ଖୋର୍ଦ୍ଧା: ଆଜି ପବିତ୍ର ମକର ସଂକ୍ରାନ୍ତି । ପ୍ରତ୍ୟେକ ହିନ୍ଦୁଙ୍କ ପାଇଁ ଏ ଦିନଟି ହେଉଛି ଗୁରୁତ୍ବପୂର୍ଣ୍ଣ ଦିନ। ହେଲେ କୋଭିଡ ପାଇଁ ଫିକା ପଡିଛି ଏହି ପାରମ୍ପରିକ ପର୍ବ ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧାର ପ୍ରସିଦ୍ଧ ହଟକେଶ୍ଵର ଓ ଅଟ୍ରି ଉଷ୍ଣ ପ୍ରସବଣରେ ଆୟୋଜିତ ହୋଇଥାଏ ମକର ମେଳା ଓ ଗୁଆ ଖୋଜା ପର୍ବ । ହେଲେ କୋରୋନା ପାଇଁ ବିଭିନ୍ନ ଦେବାଳୟରେ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର ।
କୋରୋନା କାଳରେ ଜନ ସମାଗମକୁ ଆଖିରେ ରଖି ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଅଟ୍ରି ଉଷ୍ମପ୍ରସ୍ରବଣ ଓ ବାବା ହଟକେଶ୍ବରଙ୍କ ପୀଠରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ପ୍ରତିବର୍ଷ ମାନସିକଧାରୀମାନେ ମକର ମେଳାରେ ଉଷ୍ଣ ପ୍ରସବଣରୁ ଗୁଆ ଖୋଜିଥାନ୍ତି । କିନ୍ତୁ ଆଜିର ଦିନରେ ଅଟ୍ରି ଉଷ୍ମପ୍ରସ୍ରବଣ ଭିତରେ ଥିବା ମାନସିକ କୁଣ୍ଡରେ ଗୁଆ ଖୋଜା ନୀତି ଉପରେ କଟକଣା ଲାଗିଛି । ଗୁଆ ଖୋଜିବା ପାଇଁ କୌଣସି ଶ୍ରଦ୍ଧାଳୁଙ୍କୁ ଭିତରକୁ ଛଡ଼ାଯାଉନାହିଁ ।
ମନ୍ଦିର ପରିସରକୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଉଥିବା ବେଳେ କେବଳ ହାତଗଣତି ସେବାୟତଙ୍କୁ ନେଇ ଚାଲିଛି ମହାପ୍ରଭୁଙ୍କ ପୂଜାର୍ଚ୍ଚନା । ଫଳରେ ଭକ୍ତ ବାବାଙ୍କୁ ଦର୍ଶନ କରି ନପାରି ନିରାଶ ହୋଇଛନ୍ତି । କେବଳ ରାସ୍ତା ଉପରୁ ବାବାଙ୍କୁ ମୁଣ୍ଡିଆ ମାରିଛନ୍ତି । ଯେପରି ବାବାଙ୍କ ସେବାରେ କୌଣସି ବିଭ୍ରାଟ ନହେବ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯିବା ସହ ରାତିରୁ ପୋଲିସ ପହରା କଡାକଡି କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