ଭୁବନେଶ୍ବର: ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଲଗାଣ ବର୍ଷା ଯୋଗୁଁ ସଙ୍ଗୀନ ପରିସ୍ଥିତି ସୃଷ୍ଟି ହୋଇଛି । ତୁହାକୁ ତୁହା ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଆଜି ଲଗାଣ ବର୍ଷା ଓ ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ । ୧୭ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସ୍ଥିତି ନେଇ ଆଲୋଚନା କରିଛନ୍ତି ଏସଆରସି । ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାର ସାମ୍ପ୍ରତିକ ସ୍ଥିତି ବାବଦରେ ଏସଆରସିଙ୍କୁ ଅବଗତ କରାଇଛନ୍ତି । ବର୍ଷା ଓ ପରବର୍ତ୍ତୀ ସମୟରେ ସୃଷ୍ଟି ହୋଇଥିବା ବା ହେବାକୁ ଥିବା ସମସ୍ୟାର ସମାଧାନ ପାଇଁ ସତର୍କତା ମୂଳକ ପଦକ୍ଷେପ ନେବାକୁ ଏସଆରସି ପରାମର୍ଶ ଦେଇଛନ୍ତି ।
ଯେଉଁ ସ୍ଥାନର ପାଣି ଜମି ରହିବାର ଆଶଙ୍କା ରହିଛି ସେ ଅଞ୍ଚଳରେ ଆଗୁଆ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ଜଳବନ୍ଦୀ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତର କରିବା ସହ ସେମାନଙ୍କୁ ଆବଶ୍ୟକ ଅନୁସାରେ ଶୁଖିଲା କିମ୍ବା ରନ୍ଧା ଖାଦ୍ୟ ଓ ପାନୀୟ ଜଳ ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି । ସମସ୍ତ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସାପ କାମୁଡ଼ା ଇଞ୍ଜେକ୍ସନ ମହଜୁଦ ରଖିବାକୁ ଏସଆରସି କହିଛନ୍ତି । ବର୍ଷା ଜଳ ନିଷ୍କାସନ ଓ ଉପୁଡ଼ିଥିବା ଗଛ ସଫା କରିବା ପାଇଁ ସ୍ଥାନୀୟ ଅଗ୍ନିଶମ ଓ ପ୍ରଶାସନ ପଦକ୍ଷେପ ନେବେ । ଅତ୍ୟଧିକ ବର୍ଷା ହେଲେ ଆବଶ୍ୟକ ସ୍ଥଳେ ସ୍କୁଲ ଓ ଅଙ୍ଗନୱାଡ଼ି ବନ୍ଦ ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ । ବୌଦ୍ଧ, ମୟୂରଭଞ୍ଜ, ସୁବର୍ଣ୍ଣପୁର, ଅନୁଗୋଳ, ବଲାଙ୍ଗୀର, କନ୍ଧମାଳ, ସମ୍ବଲପୁର, ଯାଜପୁର ଓ ଭଦ୍ରକରେ ଅଗ୍ନିଶମ ବାହିନୀ ଓ ଜରୁରୀ କାଳୀନ ସେବା କର୍ମଚାରୀଙ୍କୁ ମୁତୟନ ପାଇଁ କୁହାଯାଇଛି ।
ଏହାମଧ୍ୟ ପଢନ୍ତୁ: Holiday declared for schools: ପ୍ରବଳ ବର୍ଷା ପାଇଁ ଆଜି ୧୧ ଜିଲ୍ଲାରେ ସ୍କୁଲ ଛୁଟି
ଆଗାମୀ ଦୁଇ ଦିନ ଅଧିକରୁ ଅଧିକ ବର୍ଷା ଆଶଙ୍କା ଥିବାରୁ କେନ୍ଦୁଝର ଓ ସମ୍ବଲପୁରରେ, ଭଦ୍ରକ ଓ ଯାଜପୁରରେ ଓଡ୍ରାଫ ଟିମ ମୁତୟନ ହେବେ । ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ବୌଦ୍ଧ, ମୟୂରଭଞ୍ଜ, ସୁବର୍ଣ୍ଣପୁର, ଅନୁଗୋଳ, ବଲାଙ୍ଗୀର, କନ୍ଧମାଳ, ସମ୍ବଲପୁର, ଯାଜପୁର ଓ ଭଦ୍ରକରେ ଅଗ୍ନିଶମ ଡିଜିଙ୍କୁ ଅନୁରୋଧ କରାଯାଇଛି । ସମସ୍ତ ନଦୀ ଓ ଜଳଭଣ୍ଡାର ସ୍ଥିତି ସମୀକ୍ଷା କରାଯାଇ ପ୍ରଶାସନକୁ ଆଲର୍ଟ ରହିବାକୁ କୁହାଯାଇଛି । ୨୪ ଘଣ୍ଟାରେ ରାଜ୍ୟରେ ୮୩.୮୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବୌଦ୍ଧ ବ୍ଲକରେ ସର୍ବାଧିକ ୩୯୦.୬ ମିଲିମିଟର ବର୍ଷା ରେକର୍ଡ଼ ହୋଇଛି । ରାଜ୍ୟର ୪ଟି ବ୍ଲକରେ ୩୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ସେହିପରି ୧୭ ବ୍ଲକରେ ୨୦୦ ମିଲିମିଟରରୁ ଅଧିକ ଓ ୬୮ ବ୍ଲକରେ ୧୦୦ ରୁ ୨୦୦ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
ଆଜିର ସମୀକ୍ଷା ବୈଠକରେ ଓଏସଡ଼ମା ନିର୍ଦ୍ଦେଶକ ଡ଼. ଜ୍ଞାନ ଦାସ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଭିସି ଜରିଆରେ ଅନୁଗୋଳ, ବାଲେଶ୍ଵର, ବରଗଡ, ବୌଦ୍ଧ, ଭଦ୍ରକ, ବଲାଙ୍ଗୀର, ଢେଙ୍କାନାଳ, ଗଜପତି, ଝାରସୁଗୁଡ଼ା, ଯାଜପୁର, କନ୍ଧମାଳ, କେନ୍ଦୁଝର, କଳାହାଣ୍ଡି, ମୟୂରଭଞ୍ଜ, ନୂଆପଡ଼ା, ସମ୍ବଲପୁର ଓ ସୋନପୁର ଜିଲ୍ଲାପାଳ ଉପସ୍ଥିତ ରହିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର