ଭୁବନେଶ୍ବର: ସ୍ନେକ ହେଲ୍ପଲାଇନ ତରଫରୁ ସାପ ଉଦ୍ଧାରକାରୀମାନଙ୍କ ପାଇଁ ସର୍ପାଘାତ ସୁରକ୍ଷା କର୍ମଶାଳା ହୋଇଯାଇଛି । ଭୁବନେଶ୍ୱରର ବୁଦ୍ଧ ମନ୍ଦିର ଠାରେ ଏହି କର୍ମଶାଳା ହୋଇଥିଲା । ଓଡ଼ିଶାରେ ପ୍ରତିବର୍ଷ ସାପ କାମୁଡା ଜନିତ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟିବା ସମସ୍ତଙ୍କ ପାଇଁ ମୁଣ୍ଡବଥାର କାରଣ ପାଲଟିଛି । ଓସଡମା (OSDMA) ପରିସଂଖ୍ୟାନ ଅନୁଯାୟୀ ୨୦୧୫ ରୁ ୨୦୨୧ ମଧ୍ୟରେ ଓଡ଼ିଶାରେ ୬୩୫୧ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲା ୩୦୭ ଜଣଙ୍କ ମୃତ୍ୟୁ ସହିତ ଏକ ନମ୍ବର ସ୍ଥାନରେ ରହିଥିଲା । ୨୦୧୫ରେ ରାଜ୍ୟରେ ମୋଟ ୫୨୨ ସର୍ପାଘାତ ମୃତ୍ୟୁ ହୋଇଥିବା ବେଳେ, ୨୦୨୧ରେ ଏହ ଦୁଇଗୁଣ ବୃଦ୍ଧି ପାଇଁ ୧୧୫୯ରେ ପହଞ୍ଚିଥିଲା ।
ତେବେ, ଏହି ସଂଖ୍ୟା କେବଳ ଯେଉଁମାନଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିଛି, ସେଇମାନଙ୍କ ସଂଖ୍ୟା । କିନ୍ତୁ, ସ୍ନେକ ହେଲ୍ପ ଲାଇନର ଅନୁଶୀଳନ ଅନୁଯାୟୀ ପ୍ରକୃତ ମୃତ୍ୟୁ ସଂଖ୍ୟା ଏହି ସଂଖ୍ୟା ଠାରୁ ନିଶ୍ଚୟ ଅଧିକ । ଆଜି ମଧ୍ୟ ଅନେକ ସାପ କାମୁଡା ମୃତ୍ୟୁ ବିନା ରିପୋର୍ଟରେ ଏବଂ ବିନା ପୋଷ୍ଟମର୍ଟମରେ ଛପି ଯାଉଛି । ତେଣୁ କିଭଳି ଲୋକେ ସଚେତନ ହେବେ ଓ ସଠିକ ତଥ୍ୟ ମିଳିପାରିବ ସେ ନେଇ ପଦକ୍ଷପ ନେବା ଜରୁରୀ । ସାପ କାମୁଡିବା ପରେ ପରେ ହିଁ ଶୀଘ୍ର ଚିକିତ୍ସା ପାଇପାରିବେ ବା ଗୋଲ୍ଡେନ ଆୱାରରେ ହସ୍ପିଟାଲ ଆସିପାରିବେ । ଏହି ଦିଗରେ ସଚେତନତା ପାଇଁ ସାପ ଉଦ୍ଧାରକାରୀଙ୍କୁ ଡାକ୍ତର ଓ ବିଶେଷଣଜ୍ଞମାନେ ପରାମର୍ଶ ଦେଇଛନ୍ତି । କାରଣ ସଚେତନ ରହିଲେ ହିଁ ଆମେ ମୃତ୍ୟୁକୁ ଟଳିପରିବା ।
ସେହିପରି ଭୁବନେଶ୍ବର ବିଏମସି ଡାକ୍ତରଖାନାର ମେଡ଼ିସିନ ସ୍ପେସିଆଲିଷ୍ଟ ଡାକ୍ତର ନିରଞ୍ଜନ ପାଢୀ ସାପ କାମୁଡାର ସଠିକ ପ୍ରାଥମିକ ଚିକିତ୍ସା ସହିତ ଗୋଲ୍ଡେନ ଆୱାର ସମୟର ଗୁରୁତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଭାବରେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ହସ୍ପିଟାଲର ଏବଂ ମେଡ଼ିକାଲ କଲେଜର ମେଡ଼ିସିନ ବିଭାଗର ପ୍ରଫେସର ଜୟନ୍ତ କୁମାର ପଣ୍ଡା ଯୋଗ ଦେଇଥିଲେ । ସାପ କାମୁଡାର ଡାକ୍ତରୀ ଚିକିତ୍ସା, ଆଣ୍ଟିଭେନମ, ଆଇସିୟୁ, ଏବଂ କିପରି ଭାବରେ ସାପ ଉଦ୍ଧାରକାରୀମାନେ କିପରି ବିକଳାଙ୍ଗ ହେବାରୁ ବଞ୍ଚିବେ ସେ ନେଇ ବୁଝାଇଥିଲେ ।
ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ସାପ ଉଦ୍ଧାରକାରୀମାନେ ବିଶେଶଜ୍ଞଙ୍କ ପରାମର୍ଶ ମାନି କାମ କଲେ ନିଜର ଜୀବନ ବଞ୍ଚେଇବା ସହିତ ଜନସାଧାରଣଙ୍କୁ ମଧ୍ୟ ସାପଙ୍କ ଦାଉରୁ ସୁରକ୍ଷା ଦେଇପାରିବେ । ଏହାସହ ଉଦ୍ଧାରକାରୀଙ୍କ ପାଇଁ ଥିବା ନୀତି ଏବଂ ସୁରକ୍ଷା ମୁତାବିକ ସେମାନଙ୍କ ପାଇଁ ସୁବିଧା ସୁଯୋଗ ଆଣିବାକୁ ରାଜ୍ୟ ସାରାକରଙ୍କ ପାଖରେ ଦାବି ରଖିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର