ଭୁବନେଶ୍ବର: ସମ୍ବିତ ଆଚାର୍ଯ୍ୟଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ‘ତୁ ସେଇ ନୀଳ ନୟନା’ ସହ ବଡ଼ ପରଦାରେ ନଜର ଆସିବେ ସମ୍ବିତ । ବର୍ତ୍ତମାନ ଏହାର ଅଡିଓ ରିଲିଓ ହୋଇଛି । ପ୍ରଥମ ଥର ପାଇଁ ସିନେମା ହଲ୍ରେ ଫିଲ୍ମର ଅଡିଓ ରିଲିଜ ହୋଇଥିଲା । ଦର୍ଶକ ଏହାକୁ ମନଭରି ଉପଭୋଗ କରିଥିଲେ । ତେବେ ଭିନ୍ନ ଲଭଷ୍ଟୋେରୀକୁ ନେଇ ନିର୍ମିତ ସମ୍ବିତଙ୍କ ଏହି ଫିଲ୍ମ ଖୁବ ଶୀଘ୍ର ରିଲିଜ ହେବ ।
ଭୁବନେଶ୍ବର ସିନେପଲିସ୍ ପ୍ରେକ୍ଷାଳୟରେ ନୂଆ ଓଡ଼ିଆ ଚଳଚ୍ଚିତ୍ର 'ତୁ ସେଇ ନୀଳ ନୟନା'ର ଅଡିଓ ରିଲିଜ କାର୍ଯ୍ୟକ୍ରମ ଏକ ଭିନ୍ନ ଅନ୍ଦାଜରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଥର ପାଇଁ ସିନେମା ହଲ୍ରେ ଏହି ଅଡିଓ ରିଲିଜ ହୋଇଛି । ଫିଲ୍ମରେ ଓଲିଉଡ ଅଭିନେତା ସମ୍ବିତ ଓ ଲିପିକାଙ୍କ ୯୦ ଦଶକର ପ୍ରେମ କାହାଣୀ ଦେଖିବେ ଦର୍ଶକ । ତେବେ ଅଡିଓ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ତେବେ ଖୁବଶୀଘ୍ର ରିଲିଜ ତାରିଖ ଘୋଷଣା କରାଯିବ ବୋଲି କହିଛନ୍ତି ନିର୍ମାତା । ଫିଲ୍ମର ଏହି ଅଡିଓ ରିଲିଜ କାର୍ଯ୍ୟକ୍ରମରେ ବଗନି ପଟ୍ଟନାୟକ ଫିଲ୍ମସର ପ୍ରଯୋଜକ ବିନି ପଟ୍ଟନାୟକ, ନିର୍ଦ୍ଦେଶକ ତ୍ରିପତୀ ସାହୁ, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ, ଗୀତିକାର ବସନ୍ତରାଜ ସାମଲ, ସଂଳାପକାର ଡଃ ରଜନୀ ରଞ୍ଜନ ଓ ବରିଷ୍ଠ ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା ଚଳଚ୍ଚିତ୍ରର ଅଭିନେତ୍ରୀ ଲିପିକା ସେନାପତି, ଅମର ମହାପାତ୍ର ଓ ଉପାଦେଷ୍ଠା ସଚ୍ଚିକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
