ଭୁବନେଶ୍ବର: ''ଯେକୌଣସି ଦେଶ ବା ରାଜ୍ୟର ଅର୍ଥନୈତିକ ପ୍ରଗତିରେ ଏକ ଉତ୍ତମ ପରିବହନ ବ୍ୟବସ୍ଥାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସୁରକ୍ଷିତ, ସ୍ୱଚ୍ଛ ଏବଂ ଜନକଲ୍ୟାଣକାରୀ ପରିବହନ ବ୍ୟବସ୍ଥା ଜନସାଧାରଣଙ୍କୁ ଯୋଗାଇ ଦେବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ।'' ସଡ଼କ ପରିବହନ ନୀତି ଓ ଏହାର କାର୍ଯ୍ୟକାରିତା ସଂପର୍କିତ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ରାଜ୍ୟସ୍ତରୀୟ କର୍ମଶାଳାରେ ଅଧ୍ୟକ୍ଷତା କରି ଏହା କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ମନ୍ତ୍ରୀ କହିଛନ୍ତି ଯେ, ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ନିଷ୍ପତ୍ତି ଓ ପଲିସି ସବୁକୁ ତୃଣମୂଳସ୍ତରରେ ସୂଚାର ରୂପେ ଲାଗୁ କରିବା ଆରଟିଓମାନଙ୍କର ମୁଖ୍ୟ ଦାୟିତ୍ୱ । ସେଥିପ୍ରତି ଆରଟିଓମାନେ ଯତ୍ନବାନ ହେବେ ।
ବିଭିନ୍ନ ଅନଲାଇନ ସେବା ପ୍ରଦାନ ଏବଂ ବିଭାଗରେ ଆଧୁନିକୀକରଣ ପ୍ରୟୋଗ କରିବାରେ ଓଡ଼ିଶା ସାରା ଭାରତବର୍ଷରେ ଅଗ୍ରଣୀ ରାଜ୍ୟ । ସେବା ପ୍ରଦାନ ସହ ବକେୟା ପଡ଼ିଥିବା ମୋଟରଯାନ ଟିକସ ଆଦାୟ କରିବା, ଏନଫୋର୍ସମେଣ୍ଟ ପରିଚାଳନା ପାଇଁ ମଧ୍ୟ ଆଞ୍ଚଳିକ ପରିବହନ ଅଧିକାରୀମାନେ ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ । ଜନସାଧାରଣଙ୍କୁ ଉପଯୁକ୍ତ ସେବା ଯୋଗାଇଦେଇ ‘ମୋ ସରକାର’ କାର୍ଯ୍ୟକ୍ରମରେ ବିଭାଗକୁ ଭଲ ଫିଡବ୍ୟାକ ମିଳୁଥିବାରୁ ମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ।
ଆରଟିଓ ଓ ଏମଭିଆଇମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆର୍ଟିଓମାନଙ୍କ କାର୍ଯ୍ୟ ଦକ୍ଷତା ତଥା ଅଭିନବ କାର୍ଯ୍ୟକଳାପ ଭିତ୍ତିରେ ସେମାନଙ୍କୁ ରାଜ୍ୟସ୍ତରରେ ସମ୍ମାନିତ କରାଯିବ । ଦୁର୍ଘଟଣାଗ୍ରସ୍ତଙ୍କର କିପରି ତୁରନ୍ତ ଜୀବନ ବଞ୍ଚାଯାଇପାରିବ ସେଥିପାଇଁ ଜିଲ୍ଲାସ୍ତରରେ ଅଧିକରୁ ଅଧିକ ଉତ୍ତମ ସାହାଯ୍ୟକାରୀ ସୃଷ୍ଟି କରିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀମାନେ ଚେଷ୍ଟା କରନ୍ତୁ କହିଛନ୍ତି ଟୁକୁନି ସାହୁ ।
ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି ଯେ, ‘‘ସେବାପ୍ରଦାନ କ୍ଷେତ୍ରରେ ଆମ ରାଜ୍ୟରେ ମିଳୁଥିବା ସୁବିଧାସୁଯୋଗ ଅନ୍ୟ କୌଣସି ରାଜ୍ୟରେ ପ୍ରାୟତଃ ଦେଖିବାକୁ ମିଳେନାହିଁ । ରାଜ୍ୟର ସାମଗ୍ରିକ ବିକାଶ ଦୃଷ୍ଟିକୋଣରୁ ଏକ ଟିମ ଭାବେ କାର୍ଯ୍ୟ କରିବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ସେ ଆହ୍ୱାନ ଦେଇଛନ୍ତି ।’’ ଏହାସହ ରାଜ୍ୟର ସମୃଦ୍ଧି ଏବଂ ପ୍ରଗତି ପାଇଁ ପରିବହନର ମୁଖ୍ୟ ଅବଦାନ ରହିଛି । ତେଣୁ ରାଜ୍ୟର ସମୃଦ୍ଧି ପାଇଁ ଅଧିକାରୀମାନେ ସମୟ ସହିତ ତାଳଦେଇ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାବ୍ୟତୀତ ବିଭିନ୍ନ ଦୁର୍ଘଟଣାଗ୍ରସ୍ତଙ୍କୁ ସରକାରୀ ସ୍ତରରେ ଦିଆଯାଉଥିବା ଅନୁକମ୍ପା ସହାୟତା କିଭଳି ଭାବେ କ୍ଷତିଗ୍ରସ୍ତମାନେ ସହଜରେ ଏବଂ ସଙ୍ଗେ ସଙ୍ଗେ ପାଇପାରିବେ ସେଥିପ୍ରତି ଦୃଷ୍ଟିଦେବାକୁ ମଧ୍ୟ ସେ ଉପସ୍ଥିତ ଅଧିକାରୀମାନଙ୍କୁ କହିଛନ୍ତି ।
ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମନୋଜ କୁମାର ମିଶ୍ର ଉପସ୍ଥିତ ପରିବହନ ଅଧିକାରୀମାନଙ୍କୁ ସମସ୍ତ କାର୍ଯ୍ୟ ଅନଲାଇନ ମାଧ୍ୟମରେ କରିବାକୁ ପରାମର୍ଶ ଦେଇଛନ୍ତି । ଏହା ସହ ୫-‘ଟି’ ଉପଯୋଗରେ ସମସ୍ତେ ନିଜ ନିଜର ସର୍ବୋତ୍କୃଷ୍ଟ ଉଦ୍ୟମ ଦେଇ ବିଭାଗ ପାଇଁ ସୁନାମ ଆଣିବାକୁ ସେ କହିଛନ୍ତି । ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ସଡ଼କ ପରିବହନ ନୀତି କାର୍ଯ୍ୟକାରିତା ଅନ୍ତର୍ଗତ ସଡ଼କ ସୁରକ୍ଷା, ନିୟମର କଡ଼ାକଡ଼ି ଅନୁପାଳନ, ଭିତ୍ତିଭୂମି ଉନ୍ନୟନ ଏବଂ ରାଜସ୍ୱ ଆଦାୟ ସଂପର୍କିତ ତଥ୍ୟ ମଧ୍ୟ ଉପସ୍ଥାପନ କରାଯାଇଛି ।
ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଦୀପ୍ତେଶ ପଟ୍ଟନାୟକ ନିଗମ ପକ୍ଷରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯୋଗାଇ ଦିଆଯାଉଥିବା ବସ୍ ସେବା ବିଷୟରେ ସବିଶେଷ ତଥ୍ୟ ରଖିଛନ୍ତି । ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସଂଜୟ କୁମାର ମିଶ୍ର ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ ପ୍ରଦାନ ପାଇଁ ଅଧିକରୁ ଅଧିକ ସଚେତନତା ସୃଷ୍ଟି ସହ ଇ-ଚାଲାଣ ବ୍ୟବସ୍ଥା, ମାଲ ପରିବହନ କ୍ଷେତ୍ରରେ ଆସୁଥିବା ବିଭିନ୍ନ ଅସୁବିଧା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର