ଭୁବନେଶ୍ବର: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶିକ୍ଷାର ସାମଗ୍ରିକ ବିକାଶ ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଶିକ୍ଷାଦାନ ପ୍ରକ୍ରିୟାକୁ ଅଧିକ ବ୍ୟବସ୍ଥିତ କରିବା ସହ ସମସ୍ତ ବ୍ଲକ୍ ଓ ଜିଲ୍ଲାରେ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଉଛି । ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି। ତେବେ ଏନେଇ ରାଜ୍ୟରେ ଥିବା ବିଦ୍ୟାଳୟ ଗୁଡ଼ିକରେ ଅନୁପସ୍ଥିତ ରହୁଥିବା ଶିକ୍ଷକମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଭାଗ।
ପୂର୍ବରୁ ଗଣଶିକ୍ଷା ବିଭାଗ ପକ୍ଷରୁ 154 ଜଣ କନିଷ୍ଠ ଶିକ୍ଷକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଦୀର୍ଘଦିନ ଧରି ଅନୁପସ୍ଥିତ ରହିଥିବା ମାଲକାନଗିରି ଜିଲ୍ଲାର 10 ଜଣ ପ୍ରାଥମିକ ଶିକ୍ଷକଙ୍କୁ ବହିଷ୍କୃତ କରାଯାଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବିବରଣୀ ଏବଂ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ 2 ଜଣ ପ୍ରାଥମିକ ଶିକ୍ଷକଙ୍କୁ ବରଖାସ୍ତ କରାଯାଇଛି । ଏଥି ସହିତ 8 ଜଣ ପ୍ରାଥମିକ ଶିକ୍ଷକଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଉଛି।
ଇଟିଭି ଭାରତ, ଭୁବନେଶ୍ବର