ହାଇଦ୍ରାବାଦ: ଓଡିଶାର ମୁଖ୍ୟପର୍ବ ମଧ୍ୟରୁ ରଜ ହେଉଛି ଅନ୍ୟତମ । ଏହା ଏକ ଗଣପର୍ବ । ଏହାକୁ 3 ଦିନ ଧରି ପାଳନ କରାଯାଇଥାଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟରେ ରଜ ସଂକ୍ରାନ୍ତି, ତୃତୀୟରେ ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ରଜ ଆସିବା ମାସକ ଆଗରୁ ଏହାର ପ୍ରସ୍ତୁତିରେ ଲାଗି ପଡିଥାନ୍ତି ଆବାଳ-ବୃଦ୍ଧ-ବନିତା । ତେଣିକି ସେ ପିଠା ପ୍ରସ୍ତୁତି ହେଉ କିମ୍ବା ଦୋଳି ବନ୍ଧା ହେଉ । ରଜ ପାଳନ କରିବାରେ ଏକପ୍ରକାର ଅଲଗା ମଜା ଥାଏ । 3 ଦିନିଆ ରଜ ପାଳିବାକୁ ସମସ୍ତେ ଯେପରି ଅନାଇ ବସିଥାନ୍ତି । କାରଣ ଏହି ରଜରେ ଖାଇବା ଠାରୁ ଆରମ୍ଭ କରି ଖେଳ ପର୍ଯ୍ୟନ୍ତ ମଉଜ ହିଁ ମଉଜ । ପୁରୁଷମାନେ ଖୋ-ଖୋ, କବାଡି, ତାସ୍ ଖେଳରେ ବ୍ୟସ୍ତ ଥିବାବେଳେ ମହିଳା ଓ ଯୁବତୀମାନେ ସାଜସଜ୍ଜା ଓ ବ୍ୟଞ୍ଜନ ପ୍ରସ୍ତୁତିରେ ବ୍ୟସ୍ତ ଥାଆନ୍ତି ।
ଓଡିଆ ଘରେ ପ୍ରାୟ ସମୟରେ ପିଠା ତିଆରି ହେଉଥିଲାବେଳେ ରଜରେ ମୁଖ୍ୟତଃ ଭାବେ ଭଳିକିଭଳି ପିଠା ପ୍ରସ୍ତୁତ ହୋଇଥାଏ । ଗାଁ ଠାରୁ ସହର ସବୁଆଡ ପିଠାର ବାସ୍ନାର ମହକିଥାଏ । ତେଣିକି ସେ ସୁଜି କାକରା ହେଉ କିମ୍ବା ମଣ୍ଡା-ଆରିସା । ମୁଆଁ ପିଠା ହେଉ ଅବା କରଞ୍ଜି । ଓଡିଆ ଘରର ସମସ୍ତ ପିଠାର ସ୍ବାଦ ବେଶ୍ ନିଆରା । ଏହି ପିଠା ଓଡିଶା ବାହାରେ ପ୍ରସ୍ତୁତ କରାଯାଉଥିଲେ ମଧ୍ୟ ସେହି ପ୍ରକାର ସ୍ବାଦ ଆସି ନ ଥାଏ । ତେବେ ଚାଲନ୍ତୁନା ଜାଣିବା ଓଡିଆ ଘରେ ରଜ ଭଳି ଦିନରେ କେଉଁ କେଉଁ ପିଠା ପ୍ରସ୍ତୁତ କରାଯାଇଥାଏ....
ମଣ୍ଡା ପିଠା:
ମଣ୍ଡା ପିଠା ସମସ୍ତଙ୍କର ଭାରି ପ୍ରିୟ । ଏଥିରେ ତେଲ ବ୍ୟବହାର ହେଉ ନ ଥିବାରୁ ଏହା ଶରୀର ପକ୍ଷେ ସ୍ବାସ୍ଥ୍ୟକର । ଏହା ସମ୍ପୂର୍ଣ୍ଣ ସିଝା ପ୍ରଣାଳୀରେ ହୋଇଥାଏ । ଏହା ଅରୁଆ ଚାଉଳ ଗୁଣ୍ଡରେ ପ୍ରସ୍ତୁତ ହୋଇଥାଏ । ଭଳିକି ଭଳି ମଣ୍ଡା ପିଠା ପ୍ରସ୍ତୁତ ହୋଇଥାଏ । ମଟର-ଆଳୁ, ବନ୍ଧାକୋବି, ଫୁଲକୋବି-ଆଳୁ, ମୁଗ-ଗୁଡ, ଦାନ୍ତନିକିଟା(ବିରି ଆଣରେ ପ୍ରସ୍ତୁତ), କଟାଆଳୁ ମସଲା, ନଡିଆ-ଗୁଡ, ଛେନା-ଗୁଡ, ରାଶି-ଗୁଡ, କୋଳଥ-ଗୁଡ ଆଦି ପୁର ଦିଆଯାଇ ମଣ୍ଡା ପିଠା ତିଆରି କରାଯାଇଥାଏ ।
କେମିତି ପ୍ରସ୍ତୁତ କରିବେ...
ପ୍ରଥମେ ଅରୁଆ ଚାଉଳକୁ ଗୋଟେ ରାତି ବତୁରାଇ ଦିଅନ୍ତୁ । ସକାଳେ ଏହାକୁ ଭଲଭାବେ ଧୋଇ ଦେଇ ପବନରେ ନଚେତ୍ ଖରାରେ ଶୁଖାଇ ଦିଅନ୍ତୁ । ଏଥିରୁ ଭଲଭାବେ ପାଣି ଶୁଖିଗଲା ପରେ ଏହାକୁ ଗୁଣ୍ଡ କରନ୍ତୁ, ମନେ ରଖିବେ ଯେମିତି ଏଥିରେ ଖଦଡ ନ ରହିଯାଏ । ନଚେତ୍ ପିଠା ସିଝିଲାବେଳେ ହିଁ ଭାଙ୍ଗି ଯିବାର ସମ୍ଭାବନା ଥାଏ । ଇଟିଲି ଛାଞ୍ଚରେ ଥିବା ଥାକ ଗୁଡିକୁ ପ୍ରଥମେ କାଢି ଦିଅନ୍ତୁ । ପରେ ସେଥିରେ ଆନୁମାନିକ ପାଣି ଗରମ କରନ୍ତୁ । ଏବେ ନିଜ ମନମୁତାବକ ପୁର ପ୍ରସ୍ତୁତ କରନ୍ତୁ । କଢେଇରେ କିଛି ପାଣି ଗରମ କରି ସ୍ବାଦ ଅନୁସାରେ ଲୁଣ ପକାଇ ଦିଅନ୍ତୁ, ପାଣି ଭଲଭାବେ ଗରମ ହୋଇଗଲା ପରେ ସେଥିରେ ଗୋଟିଏ ହାତରେ ଚାଉଳ ଗୁଣ୍ଡ ପକାନ୍ତୁ ଓ ଅନ୍ୟ ହାତରେ ଏହାକୁ ଗୋଳାନ୍ତୁ। ଖଳି ପ୍ରସ୍ତୁତ ହୋଇଗଲା ପରେ ଏହାକୁ ତେଲ ଲଗା ହୋଇଥିବା ଏକ ପାତ୍ରରେ କାଢି ଦିଅନ୍ତୁ । ଖଳି ଥଣ୍ଡା ହୋଇଗଲା ପରେ ପୁର ଦେଇ ପିଠା ପ୍ରସ୍ତୁତ କରନ୍ତୁ । ପୂର୍ବରୁ ଗରମ ହୋଇଥିବା ଇଟିଲି ଛାଞ୍ଚର ଥାକରେ ପିଠା ଗୁଡିକୁ ସିଝିବା ପାଇଁ ରଖି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ମଣ୍ଡା ପିଠା ।
ସୁଜି କାକରା:
ମଣ୍ଡା ପିଠା ଭଳି ସୁଜି କାକରା ପ୍ରସ୍ତୁତିରେ ବେଶୀ ସମୟ ଲାଗି ନ ଥାଏ । ଏହା ଖୁବ୍ କମ୍ ସମୟ ଓ ଖୁବ୍ କମ୍ ଖର୍ଚ୍ଚରେ ହୋଇଥାଏ । ତେଣୁ ଯେ କୌଣସି ପର୍ବ ପର୍ବାଣୀ ହେଲେ ସଭିଏଁ ସୁଜି କାକରା ପ୍ରସ୍ତୁତ କରିବାକୁ ଭଲ ପାଆନ୍ତି । ପ୍ରଥମେ ସୁଜିର ଖଳି(ଆଣ) ତିଆରି କରନ୍ତୁ । ଏହାକୁ ପ୍ରସ୍ତୁତ କଲାବେଳେ ପାନମଧୁରୀ ଟିକେ ପାଣିରେ ପକାଇ ଦିଅନ୍ତୁ । ଏହାପରେ ନଡିଆ ପୁର ପ୍ରସ୍ତୁତ କରନ୍ତୁ । ଗୁଡରେ ନଡିଆ ପୁର ମିଶାଇ ତିଆରି କଲେ ଏହା ବେଶୀ ସ୍ବାଦିଷ୍ଟ ହୋଇଥାଏ । ପୁରରେ ଗୁଜୁରାତି ଗୁଣ୍ତ, କାଜୁ, ଛେନା, ଗୋଲମରିଚ ଗୁଣ୍ଡ ଓ କିସମିସ ମିଶାନ୍ତୁ । ପରେ ଉକ୍ତ ସୁଜି ଖଳିରେ ପୁର ଦେଇ ପିଠା ପ୍ରସ୍ତୁତ କରନ୍ତୁ। କଡେଇରେ ତେଲ ଗରମ କରି ଏହାକୁ ବାଦାମୀ ରଙ୍ଗ ହେବା ଯାଏଁ ଛାଣନ୍ତୁ । ଥଣ୍ଡା ହେଲା ପରେ ଖାଆନ୍ତୁ ।
