ଭୁବନେଶ୍ବର: ନବ ଦାସ ହତ୍ୟା ପ୍ରସଙ୍ଗରେ ବିଧାନସଭାରେ ବିରୋଧିଙ୍କ ହଟ୍ଟଗୋଳ ଜାରି । ଅପରାହ୍ନ ୪ଟାରେ ଗୃହ କାର୍ଯ୍ଯ ଆରମ୍ଭ ହେବା ପରେ ବିଧାନସଭାରେ ହଟ୍ଟଗୋଳ ଜାରି ରହିଥିଲା । ଗୃହ ଚଳାଇବା ସମ୍ଭବ ନହେବାରୁ ବାଚସ୍ପତି ଗୃହକୁ ପୁଣି 20 ମିନିଟ ତଥା ଅପରାହ୍ନ 4.40 ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି । ଏହାସହ ଗୃହକୁ ସ୍ବାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି ।
ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି । ହେଲେ ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳରେ କମ୍ପିଲା ବିଧାନସଭା । ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗ ଓ ଆଇନ ଶୃଙ୍ଖଳା ନେଇ ହୋହଲ୍ଲା କଲେ ଉଭୟ ବିରୋଧି ବିଜେପି ଓ କଂଗ୍ରେସ । ମନ୍ତ୍ରୀଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରି ନାରାବାଜି କଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ସୁର ରାଉତରାୟ, ସନ୍ତୋଷ ସିଂ ସାଲୁଜା ଓ ଅନ୍ୟ ବିଧାୟକମାନେ ହୋହଲ୍ଲା କରିଥିଲେ ।
ଏଥିରେ ସାମିଲ ହୋଇଥିଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବିଜେପି ବିଧାୟକ ମୋହନ ମାଝୀ । ଗୋଟିଏ ପଟେ ବିଜେଡି ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ଉତ୍ତର ରଖୁଥିବା ବେଳେ ଏପଟେ ଚାଲିଥିଲା ହୋହଲ୍ଲା । ଏହାପରେ ଗୃହକୁ ସାଢେ଼ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ପରେ ଆରମ୍ଭ ହୋଇଥିଲା ଶୂନ୍ୟକାଳ । ଅର୍ଥମନ୍ତ୍ରୀ କ୍ୟାବିନେଟ୍ ପ୍ରସ୍ତାବ ଗୃହରେ ଉପସ୍ଥାପନ କରିଥିଲେ । କିନ୍ତୁ ସମାନ ପ୍ରସଙ୍ଗରେ ବିରୋଧୀ ଗୃହରେ ହଟ୍ଟଗୋଳ ଜାରି ରଖିଲେ । ତେଣୁକରି ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ।
ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ଇତିମଧ୍ୟରେ ମାସକରୁ ଅଧିକ ସମୟ ବିତିଗଲାଣି । ହେଲେ ଏବେ ବି ହତ୍ୟାକାଣ୍ଡର କାରଣ ରହସ୍ୟମୟ ହୋଇ ରହିଛି । କ୍ରାଇମବାଞ୍ଚ ଅଭିଯୁକ୍ତ ଗୋପାଳକୁ ନେଇ ତଦନ୍ତ ଚଳାଇଛି । ଏହାରି ଭିତରେ ଅଭିଯୁକ୍ତ ଗୋପାଳ ଦାସର ମସ୍ତିଷ୍କ ସ୍ଥିର ଥିବା ଅର୍ଥାତ୍ ସେ ପାଗଳ ନୁହେଁ ବୋଲି ମେଡିକାଲ ବୋର୍ଡ ରିପୋର୍ଟ ଆସିଛି । ଏହାକୁ ନେଇ ବିରୋଧି ପୁଣିଥରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଗୋପାଳ ଜରିଆରେ ହତ୍ୟା ଷଡଯନ୍ତ୍ର କରାଯାଇଛି ବୋଲି ଅଭିଯୋଗ କରୁଛନ୍ତି ବିରୋଧି । ତେଣୁ ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ପାଇଁ ଗୃହରେ ଦାବି କରିଛି ବିଜେପି ।
ଏହାମଧ୍ୟ ପଢନ୍ତୁ: Matric exam: ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ଆରମ୍ଭ, କେନ୍ଦ୍ର ବୁଲିଲେ ଗଣଶିକ୍ଷା ମନ୍ତ୍ରୀ
ଆଜି ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟ ଭଳି ଗୃହ ସରଗରମ ରହିଛି । ନବ ଦାସ ହତ୍ୟା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧି । ଆଜି ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧି ଦଳ ସଦସ୍ୟ ସିବିଆଇ ତଦନ୍ତ ଦାବିରେ ହୋହଲ୍ଲା କରିଛନ୍ତି । ଗୃହର ମଧ୍ୟ ଭାଗକୁ ଆସି ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଇସ୍ତଫା ଦାବି କରିଛନ୍ତି ।
ଏହାମଧ୍ୟ ପଢନ୍ତୁ: ଭୁବନେଶ୍ବରରେ ସ୍କୁଟିକୁ ଧକ୍କା ଦେଇ ଘୋଷାଡି ନେଲା କାର୍, ଅଳ୍ପକେ ବର୍ତ୍ତିଲେ ଯୁବକ
ଇଟିଭି ଭାରତ, ଭୁବନେଶ୍ବର