ଭୁବନେଶ୍ବର: ଦୀର୍ଘ ଦିନ ଧରି ଦରମା ପାଇନଥିବା ଓଡିଶା ଇଞ୍ଜିନିୟରିଂ କଲେଜର କର୍ମଚାରୀମାନେ ବହୁ କଷ୍ଟରେ ଜୀବନ ନିର୍ବାହ କରୁଛନ୍ତି। । ନିଜ ଦାବି ବିଷୟରେ କଲେଜ କର୍ତ୍ତୃପକ୍ଷ ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏଥିରେ କୌଣସି ସୁଫଳ ମିଳିନାହିଁ । ତେଣୁ ବିଭିନ୍ନ ସମସ୍ୟାରେ କର୍ମଚାରୀମାନେ ଆସନ୍ତା 25 ତାରିଖରେ ନବୀନ ନିବାସ ସମ୍ମୁଖରେ ସମୂହ ଆତ୍ମାହୁତି ଦେବାର ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।
ଶନିବାର ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ବାସ ଭବନରେ ଓଡିଶା ଇଞ୍ଜିନିୟରିଂ କଲେଜ କର୍ମଚାରୀ ସଙ୍ଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀରେ ୟୁନିଅନର ସମ୍ପାଦକ ଅଙ୍ଗଦ କୁମାର ବିଶ୍ବାଳ ପ୍ରକାଶ କରିଛନ୍ତି ଯେ, କଲେଜ ପରିଚାଳନା କମିଟି ପକ୍ଷରୁ ବିଭିନ୍ନ ପ୍ରକାର ଅନିୟମିତତା ଦ୍ବାରା ଅର୍ଥ ହଡପ କରାଯାଉଛି। ଏପରିକି ଏହାକୁ ବନ୍ଦ କରାଯିବାକୁ ଚକ୍ରାନ୍ତ ହେଉ ଥିବାବେଳେ ଏହାର କର୍ମଚାରୀମାନଙ୍କୁ ଶୋଷଣ କରାଯାଉଛି। ସେମାନେଙ୍କୁ ଅନେକ ଦିନ ଧରି ଦରମା ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଉନାହିଁ। ଫଳରେ ବିଗତ ଦିନରେ ଅନେକ କର୍ମଚାରୀ କିଛି ଉପାୟ ନପାଇ ମୃତ୍ୟୁର ପଥ ବାଛି ନେଉଥିବା ସେ କହିଛନ୍ତି ।
ତେଣୁ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ସମାଧାନ କରିବାକୁ ଦାବି କରିଛନ୍ତି । ନଚେତ ଆଗାମୀ 25 ତାରିଖରେ 300ରୁ ଊର୍ଦ୍ଧ୍ବ କର୍ମଚାରୀ ନବୀନ ନିବାସ ସମ୍ମୁଖରେ ଆତ୍ମାହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