ମୁଆଁ ପିଠା:
ଏହା ଏକ ଏମିତି ପିଠା, ଯାହାକୁ ଯେତେବେଳେ ନାଇ ସେତେବେଳେ ତିଆରି କରିପାରିବେ । ଚାଉଳ, ବିରି, ନଡିଆ, ତେଲ କିମ୍ବା ଘିଅ ହେଲେ ପିଠା ପ୍ରସ୍ତୁତ । ଏହାକୁ ଆପଣ କଡେଇରେ କିମ୍ବା ପ୍ରେସର କୁକରରେ ତିଆରି କରିପାରିବେ । ପୂର୍ବରୁ ବତୁରା ହୋଇଥିବା ଚାଉଳ ଓ ବିରିକୁ ଭଲଭାବେ ବାଟି ଦିଅନ୍ତୁ । ଏହାପରେ ଏଥିରେ ନଡିଆ କୋରା, ଛେନା, କିସମିସ୍, କାଜୁ, ବାଦାମ, ଅଳ୍ପ ଖାଇବା ସୋଢା, ଚିନିକୁ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । କିଛି ସମୟ ରଖି ଦିଅନ୍ତୁ । କଡେଇରେ କିମ୍ବା ପ୍ରେସରକୁକରରେ ଗୁଆଘିଅ କିମ୍ବା ରିଫାଇନ ତେଲ ଦେଇ ଗରମ କରନ୍ତୁ । ଏହାପରେ ଉକ୍ତ ଆଣକୁ ସେଥିରେ ଢାଳି ଦିଅନ୍ତୁ । ମଧ୍ୟମ ଆଞ୍ଚରେ ରଖି କିଛି ସମୟ ପାଇଁ ଛାଡି ଦିଅନ୍ତୁ । ପିଠାରୁ ଧୀରେ ଧୀରେ ବାସ୍ନା ଆସିବା ପରେ ପିଠାର ମଝିରେ ଛୁରୀ ପୁରାଇ ଦେଖନ୍ତୁ । ଯଦି ଛୁରୀରେ କିଛି ଲାଗି ନ ଥାଏ, ତେବେ ଆପଣଙ୍କ ମୁଆଁ ପିଠା ପ୍ରସ୍ତୁତ । ମନମୁତାବକ କାଟି ସମସ୍ତଙ୍କୁ ପରଷି ଦିଅନ୍ତୁ ।
ଆରିସା:
ବାହାଘର ହେଉ କିମ୍ବା ବ୍ରତଘର, ଜନ୍ମଦିନ ହେଉ କିମ୍ବା ଦୋଳ ପୂର୍ଣ୍ଣିମା, ସବୁଥିରେ ଆରିସା ପ୍ରସ୍ତୁତ ହୋଇଥାଏ । ଏହାକୁ ଏକ ପାର୍ବଣିକ ପିଠା କହିଲେ ଅତ୍ୟୁକ୍ତି ହେବ ନାହିଁ । ରଜ କିଛି ଦିନ ଆଗରୁ ଏହି ପିଠା ତିଆରି ହୋଇଥାଏ । ଏହି ପିଠାକୁ ବହୁତ ଦିନ ପର୍ଯ୍ୟନ୍ତ ସାଇତି ରଖାଯାଇଥାଏ। ଏହା ସମ୍ପୂର୍ଣ୍ଣ ତେଲରେ ପ୍ରସ୍ତୁତ ହୋଇଥିବାରୁ ଏହା ଖରାପ ହୋଇ ନ ଥାଏ । ଗୁଡ ବ୍ୟତୀତ ଏହାକୁ ଚିନିରେ ମଧ୍ୟ ତିଆରି କରାଯାଇଥାଏ । କିନ୍ତୁ ଚିନି ଅପେକ୍ଷା ଏହା ଗୁଡରେ ବେଶ୍ ସ୍ବାଦିଷ୍ଟ ଲାଗିଥାଏ ।
କେମିତି ପ୍ରସ୍ତୁତ କରିବେ...