‘ତୁ ସେଇ ନୀଳ ନୟନା’ ଫିଲ୍ମର କାହାଣୀ କହିବାକୁ ଗଲେ, ଜୀବନରେ ପ୍ରେମର ରଙ୍ଗ ସବୁବେଳେ ସତେଜ ହୋଇ ରହିବା ଦରକାର ନହେଲେ ଜୀବନର ଅର୍ଥ ବଦଳି ଯାଏ । ଏଭଳି କିଛି ବାର୍ତ୍ତା ନେଇ ଆସୁଥିବା ଫିଲ୍ମରେ ଓଡିଆ ମନୋରଂଜନ ଜଗତର ଦିବଙ୍ଗତ କଳାକାର ପିଣ୍ଟୁ ନନ୍ଦଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିବ । ବିନି ପଟ୍ଟନାୟକ ପ୍ରଯୋଜିତ ଏହି ଫିଲ୍ମର ସହ ପ୍ରଯୋଜକ ହେଉଛନ୍ତି ମୋହିତ ପଟ୍ଟନାୟକ ।
ଏହା ମଧ୍ୟ ପଢନ୍ତୁ: ଜହ୍ନ ରାତିର ସାଥୀ: ଟ୍ରେଲର ଏବଂ ଅଡିଓ ରିଲିଜ, ଜୁଲାଇ ୨୧ରେ ସିଲଭର ସ୍କ୍ରିନ୍କୁ ଆସିବ ଫିଲ୍ମ
ଏହାକୁ ନେଇ ଫିଲ୍ମର ନିର୍ଦ୍ଦେଶକ ତ୍ରୀପତି ସାହୁ କହିଛନ୍ତି, "ଏକ ନିଆରା ଓ ଅଦ୍ଭୁତ କାହାଣୀ ଯାହାକୁ ନେଇ ନିର୍ମାଣ ହୋଇଛି ଫିଲ୍ମ 'ତୁ ସେଇ ନୀଳନୟନା ।' ଦର୍ଶକଙ୍କୁ ନୂଆ ତଥା ଓଡ଼ିଆ ଛୁଙ୍କରେ ତିଆରି ପାରିବାରିକ ଫିଲ୍ମ ଦେବା ପାଇଁ ଆମେ ସମସ୍ତେ ଚେଷ୍ଟା କରିଛୁ । ନିଶ୍ଚିତ ଭାବରେ ଏହା ଓଡିଆ ଦର୍ଶକଙ୍କ ମନକୁ ଛୁଇଁବ ।" ଓଡ଼ିଶାର ଅଗଣିତ ଚଳଚ୍ଚିତ୍ର ପ୍ରେମୀମାନଙ୍କ ଚାହିଦା ପୂରଣ ପାଇଁ ଖୁବଶୀଘ୍ର ରିଲିଜ ହେବ ଫିଲ୍ମ ‘ତୁ ସେଇ ନୀଳ ନୟନା’ ବୋଲି କହିଛି ପ୍ରଯୋଜନା ସଂସ୍ଥା ।
ତେବେ ଫିଲ୍ମର ସଂଳାପ ଡକ୍ଟର ରଜନୀ ରଞ୍ଜନ ଲେଖିଥିବା ବେଳେ ଫିଲ୍ମର ଗୀତ ଲେଖିଛନ୍ତି ବସନ୍ତରାଜ ସାମଲ ଓ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଓଡ଼ିଶାର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଏବଂ ଗୀତର ସ୍ବର ଦେଇଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଦୀପ୍ତିରେଖା ପାଢୀ, ସ୍ୱୟଂ ପାଢୀ, ସୋହିନୀ ମିଶ୍ର, ଆଶୁତୋଷ ଓ ଅମ୍ରିତା ନାୟକ । ଏଥିସହ ଏହି ଫିଲ୍ମରେ ଦିବଙ୍ଗତ ଅଭିନେତା ପିଣ୍ଟୁ ନନ୍ଦଙ୍କ ବ୍ୟତୀତ ସମ୍ବିତ୍ ଆଚାର୍ଯ୍ୟ, ଅଭିନେତ୍ରୀ ଲିପିକା ସେନାପତି, ପୃଥ୍ବୀରାଜ ନାୟକ, ପ୍ରତିଭା ପଣ୍ଡା, ଚୌଧୁରୀ ଜୟ ପ୍ରକାଶ ଦାସ, ବରଦା ତ୍ରିପାଠୀ, ନନସେନ୍ସ ମଣି, ଅମର ମହାପାତ୍ର, ଆଲିଶା, ଜ୍ୟୋତି ତ୍ରିପାଠୀ, ଜୀବନ ପଣ୍ଡା ଓ ଦେବଶ୍ରୀ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର