କରିଛନ୍ତି । ରାଜ୍ୟରେ ଥିବା 7 ହଜାର ଗାଁକୁ ମୋବାଇଲ କନେକ୍ଟିଭିଟି କରାଯିବ। ଏହାସହ ଓଡ଼ିଶାରେ ହେବ 5G ଲ୍ୟାବ। ଏନେଇ ଏମଓୟୁ ସ୍ୱାକ୍ଷର କରାଯାଇଛି । ଯୁବକ ମାନଙ୍କୁ ଉଦ୍ୟୋଗି ହେବା ପାଇଁ ଭିତ୍ତିଭୂମି ଆବଶ୍ୟକ । ସେଥିପାଇଁ ସୋଆ ବିଶ୍ଵବିଦ୍ୟାଳୟରେ 5G ଲ୍ୟାବ ତିଆରି ହେବ। ଏଥିପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଲ୍ୟାବରେ ଯୁବକ ଯୁବତୀ ତାଲିମ ନେଇ ପାରିବେ। ପ୍ରତି ଗାଁକୁ ଫାଇବର ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ସଂକଳ୍ପ ନେଇଛନ୍ତି । ଏଥିପାଇଁ 1 ହାଜର 80 କୋଟି ଟଙ୍କା କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି । ପ୍ରତି ସ୍କୁଲରେ ନୂଆ ଟେକ୍ନୋଲୋଜି ମିଳିପାରିବ ।
ମନ୍ତ୍ରୀ କହିଛନ୍ତି ଏଥିପାଇଁ ଜମି ଦରକାର । ରାଜ୍ୟ ସରକାରଙ୍କ ସହଯୋଗ ଦରକାର । ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ଓଡିଶାରେ ଆଇଟି ଶିଳ୍ପ ବିକାଶ କରିବା ପାଇଁ STPI ମାଧ୍ୟମରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଓଡିଶାରେ ମଧ୍ୟ 5G ସମ୍ବନ୍ଧୀୟ ଉପକରଣ ଉତ୍ପାଦନ ହୋଇପାରିବ। ସେଥିପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସାହାଯ୍ୟ ଯୋଗାଇଦେଲେ ଶୀଘ୍ର ହେବ। କେନ୍ଦ୍ର ସରକାରଙ୍କ ପକ୍ଷରୁ 2016ରେ ଓଡିଶାରେ ଏକ ଇଲେକ୍ଟ୍ରୋନିକ୍ସ ମ୍ୟାନୁଫାକ୍ଚରିଂ କ୍ଲଷ୍ଟର କରିବା ପାଇଁ ମଞ୍ଜୁର ହୋଇଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ସହଯୋଗ ଅଭାବରୁ ତାହା ଏବେ ସୁଦ୍ଧା କାମ ଆଗକୁ ବଢ଼ିପାରୁନି । କେନ୍ଦ୍ର ସରକାର ଗୋଟିଏ ପାଦ ଆଗେଇଲେ, ରାଜ୍ୟ ସରକାରଙ୍କୁ ମଧ୍ୟ ଦୁଇ ପାଦ ଆଗକୁ ଆସିବାକୁ ପଡ଼ିବ ।
ତେବେ ରାଜ୍ୟରେ ଆଜି 5ଜି ସେବା ଆରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ କଟକ ଓ ଭୁବନେଶ୍ୱରରେ ଏହି ସେବା ଆରମ୍ଭ ହୋଇଛି । ପରେ ଅନ୍ୟ ସହର ଓ ଗ୍ରାମାଞ୍ଚଳରେ ମଧ୍ୟ ଏହି ସେବା ଆରମ୍ଭ କରାଯିବ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 510 ବିଟିଏସ ବା ବେସ ଟ୍ରାନସିଭର ଷ୍ଟେସନ ଲଗାଯାଇଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି । ଏନେଇ ମଧ୍ୟ ଆହୁରି କହିଛନ୍ତି ଯେ, 2024ରେ ବିଏସଏନଏଲ 5ଜି ସେବା ଆରମ୍ଭ କରିବ। ସାରା ଦେଶ ବା ଓଡିଶାରେ 5ଜି ସେବା ଆରମ୍ଭ ହେବା ପରେ 4ଜି ଦର ଯାହା ରହିଛି ତାହା 5ଜି ଦର ସମାନ ରହିବ। ସାରା ଦେଶରେ 5ଜି ଲାଗୁ ପାଇଁ ଅଢ଼େଇରୁ ତିନି ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଏହି 5ଜି ସେବା ପାଇଁ ପାଖାପାଖି 90 ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ୱର