ଭୁବନେଶ୍ବର: ପୁରୁଣା ଭୁବନେଶ୍ବର ଅଞ୍ଚଳରୁ ଉଦ୍ଧାର ହୋଇଥିବା ନାଗ ସାପର ଅଣ୍ଡା ଫୁଟି ଛୁଆ ବାହାରିଛି । ଗତକାଲି ଅଣ୍ଡା ଫୁଟିବା ପ୍ରକ୍ରିୟା ଆରମ୍ଭ ହୋଇ ଆଜି ୨୫ଟି ଅଣ୍ଡା ଫୁଟି ଛୁଆ ହୋଇଛନ୍ତି । ଅଣ୍ଡା ଗୁଡ଼ିକୁ କୃତ୍ରିମ ଉପାୟରେ ଫୁଟେଇବା ପାଇଁ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ବ୍ୟବସ୍ଥା କରିଥିଲେ । ସବୁ ଛୁଆଙ୍କୁ ଆଜି ସନ୍ଧ୍ୟାରେ ବନ କର୍ମଚାରୀଙ୍କ ଉପସ୍ଥିତିରେ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି ।
ପୁରୁଣା ଭୁବନେଶ୍ବରର ରଥ ରୋଡରେ ରହିଛି ସୁଭଦ୍ରା ସାନି ପ୍ଲାଜା । ଗତ ୫ ତାରିଖରେ ପ୍ଲାଜାର ମାଲିକ ବିଭୂତି ଭୂଷଣ ଦାସ ବିକ୍ରି ପାଇଁ ଗୋଦାମରୁ ପାଇପ ବାହାର କରୁଥିଲେ । ସେତେବେଳେ ସେ ଏକ ନାଗ ସାପକୁ ଦେଖିବା ପାଇଁ ପାଇଥିଲେ । କାମ ବନ୍ଦ କରି ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ ବିଭୂତି । ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅରୁଣ କୁମାର ବରାଳ ଘଟଣାସ୍ଥଳରେ ପହଞ୍ଚି ପାଇପ ଗଦାକୁ ହଟେଇବା ପରେ କିଛି ଅଣ୍ଡା ଦେଖିବାକୁ ପାଇଥିଲେ । ସବୁ ପାଇପ କାଢିବା ପରେ ନାଗ ସାପ ମଧ୍ୟ ଦେଖାଯାଇଥିଲା । ଅରୁଣ ପ୍ରାୟ ୪ ଫୁଟ ଲମ୍ବର ନାଗୁଣୀକୁ ଉଦ୍ଧାର କରିଥିଲେ । ଅଣ୍ଡା ଗୁଡିକୁ ଅନ୍ୟତ୍ର ନେବା ପାଇଁ ଅରୁଣଙ୍କ ପାଖରେ ବିଭୂତିଙ୍କ ଗୋଦାମ କର୍ମଚାରୀ ମାନେ ନେହୁରା ହୋଇଥିଲେ । ଯଦି ନନେବେ ଅଣ୍ଡା ଗୁଡିକ ଆମେ ସବୁ ନଷ୍ଟ କରିଦେବୁ ବୋଲି ସେମାନେ ମଧ୍ୟ କହିଥିଲେ ।
କୃତ୍ରିମ ଉପାୟରେ ଅଣ୍ଡା ଫୁଟାଇଲେ ସ୍ନେକ ହେଲ୍ପ ଲାଇନ: ଉଦ୍ଧାର ନାଗୁଣୀକୁ ଅରୁଣ ସହର ବାହାରେ ଏକ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦେଇଥିଲେ । ସେହିପରି ଅଣ୍ଡା ଗୁଡିକୁ ସ୍ନେକ ହେଲ୍ପ ଲାଇନ କାର୍ଯ୍ୟାଳୟକୁ ଆଣିଥିଲେ । ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଅଣ୍ଡା ଗୁଡ଼ିକୁ କୃତ୍ରିମ ଉପାୟରେ ଫୁଟେଇବା ପାଇଁ ବ୍ୟବସ୍ଥା କରିଥିଲେ । ଗତକାଲି ଅଣ୍ଡା ଗୁଡ଼ିକ ଫୁଟିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆଜି ୨୫ଟି ଯାକ ଅଣ୍ଡା ଫୁଟିଛି । ୨୫ ଅଣ୍ଡାରୁ ଜୀବନ୍ତ ସାପ ବହାରିଛନ୍ତି । ପ୍ରବଳ ଖରା ହେଉଥିବାରୁ ସବୁ ଛୁଆଙ୍କୁ ଆଜି ସନ୍ଧ୍ୟାରେ ପ୍ରାକୃତିକ ଆବାସସ୍ଥଳୀରେ ଛଡାଯାଇଛି । ବନ କର୍ମଚାରୀଙ୍କ ଉପସ୍ଥିତିରେ ଏହି ସମସ୍ତ ପ୍ରକ୍ରିୟା ଶେଷ ହୋଇଛି ।
ବାହ୍ୟ ଶତ୍ରୁଠାରୁ ରକ୍ଷା ପାଇଁ ଅଣ୍ଡା ଜଗେ ନାଗ: ସାଧାରଣତଃ ସାପମାନେ ସୁରକ୍ଷିତ ସ୍ଥାନ ଦେଖି ଅଣ୍ଡା ଦେଇଥାନ୍ତି । ଯେମିତି ଅଣ୍ଡା ଗୁଡିକୁ କେହି ଶିକାରୀ ଦେଖି ପାରିବେ ନାହିଁ । ଅଣ୍ଡା ଉଷୁମେଇବା ପାଇଁ ଉପଯୁକ୍ତ ତାପମାତ୍ରା ଓ ଆର୍ଦ୍ରତା ଥିବା ସ୍ଥାନ ବାଛିଥାନ୍ତି । କାରଣ ସାପ ଅଣ୍ଡାକୁ ଉଷୁମେଇ ନଥାନ୍ତି । ବରଂ ନାଗ ଆଦି ସାପ ଅଣ୍ଡା ଗୁଡ଼ିକ ଫୁଟିବା ପର୍ଯ୍ୟନ୍ତ ବାହ୍ୟ ଶତ୍ରୁଙ୍କ କବଳରୁ ରକ୍ଷା କରିବା ପାଇଁ ଜଗି ରହିଥାନ୍ତି । ନାଗ ସାପ ଅଣ୍ଡା ଫୁଟିବା ପାଇଁ ପ୍ରାୟ ୪୫ରୁ ୬୦ ଦିନ ସମୟ ଲାଗିଥାଏ । ଯଦି ସେଇ ସମୟରେ କେହି ସାପ ଅଣ୍ଡାକୁ ଏପଟ ସେପଟ କରି ଦିଏ, ତେବେ ଅଣ୍ଡା ଗୁଡ଼ିକ ଆଉ ଫୁଟି ନଥାନ୍ତି । ଅଣ୍ଡା ଗୁଡିକୁ ଫୁଟିବା ପାଇଁ ଅଧିକ ଯତ୍ନ ଆବଶ୍ୟକ ହୋଇଥାଏ ।
ସତର୍କ କଲା ସ୍ନେକ ହେଲ୍ପ ଲାଇନ: ଅଣ୍ଡାରୁ ସାପ ଫୁଟିବା ପ୍ରକ୍ରିୟା ଆରମ୍ଭ ହୋଇଛି । ତେଣୁ ସତର୍କ କରିଛି ସ୍ନେକ ହେଲ୍ପ ଲାଇନ । ଲୋକମାନେ ନିଜର ବାଡ଼ି ବଗିଚାକୁ ଭଲ ଭାବରେ ସଫା କରିଦେବା ଉଚିତ । ବାଡ଼ି ଓ ବଗିଚାରେ ନାଗ କିମ୍ବା ତମ୍ପ ସାପ ଅଣ୍ଡା ଦେଇଥାଇ ପାରନ୍ତି । ଅଣ୍ଡା ଗୁଡ଼ିକ ଫୁଟିବା ପରେ ସେହି ଘର ଏବଂ ପାଖ ପଡୋଶୀମାନଙ୍କ ପ୍ରତି ବିପଦ ଆଶଙ୍କା ବଢିଯିବ । ଯଦି ପୁରୁଣା ଭୁବନେଶ୍ବରରେ ବିଭୂତିଙ୍କ ଗୋଦାମରେ ସେହି ୨୫ଟି ଅଣ୍ଡା ଫୁଟିଥାନ୍ତା, ସେମାନେ ନିଶ୍ଚୟ ଭୟଭୀତ ହୋଇଥାନ୍ତେ । ଏହା ସହିତ ସାପ କାମୁଡ଼ା ଜନିତ ବିପଦ ନିଶ୍ଚୟ ବଢ଼ି ଥାଆନ୍ତା । ଅନ୍ୟ ପକ୍ଷରେ ସାପ ଅଣ୍ଡା ଦେଖିଲେ ସେଗୁଡିକ ନଫଟେଇ ବା ନଷ୍ଟ ନକରି ସ୍ନେକ ହେଲ୍ପ ଲାଇନ କିମ୍ବା ସ୍ଥାନୀୟ ବନ କର୍ମଚାରୀଙ୍କୁ ଖବର ଦେବା ପାଇଁ ଶୁଭେନ୍ଦୁ ଅନୁରୋଧ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର