ଭୁବନେଶ୍ବର: ଆସନ୍ତାକାଲି ବସିବ ଭାରତୀୟ ଜନତା ପାର୍ଟିର ରାଜ୍ୟସ୍ତରୀୟ ସାଂଗଠନିକ ବୈଠକ । ବୈଠକରେ ସାମିଲ ହେବା ପାଇଁ ଓଡିଶା ଆସୁଛନ୍ତି କ୍ଷେତ୍ରିୟ ପ୍ରଭାରୀ ସୁନୀଲ ବଂଶଲ ଓ ଓଡ଼ିଶା ପ୍ରଭାରୀ ଡି ପୁରନ୍ଦେଶ୍ବରୀ । 2024 ନିର୍ବାଚନକୁ ଦୃଷ୍ଟିରେ ରଖି ବୈଠକରେ ରାଜ୍ୟ ବିଜେପି ନେତୃତ୍ବଙ୍କୁ ଗୁରୁ ମନ୍ତ୍ର ଦିଆଯିବ ।
ସମ୍ଭାବ୍ୟ ଆଗୁଆ ନିର୍ବାଚନକୁ ଦୃଷ୍ଟିରେ ରଖି ଘର ସଜାଡ଼ିବାରେ ଲାଗିଛନ୍ତି ବିଭିନ୍ନ ରାଜନୈତିକ ଦଳ । ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ପାଇଁ ଲାଗି ପଡିଛି ବିଜେପି । ଦଳ କିପରି ମଜଭୁତ ହୋଇ ନିର୍ବାଚନ ଲଢ଼ିବ ଓ ସଫଳ ହେବ ସେନେଇ ରୋଡ୍ ମ୍ୟାପ କରୁଛି ବିଜେପି । ଏଥିପାଇଁ ଆସନ୍ତାକାଲି(ଶନିବାର) ରାଜ୍ୟ କାର୍ଯ୍ୟାଳୟରେ ବସିବ ବିଜେପିର ରାଜ୍ୟସ୍ତରୀୟ ସାଂଗଠନିକ ବୈଠକ ।
ଏନେଇ ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି, "ପ୍ରତି 3ରୁ 4 ମାସ ମଧ୍ୟରେ ଏପରି ସାଂଗଠନିକ ବୈଠକ ବିଜେପିର ଅନୁଷ୍ଠିତ ହୁଏ । ପଦ୍ମପୁର ଓ ଧାମନଗର ଉପ ନିର୍ବାଚନ ଫଳାଫଳ ନେଇ ବୈଠକରେ ଆଲୋଚନା ହେବ । ଆଗାମୀ ଦିନରେ ଦଳର ସଂଗଠନ କିପରି ଶକ୍ତିଶାଳୀ ହେବ ସେନେଇ ରୋଡ୍ମ୍ୟାପ ପ୍ରସ୍ତୁତ ହେବ । ବିଶେଷ କରି ବୁଥସ୍ତର ୟୁନିଟକୁ ସଶକ୍ତ କରାଯିବ, ସେନେଇ ଖସଡ଼ା ପ୍ରସ୍ତୁତ କରାଯିବ । କ୍ଷେତ୍ରିୟ ପ୍ରଭାରୀ ସୁନୀଲ ବଂଶଲ ଓ ଓଡ଼ିଶା ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଆସୁଛନ୍ତି । ବୈଠକରେ ରାଜ୍ୟ ବିଜେପିର ନେତୃତ୍ବ ଉପସ୍ଥିତ ରହିବେ । 2024 ନିର୍ବାଚନକୁ ଦୃଷ୍ଟିରେ ରଖି ସଂଗଠନକୁ ବୃଦ୍ଧି କରିବା ଲାଗି ଆଲୋଚନା ହେବ।"
୨୦୨୪ ନିର୍ବାଚନକୁ ଦୃଷ୍ଟିରେ ଦେଖି ଏବେ ଘର ସଜାଡିବାର ଲାଗିଲାଣି ବିଜେପି । ଏନେଇ ରଣନୀତି ପ୍ରସ୍ତୁତ କରୁଛି ବିଜେପି । ଏଥିରେ ବିଭିନ୍ନ ଦାୟିତ୍ୱନ୍ୟସ୍ତ ବ୍ୟକ୍ତି ସାମିଲ ରହିବେ । ବିଭିନ୍ନ ଯୋଜନା ବିଭିନ୍ନ ଆଲୋଚନା ଉପରେ ନିଷ୍ପତ୍ତି ନିଆଯିବ । ବର୍ତ୍ତମାନ ସଂଗଠନ ଉପରେ ଫୋକସ୍ ରହିବ । ୨୦୨୪ ପାଇଁ ଯାହା ମାନସ ମନ୍ଥନ ଓ ସାଙ୍ଗଠନିକ ପ୍ରକ୍ରିୟା ନେଇ ଏକା ସାଙ୍ଗରେ ଯୋଜନା ଆରମ୍ଭ ହେବ ଏବଂ ନିଷ୍ପତ୍ତି ନିଆଯିବ । ଦଳର ଫୋକସ୍ରେ ଉଭୟ ସଙ୍ଗଠନ ଏବଂ ଆନ୍ଦୋଳନାତ୍ମକ ଆଭିମୁଖ୍ୟ ରହିଛି । ଦୁଇଟି ଦିଗକୁ ନେଇ ବିଜେପି ଆଗକୁ ବଢିବ ।
ଇଟିଭି ଭାରତ, ଭୁବନେଶ୍ବର