ଖୋର୍ଦ୍ଧା: ସମସ୍ୟା ଘେରରେ ରହିଛନ୍ତି ସଂକୀର୍ତ୍ତନ କଳାକାର । ଏମାନଙ୍କୁ ମିଳିଛି କଳାକାର ମାନ୍ୟତା ନା ମିଳୁଛି କୌଣସି ସରକାରୀ ଭତ୍ତା । ବର୍ତ୍ତମାନ ଖୋର୍ଦ୍ଧାରେ ଆୟୋଜିତ ବିଶାଳ ସଂକୀର୍ତ୍ତନ ସମାବେଶରେ ଏମାନେ ନିଜ ସମସ୍ୟା ଅବଗତ କରାଇଛନ୍ତି । ଶ୍ରୀ ଶ୍ରୀ ଜଗନ୍ନାଥ ନାମ ସଂକୀର୍ତ୍ତନ ପରିଷଦ ଖୋର୍ଦ୍ଧା ଜିଲ୍ଲା ଆନୁକୂଲ୍ୟରେ ବିଶାଳ ସଂକୀର୍ତ୍ତନ ସମାରୋହ ଓ ଗୀତା ବଣ୍ଟନ ଉତ୍ସବ ମହାସମାରୋହ ଅନୁଷ୍ଠିତ ହୋଇଥିଲା । ପ୍ରାୟ 80ରୁ ଊର୍ଦ୍ଧ୍ବ ସଂକୀର୍ତ୍ତନ ମଣ୍ଡଳୀର 1000ରୁ ଉର୍ଦ୍ଧ ସଂକୀର୍ତ୍ତନ ଗାୟକ ଏହି ସମାରୋହରେ ସାମିଲ ହୋଇଥିଲେ । ଏହି ଅବସରରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ସଂକୀର୍ତ୍ତନ ମଣ୍ଡଳୀ ସଦସ୍ୟ ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ , ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ର ନାଥ ମିତ୍ର ସମ୍ମାନିତ ଅତିଥି ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ପ୍ରସନ୍ନ ବିଷୋୟୀଙ୍କ ସମେତ ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗଦେଇ ସଂକୀର୍ତ୍ତନ ଗାୟକ ମାନଙ୍କ ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିବାକୁ ପ୍ରତିଶୃତି ଦେଇଥିଲେ । ସଂକୀର୍ତ୍ତନ କଳାକାର ମାନଙ୍କୁ ଚିହ୍ନଟ କରି ଭତ୍ତା ପ୍ରଦାନ, ବୀମା କରଣ, ବାସଗୃହ ଯୋଗାଣ, ତାଙ୍କ ପିଲାମାନଙ୍କୁ ମାଗଣାରେ ଗୁଣାତ୍ମକ ଓ ଉଚ୍ଚ ଶିକ୍ଷା ପ୍ରଦାନ, ମାଗଣା ଚିକିତ୍ସା ପ୍ରଦାନ, କଳାକାରଙ୍କ ପାଇଁ ଖୋର୍ଦ୍ଧାରେ ଏକ କଳାକାର ଭବନ ନିର୍ମାଣ ପାଇଁ ବ୍ୟବସ୍ଥା ପ୍ରଦାନ ପାଇଁ ପ୍ରତିଶୃତି ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ନୂଆପଡାରେ ସଂକୀର୍ତ୍ତନ ମହୋତ୍ସବ, ଏକାଠି ନୃତ୍ୟ ପରିବେଷଣ କଲେ 10 ହଜାର କଳାକାର
ତୁରନ୍ତ ଜାଗା ଚିହ୍ନଟ କରି ଖୋର୍ଦ୍ଧା ସହର ଭିତରେ ଏକ ସଂକୀର୍ତ୍ତନ ଭବନ ନିର୍ମାଣ ପାଇଁ 15 ଦିନ ଭିତରେ ବ୍ୟବସ୍ଥା ସହ ଜିଲ୍ଲାର ସମସ୍ତ 457 ସଂକୀର୍ତ୍ତନ ମଣ୍ଡଳୀର ରେଜିଷ୍ଟ୍ରେସନ ପାଇଁ ପଦକ୍ଷେପ ନେବାକୁ ଘୋଷଣା କରାଯାଇଛି । ସମାରୋହରେ ଗୀତାର ମାହାତ୍ମ୍ୟ ସମ୍ପର୍କରେ ବିଶାରଦ ମାନେ ବିଷଦ ଭାବେ ଆଲୋଚନା କରିଥିଲେ ।
ସଂକୀର୍ତ୍ତନ ଗାୟକ ମାନେ ଖୋର୍ଦ୍ଧା ନୂଆ ବସ ଷ୍ଟାଣ୍ଡ ଠାରୁ ଚନ୍ଦ୍ରଶେଖର ମନ୍ଦିର ସ୍ଥିତ ଇଗଲ କ୍ରିକେଟ କ୍ଲବ ପଡିଆ ପର୍ଯ୍ୟନ୍ତ ଖୋଳ, ମୃଦଙ୍ଗ, ଝାଞ୍ଜ, ଗିନି,ଘଣ୍ଟ ଘଣ୍ଟାର ତାଳରେ ବିଭିନ୍ନ ବେଶ ଧାରୀ କୁନି କଳାକାର ମାନଙ୍କ ନୃତ୍ୟ ପରିବେଷଣ ସହିତ ଶୋଭାଯାତ୍ରା କରି ଆସିଥିଲେ । ଚନ୍ଦ୍ରଶେଖର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ସମାରୋହରେ ଉପଦେଷ୍ଟା ବାସୁଦେବ ଭଟ୍ଟଙ୍କ ପୌରାହିତ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ ଗାୟକ ମାନଙ୍କୁ ଉପଢୌକନ, ସାର୍ଟିଫିକେଟ ଓ ଭାଗବତ ଗୀତା ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ଗୀତାର ପ୍ରଚାର ପ୍ରସାର ପାଇଁ ଭୁବନେଶ୍ୱର ଆରସିଏମ ଜଗନ୍ନାଥ ମନ୍ଦିର ଠାରେ 500 ରୁ ଊର୍ଦ୍ଧ୍ବ ସଂକୀର୍ତ୍ତନ ଗାୟକ ଓ ପ୍ରବଚକ ଗୀତା ପ୍ରବଚକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ 22ରୁ 24 ତାରିଖ ପର୍ଯ୍ୟନ୍ତ ହେବ । ଗଜପତି ମହାରାଜ, ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ରାଜ୍ୟପାଳଙ୍କ ଉପସ୍ଥିତିରେ ଏହା ସମାପନ କରାଯିବାର କାର୍ଯ୍ୟକ୍ରମ ରହିଛି ।
ଇଟିଭି ଭାରତ, ଖୋର୍ଦ୍ଧା