ପ୍ରଥମେ ରାତିରୁ ବତୁରା ହୋଇଥିବା ଅରୁଆ ଚାଉଳକୁ ଶୁଖାଇ ଦିଅନ୍ତୁ । ପରେ ଏହାକୁ ଗୁଣ୍ଡ କରି ଦିଅନ୍ତୁ । ମୁଣ୍ଡା ଗୁଡ ଅପେକ୍ଷା ଏଥିରେ ତରଳ ଗୁଡ ବ୍ୟବହାର କରନ୍ତୁ । କଡେଇରେ ଗୁଡ ଦେଇ ଏହାକୁ ଭଲଭାବେ ଅଠା ହେବା ଯାଏଁ ଅପେକ୍ଷା କରନ୍ତୁ । ଏହା ଟିକେ ଅଠାଳିଆ ହୋଇଗଲା ପରେ ଏଥିରେ ଚାଉଳ ଗୁଣ୍ଡ ପକାନ୍ତୁ । ଏହା ଯେପରି ମୁଣ୍ଡା ନ ହୋଇଯାଏ, ସେଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ପରେ ଏକ ଥାଳିରେ ତେଲ ଲଗାଇ ଏହି ଖଳିକୁ ଢାଳି ଦିଅନ୍ତୁ । ଥଣ୍ଡା ହୋଇଗଲା ପରେ ହାତରେ ଘିଅ ଲଗାଇ ଛୋଟ ଛୋଟ ଆକାରରେ ଗଢି ଦିଅନ୍ତୁ । କଡେଇର ତେଲ ଗରମ କରି ଏହାକୁ ପକାଇ ଟାଣ ହେବା ପର୍ଯ୍ୟନ୍ତ ଛାଣନ୍ତୁ । ତେଲ ଅପେକ୍ଷା ଘିଅରେ ଏହା ବେଶ୍ ସ୍ବାଦିଷ୍ଟ ଲାଗିଥାଏ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ଗୁଡ ଆରିସା ।
ପୋଡ ପିଠା:
ରଜ ଆସିଲେ ମାତ୍ରେ ପ୍ରଥମେ ପୋଡ ପିଠାର ଚିତ୍ର ମନକୁ ଆସେ । ଏହି ପିଠା କାହିଁ କେଉଁ କାଳରୁ ତିଆରି ହୋଇ ଆସୁଛି । ଏହା ସାଧାରଣତଃ ଚୁଲିରେ ତିଆରି ହୋଇଥାଏ । ମାତ୍ର ଏବେ ଗ୍ୟାସରେ ମଧ୍ୟ ପୋଡ ପିଠା ତିଆରି ହୋଇପାରୁଛି । ପୋଡ ପିଠା ପାଟିକୁ ଭାରି ସୁଆଦିଆ ଲାଗିଥାଏ । ଏହା ମୁଖ୍ୟତଃ ରଜରେ ପ୍ରସ୍ତୁତ ହୋଇଥାଏ । ପୋଡ ପିଠା କାଳିଆ ସାଆନ୍ତର ବି ଭାରି ପସନ୍ଦ । ନଡିଆ ଖଣ୍ଡ ଦିଆ ଫାଳେ ପୋଡ ପିଠା ଖାଇଦେଲେ ମନଟା ଭାରି ଖୁସି ଲାଗେ। ପୋଡ ପିଠା ଏପରି ଏକ ପିଠା, ଯାହାକୁ ସମସ୍ତେ ପ୍ରସ୍ତୁତ କରିପାରି ନଥାନ୍ତି । ରଜ 3 ଦିନ ଯାଏଁ ଏହି ପିଠା ଖିଆଯାଇଥାଏ ।
କେମିତି ପ୍ରସ୍ତୁତ କରିବେ...
ରାତିରୁ ବତୁରା ହୋଇଥିବା ବିରି ଓ ଚାଉଳକୁ ପ୍ରଥମେ ବାଟି ଦିଅନ୍ତୁ । ଏହାପରେ ଏକ ବଡ ପାତ୍ରରେ ଏହି ମିଶ୍ରଣକୁ ରଖି 3ରୁ 4 ଘଣ୍ଟା ପାଇଁ ଛାଡି ଦିଅନ୍ତୁ । ଏହାପରେ ସେଥିରେ ଭଜା ନଡିଆ, ବାଦାମ, କାଜୁ, କିସମିସ, ଛେନା, ଗୋଲମରିଚ ଗୁଣ୍ଡ, ଖଣ୍ଡ ନଡିଆ, କଟା ପାଚିଲା କଦଳୀ, ତେଜପତ୍ର, ଗୁଜୁରାତି ଗୁଣ୍ଡ, ଗୁଡ, ଲୁଣ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । ଏହାପରେ ଗ୍ୟାସରେ ତାୱା କିମ୍ବା କଡେଇ ବସାଇ ଶାଳ ପତ୍ର କିମ୍ବା କଦଳୀ ପତ୍ର ତା ଉପରେ ଘିଅ ଲଗାଇ ଏହି ମିଶ୍ରଣକୁ ଢାଳି ଦିଅନ୍ତୁ । ମିଶ୍ରଣ ଉପରେ କିଛି ପତ୍ର ରଖି ଏହାକୁ ବନ୍ଦ କରିବେ । ମଧ୍ୟମ ଆଞ୍ଚରେ ଏହାକୁ ସିଝିବାକୁ ଛାଡି ଦେବେ । ମଝିରେ ମଝିରେ ଏହାକୁ ଓଲଟାଇବେ । ଯେତେବେଳେ ଏହା ସିଝିଯିବ, ସେତେବେଳେ ଗ୍ୟାସ ବନ୍ଦ କରି ଉପରୁ ପତ୍ର କାଢି ଏହାକୁ ଏକ ପ୍ଲେଟକୁ କାଢି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ପୋଡ ପିଠା ।
ଗୁଡ-ଛେନା ପୁର ଦିଆ ଇଟିଲି:
ବର୍ଷକ ବାରମାସ ଓଡିଆ ଘରମାନଙ୍କରେ ଇଟିଲି ପିଠା ପ୍ରସ୍ତୁତ ହୋଇଥାଏ । ଏହାର ପ୍ରଣାଳୀ ଖୁବ୍ ସହଜ ହୋଇଥିବାରୁ ଏହାକୁ ପ୍ରାୟତଃ ସମସ୍ତେ ବନାଇଥାଆନ୍ତି । ସାଧା ଇଟିଲି ସହ ଚଟଣୀ ଓ ସମ୍ବର ଖାଇବାକୁ ଭଲ ଲାଗୁଥିଲାବେଳେ ଗରମ ଗରମ ଚାହାରେ ମଧ୍ୟ ଏହାର ମଜା ଖୁବ୍ ନିଆରା । ନଡିଆ ପୁର କିମ୍ବା ଛେନା ପୁରଦିଆ ଇଟିଲିକୁ ଖାଲି ଖାଇ ହୋଇଯାଇଥାଏ । ଇଟିଲି ମୁଖ୍ୟତଃ ଦକ୍ଷିଣ ଭାରତୀୟ ଖାଦ୍ୟ ହୋଇଥିବାବେଳେ ଓଡିଆ ଘରମାନଙ୍କରେ ମଧ୍ୟ ଏହା ବିଶେଷ ଭାବେ ତିଆରି କରାଯାଇଥାଏ । ରଜରେ ମୁଖ୍ୟତଃ ଛେନା ପୁର ଦିଆ ଇଟିଲି ପ୍ରସ୍ତୁତ ହୋଇଥାଏ ।
କେମିତି ପ୍ରସ୍ତୁତ କରିବେ...
