ଭୁବନେଶ୍ବର: ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଆସନ୍ତାକାଲି (ଅକ୍ଟୋବର 6) ବଡ ପରଦାକୁ ଆସିବାକୁ ଯାଉଛି ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ମାଇଣ୍ଡ ଗେମ୍ । ରିଲିଜ ପୂର୍ବରୁ ମାଇଣ୍ଡ ଗେମ୍ର ସ୍ପେଶାଲ୍ ସ୍କ୍ରିନିଂ ହୋଇଥିବା ବେଳେ ଫିଲ୍ମ ଦେଖିଲେ ଓଡ଼ିଶା ପୁଲିସ ଟିମ୍ । ବଡ଼ ପରଦାରେ ମୁକ୍ତିଲାଭ କରିବା ପୂର୍ବରୁ ଭୁବନେଶ୍ବର ସ୍ତୁତି ସିନେପ୍ଲେକ୍ସ ଠାରେ ପୋଲିସମାନଙ୍କ ପାଇଁ ସ୍ବତନ୍ତ୍ର ସୋ’ କରାଯାଇଥିଲା । ଏହି ଅବସରରେ ପୋଲିସ ଡିଜିପି ସୁନୀଲ ବଂଶଲ, କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ସମେତ ଅନ୍ୟାନ୍ୟ ଵହୁ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ଚଳଚ୍ଚିତ୍ରଟିକୁ ଦେଖିଛନ୍ତି ।
ଓଡ଼ିଶାରେ ଘଟିଥିବା ଚାଞ୍ଚଲ୍ୟକର ପାର୍ସଲ ବୋମା ଘଟଣା ଆଜିବି ଲୋକଙ୍କ ମନରେ ତାଜା ହୋଇ ରହିଛି । ସେଦିନର ସେଇ ହୃଦୟବିଦାରକ ଓ ଲୋମ ଟାଙ୍କୁରା ଦୃଶ୍ୟ ସମସ୍ତଙ୍କୁ ସ୍ତବ୍ଧ କରିଥିବା ବେଳେ ଆଜିବି ଲୋକଙ୍କ ମନକୁ ଆନ୍ଦୋଳିତ କରେ । ଏଭଳି ଏକ ଚର୍ଚ୍ଚିତ ସତ୍ୟ ଘଟଣାକୁ ବା ଓଡ଼ିଶାର ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିଲା ଚଳଚ୍ଚିତ୍ର ‘ମାଇଣ୍ଡ ଗେମ୍’ । ପ୍ରଥମେ ନାଁକୁ ନେଇ ବିବାଦ ପରେ ସିନେମାର କାହାଣୀକୁ ନେଇ ବେଶ ବିବାଦ ଦେଖାଦେଇଥିଲା । ଦୀର୍ଘ ୫ ବର୍ଷ ପରେ ଏହି ସିନେମାଟି ମୁକ୍ତି ଲାଭ କରିବାକୁ ଯାଉଛି । ସେଦିନର ସେହି ଘଟଣା ସହ ଓଡିଶା ପୋଲିସର କର୍ତ୍ତବ୍ୟ ପରାୟଣାତାର ପରାକାଷ୍ଠା ସିନେମା ମାଧ୍ୟମରେ ଲୋକମାନଙ୍କ ପାଖକୁ ପହଞ୍ଚାଇବା ପାଇଁ ପ୍ରଯୋଜକ ଶ୍ରୀଧର ମାର୍ଥା ଦୀର୍ଘ ପାଞ୍ଚ ବର୍ଷ ପୂର୍ବରୁ ପ୍ରୟାସ କରିଥିବା ବେଳେ ତାହା ଆଜି ରୂପେଲି ପରଦାକୁ ଆସିବାକୁ ଯାଉଛି ।
ବିଶେଷ କରି ବର୍ଷ ପରେ ବର୍ଷ ଗଡିଚାଲିଥିବା ସତ୍ତ୍ବେ ଚଳଚ୍ଚିତ୍ର ମାଇଣ୍ଡ ଗେମ୍ ରିଲିଜ୍ ହେଉନଥିବାରୁ ଦର୍ଶକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥିଲା । ହେଲେ ସେ ପ୍ରଶ୍ନର ଅନ୍ତ ହୋଇଛି । ଚଳଚ୍ଚିତ୍ର ମାଇଣ୍ଡ ଗେମ୍ ପ୍ରେକ୍ଷାଳୟକୁ ଆସିବାକୁ ଯାଉଥିବା ବେଳେ ଦର୍ଶକ ଓଡ଼ିଶା ମାଟିର ଏକ ଚାଞ୍ଚଲ୍ୟ କର ଘଟଣାକୁ ଦେଖି ସଚେତନତାର ବାର୍ତ୍ତା ଟିଏ ପାଇବେ ନିଶ୍ଚୟ । ଆଉ ଏହି ସଚେତନତାର ବାର୍ତାକୁ ପ୍ରତିପାଦିତ କରିବା ପାଇଁ ଯେଉଁ ଓଡିଶା ପୋଲିସଙ୍କର ଅବଦାନ ରହିଛି ଅର୍ଥାତ ଅପରାଧ ଯେତେ ଚତୁର ହେଲେ ବି ତାର ଅପରାଧର ପ୍ରମାଣ କିଭଳି ଛାଡ଼ି ଯାଇଥାଏ ଓ ଜଣେ କତ୍ତବ୍ୟ ନିଷ୍ଠା ପୋଲିସ ଅଧିକାରୀ କିଭଳି ଘଟଣା ପଛରେ ଥିବା ସତ୍ୟକୁ ଉନ୍ମୋଚନ କରେ ତାହାହିଁ ଏହି ସିନେମାରେ ଦର୍ଶାଯାଇଛି । ଯାହା ସିନେମାଟିକୁ ଶେଷ ଯାଏ ଦେଖିବା ପାଇଁ ଦର୍ଶକଙ୍କୁ ବାନ୍ଧି ରଖିବ ।
ଫିଲ୍ମର ମୁକ୍ତିଲାଭ ପୂର୍ବରୁ ଓଡିଶା ପୋଲିସର ୨୦୦ରୁ ଊର୍ଦ୍ଧ୍ବ ପୋଲିସ ଅଧକାରୀ ଚଳଚିତ୍ର ଦେଖିଛନ୍ତି । ପୋଲିସ ମହାନିର୍ଦେଶକଙ୍କ ଠାରୁ ଆରମ୍ଭ କରି ଥାନା ଅଧିକାରୀ ଓ ଅନନ୍ୟ ପୋଲିସ ଅଧିକାରୀ ମାନେ ଧୈର୍ଯ୍ୟର ସହ ପୁରା ସିନେମାକୁ ଦେଖିଥିବା ବେଳେ ଶେଷରେ ପ୍ରଶଂସା କରିଛନ୍ତି । ସବୁଠାରୁ ବଡ କଥା ହେଉଛି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଯିଏ କି ସତ୍ୟ ଘଟଣାର ବାସ୍ତବ ହିରୋ ଥିଲେ ସେ ମଧ୍ୟ ଏହି ସିନେମାକୁ ଦେଖିଥିବା ବେଳେ ସିନେମାର ପ୍ରସ୍ତୁତି ଓ କାହାଣୀ ଓ ପ୍ରତିଟି ଚରିତ୍ରର ନିଖୁଣ ଅଭିନୟକୁ ନେଇ ବେଶ ପ୍ରଶଂସା କରିବା ସହ ପୁରା ଟିମକୁ ଶୁଭେଚ୍ଛା ଦେଇଛନ୍ତି । ସେହିପରି ସମାଜରେ ସାଧୁତାର ସହ ଚାଲୁଥିବା ବ୍ୟକ୍ତି ବି ନିଜର ଜିଦ ଓ ଅହଂ ଭାବକୁ ନେଇ କେତେ ହିଂସ୍ର ହୋଇପାରେ ଆଉ ନିରୀହ ଜୀବନକୁ ନଷ୍ଟ କରିପାରେ ତାହା ଏଥିରେ ଦେଖାଯାଇଥିବା ବେଳେ କାହାଣୀକୁ ନେଇ ଯୁବପିଢିଙ୍କୁ ସଚେତନତା ସହ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି ପୋଲିସ ମହାନିର୍ଦେଶକ ।
ଏହା ମଧ୍ୟ ପଢନ୍ତୁ: ପରଦାରେ ପାଟଣାଗଡ ପାର୍ସଲବୋମା କାହାଣୀ, ଆସୁଛି ମାଇଣ୍ଡଗେମ
ଅନ୍ୟପଟେ ମାଇଣ୍ଡ ଗେମ୍ ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଓଡ଼ିଆ ପୁଅ ମନୋଜ ମିଶ୍ର ଅଭିନୟ କରିଛନ୍ତି। ଯିଏ କି, ଉଭୟ ବଲିଉଡ, ଟଲିଉଡର ଜଣେ ସୁପରିଚିତ ଅଭିନେତା । ଏହାସହ ପୋଲିସ ଚରିତ୍ରରେ ରହିଛନ୍ତି ବେଶ ଜଣାଶୁଣା ବଲିଉଡ଼ ଅଭିନେତା ଅତୁଲ କୁଲକର୍ଣ୍ଣି । ତେବେ ଚଳଚ୍ଚିତ୍ର ମାଇଣ୍ଡଗେମ୍ ବ୍ୟୟ ବହୁଳ ହୋଇଥିବା ବେଳେ ଏଥିରେ ଟଲିଉଡ ତଥା ବଲିଉଡର ଆଗଧାଡିର ୩ ଜଣ ଅଭିନେତା ଅତୁଲ କୁଲକର୍ଣ୍ଣି, ଯଶପାଲ ଶର୍ମା, ତନକିଲ୍ଲା ଭର୍ଣ୍ଣିଙ୍କ ସହିତ ଅନୁ ଚୌଧୁରୀ, ଚିନ୍ମୟ ମିଶ୍ର ଅପସରା ରାଣୀ ପ୍ରମୁଖ ଅଭିନୟ କରିଛନ୍ତି। ଏହି ସିନେମାରେ ତେଲୁଗୁ ସିନେମାର ରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ ଜଣେ ଆଗଧାଡିର ଜଣାଶୁଣା ନିର୍ଦ୍ଦେଶକ ରାଜେଶ ଟଚରିଭର ନିର୍ଦ୍ଦେଶନା ଦେଇଛନ୍ତି। ସମସ୍ତଙ୍କର ପରିଶ୍ରମ ଓ ଅଭିନୟ ଚତୁରତାକୁ ନେଇ ଚଳଚ୍ଚିତ୍ରଟି ଭଲ ହୋଇଥିବା ବେଳେ ସିନେ ପ୍ରେମୀଙ୍କୁ ହଲ ଆସି ସିନେମା ଦେଖିବାକୁ ଅନୁରୋଧ କରିଛି ପୁରା ଟିମ୍।
ଇଟିଭି ଭାରତ, ଭୁବନେଶ୍ବର