ଭୁବନେଶ୍ବର: ରାଜଧାନୀକୁ ସୁନ୍ଦର କରିବା ଓ ସ୍ବଚ୍ଛ ରଖିବାକୁ ନେଇ BMC ଅନେକ ଅଭିଯାନ ଆରମ୍ଭ କରିଛି । ଖାଲି ସେତିକି ନୁହେଁ ଡେଙ୍ଗୁ ମ୍ୟାଲେରିଆକୁ ସହରରୁ ପ୍ରତିହତ ପାଇଁ ମଧ୍ୟ ଅନେକ ସେଚତନତା କରିବା ସହ ସହର ଅଳିଆକୁ ସଫା କରିବା ପାଇଁ ବିଭିନ୍ନ ସଚେତନତା ଅଭିଯାନ କରାଯାଉଛି । ଏନେଇ ଜାତୀୟ ସ୍ତରରେ ବିଏମସି ପୁରସ୍କୃତ ମଧ୍ୟ ହୋଇଛି । କିନ୍ତୁ ବାସ୍ତବରେ ଏସବୁ ଯୋଜନା ଫେଲ ମାରିଛି । ସହର ସୁନ୍ଦର ନୁହେଁ ବରଂ କୁଢ଼ କୁଢ଼ ଅଳିଆ ପଡ଼ିରହି ଅସୁନ୍ଦର ଦିଶୁଛି । ଲୋକେ ଚଳପ୍ରଚଳ ପାଇଁ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।
ଅଳିଆ ଆବର୍ଜନାରେ ରାସ୍ତା ବନ୍ଦ !
ମାଳିସାହିରୁ ମାଷ୍ଟରକ୍ୟାଣ୍ଟିନ ଯିବା ରାସ୍ତା ଅଳିଆ ଆବର୍ଜନାରେ ବନ୍ଦ ହୋଇ ରହିଛି । ରାସ୍ତାରେ ମଇଳା ପାଣି ଚାଲୁଥିବାରୁ ଲୋକେ ନାକ ଟେକି ଚଳୁଛନ୍ତି । ଆଉ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ସ୍ଥାନୀୟବାସିନ୍ଦାଙ୍କ ସହ ସେଠାରେ ଥିବା ଦୋକାନୀଙ୍କ ଅସଚେତନତା ଏବଂ ବିଏମସିର ଅଳିଆ ସଂଗ୍ରହ ଓ ପୃଥିକୀକରଣ ନିୟମକୁ ଅବମାନନା ଯୋଗୁଁ ଏଠାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ପାଣି ପାଇପ ଫାଟିବା ସହ ପିଇବା ପାଣିରେ ନାଳ ନର୍ଦ୍ଦମାରୁ ନିର୍ଗତ ମଇଳା ପାଣି ମିଶୁଛି । ଆଉ ସେହି ପାଣିକୁ ସ୍ଥାନୀୟ ଲୋକେ ପିଉଛନ୍ତି । ଫାଟିଥିବା ପାଣି ପାଇପ ସେଠାରେ ଏକ ଝରଣାର ଭ୍ରମ ସୃଷ୍ଟି କରୁଥିଲେ ମଧ୍ୟ ଏହି ସମସ୍ୟା ପ୍ରତି କାହାର ନଜର ନାହିଁ । ଏଥିପାଇଁ ଲୋକଙ୍କ ଭିତରେ ରୋଗର ଆଶଙ୍କା ରହିଥିବାବେଳେ ଭୁବନେଶ୍ବର ବ୍ୟବସାୟର ପେଣ୍ଠସ୍ଥଳୀ କୁହାଯାଉଥିବା ମାଷ୍ଟରକ୍ୟାଣ୍ଟିନକୁ କେହି ଲୋକ ଯାଉନାହାନ୍ତି । ଯେଉଁଥିପାଇଁ ସେଠାରେ ଥିବା ଦୋକାନୀଙ୍କ ବେପାର ମଧ୍ୟ ଠପ ହୋଇଯାଇଛି ।
ବାରମ୍ବାର ଅଭିଯୋଗ ସତ୍ତ୍ବେ ହେଉନି ସ୍ଥାୟୀ ସମାଧାନ
ଏହି ସମସ୍ୟାକୁ ନେଇ ବିଏମସି ଠାରୁ ଆରମ୍ଭ କରି PWD ଓ ସ୍ବେରେଜ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ବିଏମସି କର୍ମଚାରୀ ଆସି ସମସ୍ୟା ଦେଖିଦେଇ ପଳାଉଥିବାବେଳେ ଅଳିଆ ଫିଙ୍ଗିଥିବା ଲୋକଙ୍କୁ କିଛି ତାଗିତ କିମ୍ବା ଜୋରିମାନା କରୁନାହିଁ । ସେଥିପାଇଁ ଲୋକମାନେ ରାସ୍ତାରେ ଅଳିଆ ଫିଙ୍ଗୁଛନ୍ତି । ସେହିପରି PWD ବିଭାଗ ଓ ସ୍ବେରେଜ ବିଭାଗ ମଧ୍ୟ ଆସୁଛନ୍ତି ଦେଖିଦେଇ ଚାଲିଯାଉଛନ୍ତି । ଯଦିଓ ସ୍ବେରେଜ ବିଭାଗ ଆସି କିଛି ସମୟ ପାଇଁ ଜାମ ହୋଇଥିବା ପାଣିକୁ ନିର୍ଗତ କରୁଛି, କିନ୍ତୁ ତାହା ଦୀର୍ଘସ୍ଥାୟୀ ନୁହେଁ ବୋଲି ଲୋକେ ଅଭିଯାଗ କରୁଛନ୍ତି । କାରଣ ଏଭଳି ସମସ୍ୟା ଦୀର୍ଘ ୧ ମାସ ହେବ ଦେଖା ଯାଉଥିବାବେଳେ ସମାଧାନ କିଛି ସମୟ ବା ଏକ ଦିନ ପାଇଁ ରହୁଛି । ଏହାକୁ ନେଇ ସ୍ଥାନୀୟ ଲୋକେ ଅତିଷ୍ଠ ହୋଇଥିବାବେଳେ ଏହି ସମସ୍ୟାର ସ୍ଥାୟୀ ସମାଧାନ ଦାବି କରିଛନ୍ତି ।
ଜାତୀୟସ୍ତରରେ ସ୍ବଚ୍ଛତା ପୁରସ୍କାର ପାଇଛି BMC
ସେପଟେ ମଳ ଉପଚାର ପାଇଁ ଜାତୀୟସ୍ତରରେ ପୁରସ୍କାର ପାଇଛି ବିଏମସି । ସ୍ବରେଜ ମ୍ୟାନେଜମେଣ୍ଟ କ୍ଷେତ୍ରର ମାପଦଣ୍ଡ ଓ ପରିମଳ ବ୍ୟବସ୍ଥାର ସୁଧାର ପାଇଁ ବିଏମସିକୁ ସ୍ବଚ୍ଛତା ପୁରସ୍କାର ମିଳିଛି । କିନ୍ତୁ ସହରରେ ପ୍ରମୁଖ ସ୍ଥାନରେ ସ୍ବରେଜ ମ୍ୟାନେଜମେଣ୍ଟ ଠିକ ଭାବରେ ହୋଇପାରୁନଥିବାରୁ ମଇଳା ପାଣି ରାସ୍ତାରେ ଭାସୁଛି । ଏହା ପିଇବା ପାଣିରେ ମିଶିବାରୁ ଲୋକେ ନାନା ରୋଗରଲ ଶିକାର ହେଉଛନ୍ତି । ସହରରେ ଗଦା ଗଦା ଅଳିଆ ସହ ରାସ୍ତାରେ ନର୍ଦମା ପାଣି ଜମି ରହୁଛି । ଏହାକୁ ନେଇ ସ୍ଥାନୀୟ ଲୋକେ କହିଛନ୍ତି, "ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଏମସିର ପରିମଳ ପରିଚାଳନାରେ ନିୟୋଜିତ ଥିବା ବିଭାଗ ଠିକ ଭାବରେ କାର୍ଯ୍ୟ କରୁନଥିବାରୁ ଆମେ ଏତେ ସମସ୍ୟା ଭୋଗୁଛୁ । ସେପଟେ କିନ୍ତୁ ମେୟର ଏହି ପରିଚାଳନାରେ ନମ୍ବର ୧ ପାଇଁ ପୁରସ୍କାର ପାଉଛନ୍ତି । ସହରରେ ଏଭଳି ଅବସ୍ଥା ଦେଖିଥିଲେ ମେୟର ଏହି ପୁରସ୍କାର ପାଇଁ ଯାଇନଥାନ୍ତେ ।"
ହକି ବିଶ୍ବକପ ପାଇଁ ସହରକୁ ସଜାଯାଉଥିବା ବେଳେ ସହର ଭିତରେ ଏଭଳି ଏକ ଦୃଶ୍ୟ ଲୋକଙ୍କୁ ଆନ୍ଦୋଳିତ କରିଛି । ଆଉ ଏହା ଦ୍ବାରା ବିଏମସିର ସ୍ବଚ୍ଛତା ଓ ସୁନ୍ଦରତା ଅଭିଯାନ ଏବଂ ସ୍ବେରେଜ ମ୍ୟାନେଜମେଣ୍ଟ ଯେ ଫେଲ ମାରିଛି, ତାହା ସ୍ପଷ୍ଟ ହୋଇଛି । ସେଥିପାଇଁ ଖାଲି କିଛି ଆଖିଦୃଶିଆ କାମ ଦେଖାଇ ବିଏଏମସି ପୁରସ୍କାର ନେବା ବଦଳରେ ବାସ୍ତବିକ ଭାବେ ସହରର ସମସ୍ୟକୁ ବୁଝିବା ଉଚିତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ଇଟିଭି ଭାରତ, ଭୁବନେଶ୍ବର