ଅଧିକ ମାତ୍ରାରେ ବିରି ଓ ଅଳ୍ପ ମାତ୍ରାରେ ଅରୁଆ ଚାଉଳ ବତୁରାଇ ଦିଅନ୍ତୁ । ତା ପରଦିନ ସକାଳେ ଏହାକୁ ବାଟି ଦିଅନ୍ତୁ । ଏହାକୁ ଘୋଡାଇ 4 ରୁ 5 ଘଣ୍ଟା ପାଇଁ ରଖି ଦିଅନ୍ତୁ । ଏହାପରେ ନଡିଆ କୋରି ସେଥିରେ ଛେନା, ଗୁଜୁରାତି ଗୁଣ୍ଡ, ଚିନି/ଗୁଡ ପକାଇ ଗୋଳି ଦିଅନ୍ତୁ । ଯଦି ଚାହିଁବେ ନଡିଆ ପୁରକୁ ଟିକେ ଭାଜି ଦେଇପାରିବେ । ଇଟିଲି ଛାଞ୍ଚରେ ପାଣି ଦେଇ ଗରମ କରନ୍ତୁ । ପରେ ଛାଞ୍ଚରେ ଅଳ୍ପ ଆଣ ଦେଇ ନଡିଆ ପୁର ଦିଅନ୍ତୁ, ଏହାପରେ ସେଥିରେ ଆଉ ଟିକେ ଆଣ ଦେଇ ଦିଅନ୍ତୁ । ଏବେ ଏହାକୁ କିଛି ସମୟ ପାଇଁ ଛାଡି ଦିଅନ୍ତୁ । ଛାଞ୍ଚରୁ ବାମ୍ଫ ବାହାରିଲା ପରେ ପିଠା ସିଝିଗଲା ବୋଲି ଜଣାପଡିଥାଏ। ଏବେ ଏହାକୁ ଆଞ୍ଚରୁ କାଢି ମଟର ତରକାରୀ ନ ହେଲେ ଆଳୁ ତରକାରୀ ସହ ଖାଆନ୍ତୁ ।
ପିଠା କାହାକୁ ବା ପସନ୍ଦ ନୁହେଁ, ଏହାର ସ୍ବାଦ ଏକପ୍ରକାର ନିଆରା । ଯେତେ ଯିଏ ପିଠା ଖାଇଲେ ମଧ୍ୟ ରଜରେ କୁଣିଆ-ମୈତ୍ର ଘରେ ପିଠା ଖାଇବାର ମଜା ଅଲଗା । ରଜ ପରା ଦିନେ ଯାହା ଘରକୁ ଗଲେ ମଧ୍ୟ ଥାଳିରେ ପିଠା ଟିଏ ନିହାତି ଥିବ, ତେଣିକି ସେ କାକରା ହେଉ ଅବା ପୋଡ ପିଠା । ବିନା ପିଠାରେ ରଜ... ରଜ ଭଳି ଲାଗେ ନାହିଁ । ଧନୀ ହେଉ ଅବା ଗରିବ ସମସ୍ତଙ୍କ ଘରେ ପିଠାର ଆସର ଜମିଥାଏ। ଚକୁଳିଟିଏ ହେଲେ ମଧ୍ୟ ଘରେ ପିଠା ହେବା ଥୟ । ସେଥିପାଇଁ ଓଡିଆମାନଙ୍କ ଘରେ ପିଠାର ସ୍ବତନ୍ତ୍ରତା ଖୁବ୍ ବେଶୀ । ତେଣୁ ପିଠା ଖାଆନ୍ତୁ ଓ ସମସ୍ତଙ୍କୁ ଖାଇବାକୁ ଦିଅନ୍ତୁ ।
'ରଜ' ପର୍ବ ଅବସରରେ ସମସ୍ତ ଓଡିଶାବାସୀଙ୍କୁ 'ଇଟିଭି ଭାରତ' ପରିବାର ପକ୍ଷରୁ ସ୍ନେହବୋଳା ଶୁଭେଚ୍ଛା ଓ ଶୁଭକାମନା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