ଭୁବନେଶ୍ବର: ନିରପେକ୍ଷତା ଓ ଶାନ୍ତିର ଅର୍ଥ ନୁହେଁ ବହୁସଂଖ୍ୟକ ସମାଜ ଉପରେ ଅତ୍ୟାଚାର କରିବା । ନାଲି ଆଖି ଦେଖାଇବା । କେସବାସର ଧମକ ଦେବା । ଶାନ୍ତିର ମାନେ ନିରପେକ୍ଷତା ଅବଲମ୍ବନ କରିବା । ନିରପେକ୍ଷ କେବଳ କହିଲେ ହେବ ନାହିଁ । ବରଂ କାମରେ ଦେଖାଇବାକୁ ପଡିବ । ଓଡିଶା ସରକାର ରାଜଧର୍ମ ପାଳନ କରନ୍ତୁ । ନିରପେକ୍ଷ ରୁହନ୍ତୁ । ସମ୍ବଲପୁର ହିଂସା ଘଟଣାରେ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେପଟେ ଜବାବ ରଖିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ ।
ଧର୍ମେନ୍ଦ୍ର କହିଛନ୍ତି ଯେ, ସମ୍ବଲପୁରରେ ପରମ୍ପରା ଗତ ଭାବେ ଚାଲି ଆସୁଥିବା ହନୁମାନ ଜୟନ୍ତୀ ପ୍ରସ୍ତୁତି ପର୍ବ ସ୍ଥାନୀୟ ପ୍ରଶାସନର ଅପାରଗତା ଯୋଗୁଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା । ବହୁ ଲୋକ ଆହତ ହେବା ସହ ଧନ ସମ୍ପତ୍ତି ହାନୀ ହେଲା । ହନୁମାନ ଜୟନ୍ତୀ ଦିନ ଜଣେ ଜନଜାତି ପିଲାର ହତ୍ୟା ହେଲା । ସ୍ଥାନୀୟ ପୋଲିସ ଏଫଆଇଆରରେ ନିଜେ ଏହି କଥା ଲେଖିଛନ୍ତି । ମାତ୍ର ପରବର୍ତ୍ତୀ ଅବସ୍ଥାରେ ପ୍ରଶାସନର ନିୟନ୍ତ୍ରଣ ସମ୍ପର୍କରେ ଯେଉଁ ଦାୟିତ୍ୱ ନେବା କଥା ତାହା ସେଠାରେ ପରିଲକ୍ଷିତ ହେଉନାହିଁ ।
ଏହାବି ପଢନ୍ତୁ- ମହାନଦୀ ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି କଂଗ୍ରେସ ଓ ବିଜେପି : ବିଜେଡି
ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର ବଢୁଛି । ସମାଜର ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ପୋଲିସ ନିର୍ଦ୍ଦିଷ୍ଟ ଭାବେ ଆରୋପ କରି ଦୋଷୀ ସାବ୍ୟସ୍ତ କରିବାର ଅପଚେଷ୍ଟା କରୁଛି । ଏକତରଫା ଭାବେ ପୋଲିସ ଡିଜି, ସ୍ଥାନୀୟ ଡିଆଇଜି, ସେଠାକାର ଏସପି କାମ କରୁଛନ୍ତି । ଏହାକୁ ବିଜେପି ପ୍ରଥମ ଦିନରୁ ଅଭିଯୋଗ କରି ଆସୁଛି । ଜାତୀୟ ଏସଟି କମିଶନର ସଦସ୍ୟ ମାନେ ଏହି ଘଟଣାର ତଥ୍ୟ ସଂଗ୍ରହ କରିବାକୁ ଆସିଥିଲେ । ତାଙ୍କୁ ସ୍ଥାନୀୟ ପ୍ରଶାସନ ସେହି କାମରେ ଅସହଯୋଗ କରିଥିଲା । ସମ୍ବଲପୁର ଅଭାବନୀୟ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସଂସଦୀୟ ପ୍ରତିନିଧି ଦଳକୁ ନେଇ ଏକ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଗଠନ କରିଛନ୍ତି । ଏଥିପାଇଁ ସେ ବିଜେପିର ରାଷ୍ଟ୍ରୀୟ ସଭାପତିଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
ସେପଟେ ଜବାବ ରଖିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ଅମର ଶତପଥୀ । ଅମର କହିଛନ୍ତି ଯେ, ସମ୍ବଲପୁରରେ ସ୍ୱାଭାବିକ ଅବସ୍ଥା ଆସିଲାଣି । ଶାନ୍ତି ରହିଛି । ସବୁ ସମ୍ପ୍ରଦାୟର ଲୋକେ ତାଙ୍କ ଜୀବନଯାତ୍ରାକୁ ସ୍ୱାଭାବିକ କଲେଣି । ପରବର୍ତ୍ତୀ ସମୟରେ କୌଣସି ଅନ୍ୟ ଉଦ୍ଦେଶ୍ୟ ରଖି ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରିବେ ଆଦୌ ଶୋଭନୀୟ ହେବନାହିଁ । ଆଇନ ଶୃଙ୍ଖଳା ହେଉଛି ରାଜ୍ୟର ପ୍ରସଙ୍ଗ । ସମ୍ବଲପୁର ସ୍ଥିତିର ମୁକାବିଲା ରାଜ୍ୟ ସରକାରଙ୍କ ଦକ୍ଷତା ପ୍ରମାଣିତ କରିଛି । କିନ୍ତୁ ଅନ୍ୟ ରାଜ୍ୟରେ ବହୁ ଅଶୋଭନୀୟ ଅଘଟଣ ଘଟିଥିଲା । ରାଜ୍ୟରେ ସେଭଳି ଅଘଟଣ ନଘଟି, ଏହାକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରାଯାଇଛି । ଆଉ ଯେଉଁମାନେ ପରବର୍ତ୍ତୀ ସମୟରେ ଶାନ୍ତି ଭଙ୍ଗ ପାଇଁ ଚେଷ୍ଟା କରୁଛନ୍ତି, ସେମାନେ ସେ ଅଞ୍ଚଳର ସୌହାର୍ଦ୍ଦ୍ୟ ଚାହୁଁ ନାହାନ୍ତି ।
ଇଟିଭି ଭାରତ, ଭୁବନେଶ୍ବର