ଭୁବନେଶ୍ବର: ରାଜଧାନୀରେ ଜମିଥିଲା ବସ୍ତି ବାସିନ୍ଦାଙ୍କ ହୋଲି ସେଲିବ୍ରେସନ । ନିଆରା ହୋଲି ସେଲିବ୍ରେସନ ଦେଖିବାକୁ ମିଳିଥିଲା ଅଶୋକ ନଗରରେ । ଯେଉଁଠି ଏକାଠି ହୋଇଥିଲେ ଏକାଧିକ ବସ୍ତିର ଯୁବକ ଓ ଯୁବତୀ । ଫଳରେ ଏଠାରେ ଭାଇଚାରାର ହୋଲି ସେଲିବ୍ରେସନ କରାଯାଇଥିଲା । ଏକାଠି ହୋଲି ଖେଳିବା ସହ ଭାଙ୍ଗିଥିଲେ ମାଟି ହାଣ୍ଡି । ଯାହାକି ବସ୍ତିରେ ଭାଇଚାରା ପରମ୍ପରାର ଏକ ବାର୍ତ୍ତା ଦେଇଛି ।
ତେବେ ଦିନ ଥିଲା ଅଶୋକ ନଗରର ଏହି ସ୍ଥାନରେ ଅନେକ ସମୟରେ କଳି ଝଗଡ଼ା ଓ ମାରପିଟ ଏବଂ ଗୁଣ୍ଡାଗର୍ଦି ହେଉଥିଲା । ଧିରେ ଧିରେ ଏବେ ବସ୍ତିରେ ସ୍ଥିତି ସୁଧୁରିଛି । କ୍ୟାପିଟାଲ ଥାନା ଅଞ୍ଚଳର ଏହି ରେଲୱେ ଟ୍ରାକ କଡ଼ରେ ରହିଛି ୫ରୁ ୬ଟି ଛୋଟମୋଟ ବସ୍ତି । ଫାଳିକିଆ ବସ୍ତି ଭାବେ ବେଶ ପରିଚିତ ଏହି ଅଞ୍ଚଳ । ଅନେକ ସମୟରେ ରେଲୱେ କଡର ଆରପଟ ଲକ୍ଷ୍ମିସାଗର କଦଳୀ ଗୋଦାମ ବସ୍ତି ଓ ବଡଗଡ ଥାନା ପଟ ଗୌତମ ନଗର ବସ୍ତି ସହ ଉତ୍ତେଜନାମୂଳକ ପରିସ୍ଥିତି ଥାଏ । କିନ୍ତୁ ହୋଲି ସଭିଙ୍କୁ ଏକାଠି କରିଛି । ଅଶୋକ ନଗର ବସ୍ତି ପକ୍ଷରୁ ଆୟୋଜିତ ହୋଲି ସେଲିବ୍ରେସନ ପାଇଁ ଯୋଗଦେଇଥିଲେ ବିଭିନ୍ନ ବସ୍ତିର ଯୁବପିଢି । ଆଉ ଏକାଠି ହୋଇ ନିଆରା ଢଙ୍ଗରେ କିଏ ଅଟାରେ ତ କିଏ ଅବିରରେ, ଆଉ କିଏ ବାଲିରେ ହୋଲି ଖେଳିଥିଲେ । ଏପରିକି ମାଟି ହାଣ୍ଡି ଭାଙ୍ଗିବା ଦୃଶ୍ୟ ବେଶ ମନୋରମ ଥିଲା । ଯେତେବେଳେ ଯୁବକ ମାନେ ଏକାଠି ହୋଇ ମଟକା ଭାଙ୍ଗିବାକୁ ମାନବ ଶୃଙ୍ଖଳ ତିଆରି କରି ଶଗଡ଼ି ପରି ଉପରକୁ ଉଠିବାକୁ ଚେଷ୍ଟା କରୁଥିଲେ, ଅନ୍ୟପଟେ କିଛି ଯୁବପିଢି ସେମାନଙ୍କୁ ସର୍ବତ ପାଣିର ହୋଲି ପକାଇ ସେମାନଙ୍କୁ ଖସାଇବାକୁ ଚେଷ୍ଟା କରିଥିଲେ । ପାଖାପାଖି ଅଧଘଣ୍ଟାର ପରିଶ୍ରମ ପରେ ଶେଷରେ ମଟକା ହାଣ୍ଡି ଭାଙ୍ଗିଥିଲା ।
ମ୍ୟୁଜିକ ଲଗାଇ ବେଶ ଧୁମଧାମରେ ହୋଲି ପାଳନ ହୋଇଥିଲା । ତେବେ ରଙ୍ଗର ପର୍ବ ହୋଲିରେ ଯୁବପିଢି ଏକାଠି ହେବା, ସବୁକିଛି ହିଂସା ବିଦ୍ବେଷ ଭୁଲି ଏକାଠି ହୋଇ ହୋଲି ପାଳିବା ବସ୍ତିର କିଛି ବରିଷ୍ଠ ଲୋକଙ୍କ ପାଇଁ ସମ୍ଭବ ହୋଇ ପାରିଛି ଏବଂ ବସ୍ତି ଚାଲ ଅଭିଯାନ ଜରିଆରେ ପୋଲିସର ନଜର ଭିତରେ ଏବେ ଧିରେ ଧିରେ ବସ୍ତିରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଫେରୁଛି । କାରଣ ଅନେକ ସମୟରେ ଏଠାରେ ଅପରାଧିକ କାର୍ଯ୍ୟକଳାପ ନେଇ ଦେଖାଦେଇଥାଏ ଗଣ୍ଡଗୋଳ । ଏପରିକି ହଣାକଟାଠୁ ଆରମ୍ଭ କରି ନିଶା କାରବାର ଭଳି ଅନେକ ଅନୈତିକ କାର୍ଯ୍ୟ ଧିରେ ଧିରେ ସୁଧୁରିବାକୁ ଲାଗୁଛି । ପୋଲିସ ସହ ହାତ ମିଶାଇ ବସ୍ତି ବାସିନ୍ଦା ମଧ୍ୟ ନିଜକୁ ସହଯୋଗର ହାତ ମିଳାଉଛନ୍ତି । କାରଣ ବସ୍ତିରେ ପୋଲିସ ବିଭିନ୍ନ କାର୍ଯକ୍ରମ କରି ଝିଅ ଓ ମହିଳାଙ୍କୁ ମେହେନ୍ଦି ଶିଖାଇବାଠୁ ଆରମ୍ଭ କରି ରୋଷେଇ ଶିଖାଇବା ଭଳି ତାଲିମ ମଧ୍ୟ ଦେଉଛି । ଏପରିକି ଭଲ ପାଠ ପଢୁଥିବା ଯୁବପିଢିଙ୍କୁ ଆଗାମୀ କନଷ୍ଟେବଳ ନିଯୁକ୍ତି ପଦବୀ ପାଇଁ ମଧ୍ୟ ତାଲିମ ଦାଆଯାଇଥିଲା । ସେହିପରି ଖେଳ ଓ ମନୋରଞ୍ଜନ ଭଳି କାର୍ଯ୍ୟକ୍ରମରେ ଯୁବପିଢି କିପରି ଅପରାଧ ଜଗତରେ ପାଦ ନଦେଇ ସ୍ବଭାବିକ ଭାବେ ଆତ୍ମନିର୍ଭରଶୀଳ ହୋଇ ସମାଜ ପରିବର୍ତ୍ତନରେ ନିର୍ଣ୍ଣାୟକ ଭୂମିକା ନେବେ ସେନେଇ ବାଟ କଢାଉଛି ପୋଲିସ ।
ଇଟିଭି ଭାରତ, ଭୁବନେଶ୍ବର